ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି
ଗୁଣିଆ ଦ୍ବାରା କରାଇଥିଲେ ଚିକିତ୍ସା, ଗାଁରେ ଡାକ୍ତରୀ ଟିମ୍ର ସ୍ଥିତି ଅନୁଧ୍ୟାନ
ମାଲକାନଗିରି : ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ମଧ୍ୟାହ୍ନ ଭୋଜନ ପରେ ଗୋଟିଏ ପରିବାରର ୭ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। କିନ୍ତୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆର ସାହାରା ନେଇଥିଲେ ପରିବାର। ଯାହାଫଳରେ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇ ୩ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷ ମିଶିଥିଲା ନା ଖାଦ୍ୟ ବିଷକ୍ରିୟା ହୋଇ ଏଭଳି ଦୁଃଖଦ ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ପୂରା ଘଟଣାର ତଦନ୍ତ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, କଚେଲି ଗାଁର ପାଣ୍ଡୁ ମାଢ଼ିଙ୍କ ପରିବାର ଗତକାଲି ମଧ୍ୟାହ୍ନରେ ଜଙ୍ଗଲରୁ ସଂଗ୍ରହ କରିଥିବା କିଛି କନ୍ଦା, ଶାଗ ସହ ମାଛ ତରକାରି ଆଦି ଖାଇଥିଲେ। ଏହାର କିଛି ଘଣ୍ଟା ପରେ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ। ଧୀରେ ଧୀରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବାରୁ ଡାକ୍ତରଖାନା ନେବା ବଦଳରେ ସମସ୍ତଙ୍କୁ ସ୍ଥାନୀୟ ଜଣେ ଗୁଣିଆ ପାଖକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ଗୁଣିଆ ଜଣକ ବି ଚେରମୂଳି ଔଷଧ ସାଙ୍ଗକୁ ପୂଜାର୍ଚ୍ଚନା କରି ସମସ୍ତଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲା। ତଥାପି ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ନ ହେବାରୁ ଡାକ୍ତରଖାନାକୁ ଖବର ଦିଆଯାଇଥିଲା। ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିବା ବେଳକୁ ଦୁଇ ଝିଅ ସୁକାନ୍ତି ମାଢ଼ି ଏବଂ ଅଞ୍ଜଳି ମାଢ଼ିଙ୍କ ମୃତ୍ୟୁ ହୋଇ ସାରିଥିଲା। ଗୁରୁତର ଅବସ୍ଥାରେ ରହିଥିବା ପୁଅ ସୀତାରାମକୁ ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଉଥିଲେ। କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା। ମା’ ଭୀମେ ମାଢ଼ି ଏବଂ ଅନ୍ୟ ଜଣେ ଝିଅକୁ ଗାଁରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବିଶେଷ ସୁଫଳ ନ ମିଳିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଦୁଇ ପୁଅ ଏବଂ ଜଣେ ଝିଅ ଚିକିତ୍ସା ପରେ ସୁସ୍ଥ ଅଛନ୍ତି ଏବଂ ଘରେ ରହିଥିବା ସୂଚନା ମିଳିଛି।
କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଚାଲିଛି। ଆଦିବାସୀମାନେ ପ୍ରାୟତଃ ଜଂଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲରୁ କିଛି କନ୍ଦା କିମ୍ବା ଅନ୍ୟ କିଛି ଜିନିଷ ଆଣି ଖାଇଥାଇ ପାରନ୍ତି। ତେଣୁ ଖାଦ୍ୟ ବିଷକ୍ରିୟା ହୋଇଥିବା ନେଇ ଡାକ୍ତରୀ ଟିମ୍ ଅନୁମାନ କରୁଛି। ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ ହେବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି। ଅନ୍ୟପକ୍ଷରେ ଆଜି ପାଣ୍ଡୁ ମାଢ଼ି ମାଲକାନଗିରି ଥାନାରେ ଘଟଣା ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ପୃଥକ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଦୁଇ ଝିଅ ଏବଂ ପୁଅ ନାବାଳକ ଥିଲେ ବୋଲି ଜଣାପଡ଼ିଛି। ଗୋଟିଏ ଦିନରେ ଗୋଟିଏ ପରିବାରର ୩ଜଣଙ୍କ ଅକାଳ ମୃତ୍ୟୁ ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଗାଁରେ ଶୋକର ଛାୟା ଖେଳି ଯାଇଛି। ସେହିପରି ସଚେତନତା ଅଭାବରୁ ଡାକ୍ତରଙ୍କ ଉପରେ ବିଶ୍ବାସ ନ କରି ଅନ୍ଧବିଶ୍ବାସ ଉପରେ ନିର୍ଭର କରିବାରୁ ଏତେ ବଡ଼ ଅଘଟଣ ଘଟିଲା ବୋଲି କୁହାଯାଉଛି।