ମହିଳା ସଶକ୍ତୀକରଣ ନେଇ ‘ଫିକି’ର ବୈଠକରେ ମିସନ ଶକ୍ତି କମିସନର କହିଛନ୍ତି, ‘ମହିଳାଙ୍କ ସ୍ବର ଶୁଣିବା ମିସନ ଶକ୍ତିର ପ୍ରକୃତ ଲକ୍ଷ୍ୟ। ମହିଳାମାନଙ୍କୁ କେବଳ ଆୟର ଉତ୍ସ ପ୍ରଦାନ କରିବା ଏକମାତ୍ର ଉଦ୍ଦେଶ୍ୟ ନୁହେଁ। ସେମାନଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟ ମଧ୍ୟ ରଖାଯାଇଛି। ସେମାନଙ୍କୁ ଆମେ ସ୍ବର ପ୍ରଦାନ କରିବାକୁ ଚାହୁଁଛୁ। କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ନାଗରିକ ସମାଜ ପର୍ଯ୍ୟନ୍ତ ସବୁ ସ୍ଥାନରେ ସେମାନେ ଯେଭଳି ନିଜର ସ୍ବର ଉତ୍ତୋଳନ କରିପାରିବେ, ସେମାନଙ୍କୁ ସେଭଳି ପ୍ରସ୍ତୁତ କରାଯିବ। ମହିଳାମାନେ ନିର୍ଭୟ ହେଲେ ହିଁ ଏହା ସମ୍ଭବପର ହେବ। ଆର୍ଥିକ ଦିଗ ସହିତ ବୌଦ୍ଧିକ ତଥା ସାଂସ୍କୃତିକ ଦିଗରୁ ସେମାନେ ସକ୍ରିୟ ହେଲେ ହିଁ ଏହା ସମ୍ଭବପର ହେବ।’
Sambad is now on WhatsApp
Join and get latest news updates delivered to you via WhatsApp
ମିସନ ଶକ୍ତିର ଅଧୀନରେ ଥିବା ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନିରନ୍ତର ଆୟର ଉତ୍ସ ସୃଷ୍ଟି କରିବା ଲାଗି ଯେଉଁ ପରିକଳ୍ପନା କରାଯାଇଛି, ତାହା କେତେ ଲକ୍ଷ ମହିଳାଙ୍କୁ କିଛି କିଛି ଆୟର ସ୍ରୋତ ପ୍ରଦାନ କରିଛି ନିଶ୍ଚୟ। ତେବେ ତାହା ଅନେକଙ୍କୁ ଯଥାର୍ଥ ଭାବରେ ଆର୍ଥିକ ଦିଗରୁ ସ୍ବାବଲମ୍ବୀ କରିପାରିନାହିଁ। ଏ ଦିଗରେ ଆହୁରି କିଛି କରିବାର ଅଛି। ଏହା ସହିତ ଯାହା ମହିଳାଙ୍କୁ ବୌଦ୍ଧିକ ତଥା ସାଂସ୍କୃତିକ ଦିଗରୁ ଉନ୍ନତ ସ୍ତରକୁ ନେବ, ସେ ଦିଗରେ ଆମେ ପଛରେ ଅଛେ। ଏହାର ଏକ ମୁଖ୍ୟ କାରଣ ଓଡ଼ିଶାର ଜନସଂଖ୍ୟାର ୪୦ ଶତାଂଶ ହେଉଛନ୍ତି ତଫସିଲଭୁକ୍ତ ଜାତି ଓ ଜନଜାତିର। ନାରୀ ଶିକ୍ଷା ଦିଗରେ ସାଧାରଣ ବର୍ଗଙ୍କ ମଧ୍ୟରେ ଏବେ ବି ଯଥେଷ୍ଟ ଅଗ୍ରଗତି ହୋଇନାହିଁ। ତେବେ, ଗାଁ ପାଖରେ ଉଚ୍ଚ ବିଦ୍ୟାଳୟମାନ ହୋଇଥିବାରୁ ଝିଅମାନଙ୍କ ମଧ୍ୟରୁ ଅନେକ ମାଟ୍ରିକ ପର୍ଯ୍ୟନ୍ତ ପଢିଲେଣି। କିନ୍ତୁ, ଯେଉଁ ଶିକ୍ଷା ସେମାନଙ୍କୁ ସ୍ବାବଲମ୍ବୀ କରନ୍ତା, ସେଭଳି ଶିକ୍ଷା ସେମାନେ ପାଇପାରୁ ନାହାନ୍ତି। ପୁଣି ଉଚ୍ଚତର ଶିକ୍ଷା