ରାଜଧାନୀ ରାଜରାସ୍ତାରେ ସାହସ ଦେଖାଇଲେ ଯୁବତୀ, ଲୁଟେରାଙ୍କ ବାଇକ୍କୁ ଗୋଇଠା ମାରି କାବୁ କଲେ
ଆପଲ ଫୋନ୍ ଛଡ଼ାଇଥିବା ଜଣେ ଧରାପଡ଼ିଲା, ସହଯୋଗୀ ଖସିଗଲା
ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ସବୁଠୁ ବେଶି ଅସୁରକ୍ଷିତ ହୋଇ ପଡ଼ିଛନ୍ତି ମହିଳା। ପ୍ରତିଦିନ କେଉଁଠି ନା କେଉଁଠି ସୁନାଚେନ୍, ଭ୍ୟାନିଟି, ମୋବାଇଲ ଫୋନ୍ ଲୁଟ୍ର ଶିକାର ହେଉଛନ୍ତି। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରେ ସାହସ ପ୍ରଦର୍ଶନ କରି କଟକର ଜଣେ ଯୁବତୀ ତାଙ୍କ ଦାମୀ ମୋବାଇଲ ଫୋନ୍ ଛଡ଼ାଇ ପଳାଇ ଯାଉଥିବା ଜଣେ ଲୁଟେରାକୁ କାବୁ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ବାଇକ୍ ସହ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରାଙ୍କୁ ଧରିଥିବା ଯୁବତୀ ତାଙ୍କ ମୋବାଇଲ ଫୋନ୍ ଫେରି ପାଇଛନ୍ତି। ଗିରଫ ଲୁଟେରା ସାଲିଆସାହି ଏକାମ୍ର ଭିଲ୍ଲା ଅଞ୍ଚଳର ଚନ୍ଦନ ବେହୁରିଆ ବୋଲି ଜଣାପଡ଼ିଛି। ତେବେ ତାର ସହଯୋଗୀ ରଞ୍ଜିତ କୁମାର ଫେରାର ହୋଇଯାଇଛି। ପ୍ରାୟ ୯ ମାସ ତଳେ ଜଣେ ଯୁବତୀ ଖଣ୍ଡଗିରି ଡୁମୁଡୁମାରେ ଲୁଟେରାଙ୍କ ସହ ରକ୍ତାକ୍ତ ସଂଘର୍ଷ କରି ଦୁଇ ଲୁଟେରାଙ୍କୁ କାବୁ କରିଥିବାବେଳେ ଏବେ ଏହି ଯୁବତୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଲୁଟେରାଙ୍କୁ ଧରିଥିବା ଯୁବତୀ ହେଲେ କଟକ ବାଦାମବାଡ଼ି ଥାନା ଝାଞ୍ଜିରିମଙ୍ଗଳା ଅଞ୍ଚଳର ପ୍ରଜ୍ଞା ରାୟ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସେ କିଟ୍ ଛକରୁ ଏକ ଅଟୋରେ ଜୟଦେବ ବିହାର ଯାଉଥିଲେ। ନାଲକୋ ଛକ ନିକଟରେ ଦୁଇ ଜଣ ଯୁବକ ବାଇକ୍ରେ ଆସି ଅଟୋ ପାଖରେ ପହଞ୍ଚିଥିଲେ। ସେମାନଙ୍କ ଭିତରୁ ଜଣେ ଅଟୋରେ ବସିବା ସହ ଜୟଦେବବିହାର ଯିବ ବୋଲି ବାହାନା କରିଥିଲା। କିନ୍ତୁ ଆଖିପିଛୁଳାକେ ସେ ପ୍ରଜ୍ଞାଙ୍କ ହାତରେ ଥିବା ଦାମୀ ଆଇଫୋନ୍ଟିକୁ ଝାମ୍ପି ନେଇ ପୂର୍ବରୁ ବାଇକ୍ରେ ବସିଥିବା ସହଯୋଗୀର ପଛରେ ଯାଇ ବସି ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ବାଇକ୍ ଷ୍ଟାର୍ଟ ହୋଇ ନ ଥିଲା। ଏହା ଦେଖି ପ୍ରଜ୍ଞା ଅଟୋରୁ ଓହ୍ଲାଇ ଲୁଟେରାର ପିଛା କରିଥିଲେ ଏବଂ ସେମାନଙ୍କ ବାଇକ୍କୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ବାଇକ୍ ସହ ଦୁଇ ଲୁଟେରା ମଧ୍ୟ ତଳେ ପଡ଼ି ଯାଇଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା ଆଉ କିଛି ଲୋକ ମାଡ଼ି ଆସିଥିଲେ ଏବଂ ପ୍ରଜ୍ଞାଙ୍କ ସହ ମିଶି ଚନ୍ଦନକୁ କାବୁ କରି ନେଇଥିଲେ। କିନ୍ତୁ ଚନ୍ଦନର ସହଯୋଗୀ ଅଞ୍ଜନ ଖସି ଯିବାକୁ ସକ୍ଷମ ହୋଇଥିଲା। ପୁଲିସ ଚନ୍ଦନ ନିକଟରୁରୁ ମୋବାଇଲ ଉଦ୍ଧାର କରି ପ୍ରଜ୍ଞାଙ୍କୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରିଛି। ଫେରାର ହୋଇ ଯାଇଥିବା ଅଞ୍ଜନଙ୍କୁ ଖୋଜା ଯାଉଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସାହସ ଦେଖାଇ ଲୁଟେରାଙ୍କୁ କାବୁ କରିଥିବା ପ୍ରଜ୍ଞାଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।