ରାୟଗଡ଼ା: ମାଓବାଦୀଙ୍କ ପରେ ଏବେ ଉପାନ୍ତ ଇଲାକାରେ ରାଜୁତି କରୁଛନ୍ତି ଗଞ୍ଜେଇ ମାଫିଆ। ଶହ ଶହ ଏକର ଜମିରେ କରୁଛନ୍ତି ଗଞ୍ଜେଇ ଚାଷ। ଚୋରାରେ ଚାଲାଣ ହେଉଛି ରାଜ୍ୟ ଓ ରାଜ୍ୟ ବାହାରକୁ। ଯାହାର ସୁରାକ୍ ପାଉନି ପୁଲିସ୍ ଓ ଅବକାରୀ ବିଭାଗ। ଅପହଞ୍ଚ, କଟଅଫ୍ ଏରିଆରେ ଚାଷ ହେଉଥିବାରୁ ମାଫିଆଙ୍କୁ କାବୁ କରିବା ପୁଲିସ୍ ପକ୍ଷେ ସମ୍ଭବ ହେଉନି। ଏହା ସତ୍ତ୍ବେ ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ସାଢ଼େ ୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ଡା. ଶର୍ବଣା ବିବେକ ଏମ୍।
ଚଳିତ ବର୍ଷ ନଭେମ୍ବର ୨୩ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍ ଡାଇମଣ୍ଡ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପର୍ଯ୍ୟାୟରେ ଅବକାରୀ-ପୁଲିସ୍ ବିଭାଗର ମିଳିତ ଉଦ୍ୟମରେ ଚନ୍ଦ୍ରପୁର, ମୁନିଗୁଡା, ପଦ୍ମପୁର ଥାନା ଇଲାକାରେ ହୋଇଛି ଜୋରଦାର୍ ଧରପଗଡ଼। ସପ୍ତାହକ ମଧ୍ୟରେ ୪୧୬ ଏକର ଜମିରେ ୪ ଲକ୍ଷ ୬୪ ହଜାର ୪୯୬ ଗଛ ନଷ୍ଟ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟି ୫୭ ଲକ୍ଷ ହେବ ବୋଲି ପୁଲିସ୍ ଅନୁମାନ କରିଛି। ଚୋରା ଗଞ୍ଜେଇ ଚାଷକୁ ନେଇ ୩ ଥାନା ଅଞ୍ଚଳରେ ୧୨ଟି ମାମଲା ରୁଜୁ ହେବା ସହ ଜଣଙ୍କୁ ପୁଲିସ୍ ଗିରଫ କରିଛି। ପ୍ରତିଦିନ ହାରାହାରି ୬୦ରୁ ୬୫ ଏକର ଜମିରେ ବେଆଇନ ଗଞ୍ଜେଇ ଗଛକୁ କାଟିବା ସହ ପୋଡ଼ି ନଷ୍ଟ କରୁଛି ପୁଲିସ୍। କନ୍ଧମାଳ-ଗଜପତି-କଳାହାଣ୍ଡି ସୀମାନ୍ତର ଦୁର୍ଗମ ଓ ପାହାଡ଼ିଆ ଇଲାକାରେ ବହୁଳ ପରିମାଣରେ ଚାଷ ହୋଇଥିଲେ ମଧ୍ୟ ପୁଲିସ୍, ଅବକାରୀ ବିଭାଗ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ଅଞ୍ଚଳରେ ପହଞ୍ଚି ପାରୁନି। ଅନ୍ୟପକ୍ଷରେ ମୋବାଇଲ୍ ନେଟୱର୍କ ଅଭାବରୁ ଚାଷ ସଂପର୍କରେ ଗୁଇନ୍ଦା ସୂଚନା ମଧ୍ୟ ସଠିକ୍ ଭାବରେ ମିଳୁପାରୁନି।
କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ଜାରି ରହିଥିବାରୁ ଗଞ୍ଜେଇ ମାଫିଆଙ୍କ ମାଓବାଦୀ ଲିଙ୍କ୍ ଭୟରେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଗଞ୍ଜେଇ ଚାଷ ସଂପର୍କରେ ପୁଲିସକୁ ସଠିକ୍ ସୂଚନା ଦେଉନାହାନ୍ତି। ଏବେ ଅମଳ ଋତୁ ହୋଇଥିବାରୁ ମାଫିଆମାନେ ପାହାଡ଼ିଆ ଇଲାକାରେ ଗଛକୁ କାଟି ଶୁଖାଇବା ପରେ ଲୁକ୍କାୟିତ ଭାବେ ଗଚ୍ଛିତ ରଖୁଛନ୍ତି। ପରେ ପ୍ରକ୍ରିୟାକରଣ କରି ବିଭିନ୍ନ ଉପାୟରେ ବାହାରକୁ ଚାଲାଣ କରୁଛନ୍ତି। ଯାହା ବିଗତ ଦିନରେ ମୁନିଗୁଡା, ଚନ୍ଦ୍ରପୁର, ଗୁଡ଼ାରି, ପଦ୍ମପୁର ଥାନାରେ ରୁଜୁ ହୋଇଥିବା ମାମଲାରୁ ସ୍ପଷ୍ଟ। ମୁନିଗୁଡାରୁ ଦିଲ୍ଲୀ, ରାୟଗଡ଼ାରୁ ରାଞ୍ଚି, ବିହାର, ଛତିଶଗଡ଼, ମୁମ୍ବାଇ, ଉତ୍ତରପ୍ରଦେଶ ଭଳି ବହୁ ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଛି।
ଗତ ଅଗଷ୍ଟ ମାସରେ ମୁନିଗୁଡ଼ାରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭୁବନେଶ୍ବର ଷ୍ଟେସନରେ ଜିଆରପି ପୁଲିସ୍ ୪ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ଜିଆରପି ୨ ଜଣଙ୍କୁ ଗିରଫ କରିବା ସହ ରାକେଟର ମାଷ୍ଟର ମାଇଣ୍ଡକୁ କାବୁ କରିବାକୁ ରାୟଗଡ଼ା ଆସିଥିଲା। କାଜୁ, ପଣସ, ସପୁରି, ପନିପରିବା ନାଁରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଉତ୍ତରପ୍ରଦେଶ, କୋଲକାତା ସମେତ ବହୁ ବଡ଼ ସହରକୁ ଗଞ୍ଜେଇ ଚାଲାଣ ହେଉଥିବାରୁ ଜୁଲାଇ ୧୪ରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ମଧ୍ୟ ରାୟଗଡ଼ା ଆସି ତଦନ୍ତ କରିବା ସହ ଜଣଙ୍କୁ ଗିରଫ କରିଥିଲା।