ଲାଗି ଅଧିକାଂଶ ଝିଅଙ୍କର ତ ସୁବିଧା ନ ଥାଏ। ଆର୍ଥିକ ଦାୟ ଛଡ଼ା ଝିଅଟି ଘରୁ ବାହାରିଲେ ଅଭିଭାବକମାନେ ସେମାନଙ୍କ ନିରାପତ୍ତା ସମ୍ପର୍କରେ ନିଶ୍ଚିତ ନ ଥା’ନ୍ତି। ପୁଣି ଚିନ୍ତା କରାଯାଏ ଝିଅ ଅଧିକ ପଢ଼ିଲେ ବାପାମାଆଙ୍କ ପଡ଼ନ୍ତି ବେଳକୁ ତ ସେମାନଙ୍କୁ ପୋଷିବ ନାହିଁ; ବରଂ ତା’ ପାଇଁ ଅଧିକ ଶିକ୍ଷିତ ବର ଦରକାର, ଅଧିକ ଯୌତୁକ ଦେବାକୁ ପଡ଼ିବ। ଏହି ସବୁ କାରଣରୁ ନାରୀମାନଙ୍କ ବୌଦ୍ଧିକ ତଥା ସାଂସ୍କୃତିକ ବିକାଶର ପଥ ସହଜ ନୁହେଁ। ଏଭଳି ଆନୁଷ୍ଠାନିକ ଶିକ୍ଷା ଛଡ଼ା ଅଣଆନୁଷ୍ଠାନିକ ଶିକ୍ଷାର ଅଧିକ ମହତ୍ତ୍ବ ରହିଛି। ମହିଳାମାନେ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ଅଧିକ ସମ୍ପୃକ୍ତ ହେଲେ ଏହା ହୋଇପାରନ୍ତା; ଯାହା କେରଳ, ବଙ୍ଗଳା ଓ ଗୁଜରାଟ ଭଳି ରାଜ୍ୟରେ ଦେଖାଯାଏ। ଓଡ଼ିଶାରେ ଯେଉଁସବୁ ଆନ୍ଦୋଳନ ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ମହାରଣା ଓ ପାର୍ବତୀ ଗିରି ଆଦି ଆରମ୍ଭ କରିଥିଲେ, ସେହି ଆନ୍ଦୋଳନରୁ ବାହାରିଛନ୍ତି ତୁଳସୀ ମୁଣ୍ଡା ଓ କେଶବତୀ ପ୍ରଧାନଙ୍କ ଭଳି ସ୍ବଳ୍ପ ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ନାରୀ ନେତ୍ରୀ; ଯେଉଁମାନେ ଦେଶର ମୁଖ୍ୟ ସମସ୍ୟା ସମ୍ପର୍କରେ ଅବହିତ ହେବା ସଙ୍ଗେ ସଙ୍ଗେ ସେସବୁର ସମାଧାନ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗୋପବନ୍ଧୁ ଚୌଧୁରୀ ସପରିବାର ବରୀ ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବରେ ବାଛିଥିଲେ। ପରେ ତାଙ୍କ ପରିବାରର ସମସ୍ତେ ଜନସାଧାରଣଙ୍କ ସହିତ ମିଶିଥିଲେ। ସେତେବେଳେ ସାଧାରଣ ଲୋକେ ସଭାରେ ଯୋଗ ଦେବାକୁ ଡରୁଥିଲେ। ଥରେ କଂଗ୍ରେସ ଆନ୍ଦୋଳନ ସହିତ ସମ୍ପୃକ୍ତ କର୍ମୀମାନଙ୍କ ସଭାକୁ କିଛି ମହିଳାଙ୍କ ଉପସ୍ଥିତି ଲାଗି ଉଦ୍ୟମ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରୁ ଚାରି ଜଣ ମୁଖ୍ୟ କର୍ମୀଙ୍କ ସହଧର୍ମିଣୀ ପୂରା ଓଢ଼ଣା ପକାଇ ମୁଣ୍ଡକୁ ତଳକୁ କରି ସେଥିରେ ଯୋଗ ଦେଇଥିଲେ।
