ବାରିପଦା : କୃଷକ ସଂଗଠନଗୁଡ଼ିକର ସର୍ବଭାରତୀୟ ଆନ୍ଦୋଳନ ଡ଼ାକରାକୁ ସମର୍ଥନ ଜଣାଇଛି ନବନିର୍ମାଣ କୃଷକ ସଂଗଠନ। ଚଳିତ ମାସ ୮ରେ ହେବାକୁ ଥିବା ଭାରତ ବନ୍ଦରେ ସଂଗଠନ ସାମିଲ ହୋଇ ଜିଲ୍ଲାରେ ବନ୍ଦ ପାଳନ କରିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏନେଇ ବାରିପଦା କେସି ସର୍କଲଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧାରଣା ଡ଼ାକରା ଅନୁସାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗଠନର ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଚିନୁ ଦାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାର ଗତ ସଂସଦ ଅଧିବେଶନରେ ଯେଉଁ ୩ଟି କୃଷି ବିଧେୟକ ପାରିତ କରାଇଥିଲେ ତାହା କୃଷି ଓ କୃଷକ ବିରୋଧୀ କଳା ବିଲ ବୋଲି କହିଛନ୍ତି । ଏହି କୃଷି ଆଇନ ବଳରେ ଘରୋଇ କମ୍ପାନୀଗୁଡ଼ିକ କୃଷି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବାର ସୁଯୋଗ ପାଇବେ। ଏହି ବିଲକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକି ଉଠିଛି । ଯେ ପର୍ଯ୍ୟନ୍ତ କୃଷି ବିଲ ପ୍ରତ୍ୟାହୃତ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଦାଶ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପ୍ରାଣବନ୍ଧୁ ପଲେଇ, ସତ୍ୟରଞ୍ଜନ ବେହେରା, ଦେବେନ୍ଦ୍ର ନାଥ ନାୟକ, ରତିକାନ୍ତ ଖୁଣ୍ଟିଆ, ହରିଚନ୍ଦନ ଦାସ, ମିରାଜ ଖାନ୍, ଶ୍ରୀବତ୍ସ ମଲ୍ଲିକ, ଗୌର ମୋହନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।