ତାହା ତୁଳନାରେ ଏବେ ସଭାମାନଙ୍କରେ ହଜାର ଗୁଣରୁ ଅଧିକ ମହିଳାଙ୍କୁ ଦେଖିବାକୁ ମିଳୁଛି। ସେମାନେ ଊଣାଅଧିକ ଆନୁଷ୍ଠାନିକ ଶିକ୍ଷା ପାଇଛନ୍ତି। କିନ୍ତୁ ନିଜର କିଛି ବ୍ୟକ୍ତିଗତ ଫାଇଦା ଛଡ଼ା ସମାଜର କିଛି ସମସ୍ୟା ସମ୍ପର୍କରେ ସେମାନେ ମୁଣ୍ଡ ଖେଳାନ୍ତି ନାହିଁ। ସେହିଭଳି ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ମହିଳାମାନଙ୍କୁ ଦେଖିବାକୁ ମିଳୁଛି। ଏ ଦିଗରେ ଓଡ଼ିଶା କିଛି ଆଗରେ ରହିଛି। ଓଡ଼ିଶା ବିଧାନସଭାରେ ଓ ସଂସଦରେ ବିଜେଡି ତରଫରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ମହିଳା ସ୍ଥାନିତ ହୋଇଛନ୍ତି। ତେବେ ପଞ୍ଚାୟତମାନଙ୍କରେ ପ୍ରତିଷ୍ଠିତ ହୋଇଥିବା ମହିଳା ସରପଞ୍ଚମାନଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ସେମାନଙ୍କ ସ୍ବାମୀ ବା ପୁଅ ସବୁତକ କାମ ଚଳାନ୍ତି, ଆଉ ସରପଞ୍ଚ ରହନ୍ତି କା’ହୋଇ। ଆଉ ବିଧାନସଭା ଓ ସଂସଦକୁ ନିର୍ବାଚିତ ହୋଇଥିବା ମହିଳାଙ୍କ ସ୍ବର କେତେ ଶୁଣୁ? ଯାହାବା ଶୁଣୁ ତହିଁରେ ମହିଳାଙ୍କ ମୁଖ୍ୟ ସମସ୍ୟା କଥା ନ ଥାଏ। କିଛି ମହିଳା ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ପଦ ପାଇ ପାରିଥିଲେ ବି ସାମୂହିକ ଦିଗରୁ ଏବେ ବି ମହିଳାଙ୍କ ସ୍ବର ଘରର ଚାରିକାନ୍ଥ ବାହାରକୁ ଶୁଭେନାହିଁ। ରାତିରେ ଖୁବ୍ ବାଡ଼ିଆପିଟା ହେବାର ଶବ୍ଦ ଶୁଣି ପଡ଼ୋଶୀମାନେ ଦୌଡ଼ି ଆସିଲେ ଘରର ପୁରୁଷ ମୁରବି କହନ୍ତି ଏଇଟା ଆମର ଘରୋଇ ବ୍ୟାପାର। ଆପଣମାନେ ଏଥିରେ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ। ଖାଲି ସାଧାରଣ ପରିବାରରେ ନୁହେଁ; ପ୍ରଖ୍ୟାତ କବି, ପ୍ରସିଦ୍ଧ ଶାସକ ଓ ପ୍ରମୁଖ ସମାଜସେବୀମାନଙ୍କ ଘରର କଥା ବି ଏୟା। ମହିଳା ସଶକ୍ତୀକରଣ ଦିଗରେ ମିସନ ଶକ୍ତି ଆନୁକୂଲ୍ୟରେ ମହିଳାମାନଙ୍କ ଆୟ ଯେତିକି ବଢେ, ସେଥିରୁ ବେଶ୍ ବଡ଼ ଅଂଶ ସ୍ବାମୀମାନଙ୍କ ମଦ ଖିଆରେ ଯାଏ। ବୁଢୀ ମା’ର ବିଧବା ଭତ୍ତା ବା ବାର୍ଦ୍ଧକ୍ୟ ପେନସନରୁ କିଛି ନ ଦେଲେ ସେ ପୁଅଠାରୁ ମାଡ଼ ଖାଏ। ଗତ କିଛିବର୍ଷ ଧରି ମଦ ପ୍ରସାରଣରେ ଅତିଷ୍ଠ ହୋଇ କିଛି ମହିଳା ମଦ ଦୋକାନ ଭାଙ୍ଗିଛନ୍ତି, ପୋଡ଼ିଛନ୍ତି ଓ ସଭା ସମାବେଶ ଜରିଆରେ ବିକ୍ଷୋଭ କରିଛନ୍ତି ଏବଂ ମଦ ବ୍ୟବସାୟୀ ଗୁଣ୍ଡାଙ୍କ ଠାରୁ ମାଡ଼ ଖାଇଛନ୍ତି ଓ ମରିଛନ୍ତି। ଏଥିରେ ସାଧାରଣତଃ ତଫସିଲଭୁକ୍ତ ଜାତି ଓ ଉପଜାତିର ମହିଳାମାନେ ଆଗୁଆ। ଏମାନଙ୍କ ପକ୍ଷରେ ଚାଷୀମାନଙ୍କ ଭଳି ଲଗାତର ମାସ ମାସ ଧରି ଆନ୍ଦୋଳନ ଚଳାଇବା କଷ୍ଟକର। ପ୍ରତିଦିନ କିଛି ରୋଜଗାର ନ କଲେ ପରିବାର ଅଚଳ। ଏହି ଆନ୍ଦୋଳନ ସତ୍ତ୍ବେ ସରକାରଙ୍କ ତରଫରୁ ମଦ ଦୋକାନ କମିବା ପରିବର୍ତ୍ତେ ଅଧିକ ହୋଇଛି।
ନେତାମାନେ କ୍ଷମତା ପାଇଁ ଏ ଦିଗକୁ ଆଖିବୁଜି ଦେଇଛନ୍ତି, ତାହା ନୁହେଁ; ମଦର ଏକ ଶକ୍ତିଶାଳୀ ଲବି ରହିଛି; ଯାହାଦ୍ୱାରା ପ୍ରଶାସନ ଓ ଗଣମାଧ୍ୟମ ବି ପ୍ରଭାବିତ। ଏହା ସତ୍ତ୍ବେ ଅବଶ୍ୟ ମଦ୍ୟପ ବାପାର ଅତ୍ୟାଚାର ସହି ନ ପାରି ପୁଅ ବାପାକୁ ମାରିବା, ମଦ୍ୟପାନ କରି ନିଜ ସାଙ୍ଗକୁ ମାରିଦେବା ଖବର ବାହାରୁଛି। ଆଉ ମଦ୍ୟପ ନିଜ ସ୍ତ୍ରୀକୁ ମାରିଦେବା ତ ଅତି ସାଧାରଣ ଖବର। ଅତ୍ୟଧିକ ମଦ୍ୟ ପାନ ଯୋଗୁ ନାନା ପ୍ରକାର ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଅକାଳରେ ମରିବା ଫଳରେ ଅଧା ବୟସରୁ ଝିଅମାନେ ବିଧବା ହେଉଛନ୍ତି।
ମା’ମାନଙ୍କ ଏଭଳି ଦୁଃଖ ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁ ନାହିଁ। ମହିଳାମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ସବୁ ଭଲ କାମର ସୁଫଳ ମା’ମାନେ ଭୋଗ କରିପାରୁ ନାହାନ୍ତି। ଅନ୍ୟ କେହି ମା’ମାନଙ୍କ ଦୁଃଖ ବୁଝିପାରିବେ ନାହିଁ। ତେଣୁ ସେମାନେ ଗୋଟିଏ ଗୋଟିଏ ପୋଷ୍ଟକାର୍ଡରେ ବା ଅନ୍ୟ ବାଟରେ ତାଙ୍କର ଏ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ। ସେହି ବାଟରେ ସେମାନଙ୍କର ସ୍ବର ଗାଁରୁ ବାହାରି ରାଜଧାନୀରେ ପହଞ୍ଚୁ। ଲକ୍ଷ ଲକ୍ଷ ମହିଳାଙ୍କ ମନର କଷଣ ଏହି ବାଟେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ ସେ କିଛି କରନ୍ତେ। ତେଣୁ ପଦାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଗୁରୁତ୍ବ ବୁଝାଇବାରେ ଆଗ୍ରହୀ ହେଲେ ହିଁ ମହିଳାମାନଙ୍କର କାଳ ରାତିର ଅବସାନ ଘଟିବ।
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି
ମୋ- ୯୩୪୮୦୧୦୩୮୪