ରବି ମଣ୍ଡି: ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ ୩୭ହଜାର କୁଇଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ

୧୯୩୭୧ ପଂଜୀକୃତଙ୍କ ମଧ୍ୟରୁ ୨୧୦୪ ବାଦ୍ ପଡ଼ିବେ, ପଂଜୀକୃତ ୧୦ହଜାର ପ୍ଲଟରୁ ୯ହଜାର ଖାଲି ପ୍ଲଟ-ଡିଆରସିଏସ୍

ଜୟପୁର:  ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ କୋରାପୁଟ ଜିଲ୍ଲାର ରବି ମଣ୍ଡି। ୧୬ଟି ଲ୍ୟାମ୍ପ , ୧୫ଟି ମହିଳା ସ୍ବୟଂ ସହାୟକ ଦଳ ଓ୨ଟି ପାଣିପଂଚାୟତ ମାଧ୍ୟମରେ ୩୬ଟି ମଣ୍ଡିରେ ଧାନ କ୍ରୟ କରାଯିବ । ଏଥରକ ୧୦ହଜାର ୬୫୪ଜଣ ପୁରୁଣା ଚାଷୀ ପୁନଃ ପଂଜୀକରଣ କରିଛନ୍ତି।  ଏବଂ ନୂଆରେ ୮ହଜାର୭୧୭ଜଣ  ଏଭଳି ୧୯ହଜାର ୩୭୧ଚାଷୀ ପଂଜୀକରଣ କରିଛନ୍ତି। ତେବେ ଡିଆରସିଏସଙ୍କ ଯାଂଚ ବେଳେ ଏମାନଙ୍କ ମଧ୍ୟରୁ ୨୧୦୪ଜଣ ପଂଜୀକୃତ ଚାଷୀ ବାଦ୍ ପଡ଼ିବେ ବୋଲି ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଜିଲ୍ଲାର ଜୟପୁର ଉପଖଣ୍ଡରେ କୋଲାବ କେନାଲର ପାଣି ଓ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ପାଣି ମାଡ଼ୁଥିବାରୁ ରବି ଚାଷ ଅଧିକା ହେଉଛି। ସେଭଳି କୋରାପୁଟ ଉପଖଣ୍ଡରେ ବି ଅଳ୍ପ ଧାନ ହେଉଛି।  ରାଜ୍ୟସରକାର ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାରୁ ୧୦ଲକ୍ଷ ୩୭ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଛନ୍ତି। ଗତ ବର୍ଷ ପରି ଜିଲ୍ଲାରେ ଥିବା ମିଲର୍ସଙ୍କ ସହ ଅନ୍ୟ ଜିଲ୍ଲାର ମିଲର୍ସ ମଧ୍ୟ କ୍ରୟକାରୀ ସଂସ୍ଥା ନିକଟରୁ ଧାନ  ନେଇ ଚାଉଲ ଦେବେ। ତେବେ ମିଲର୍ସ ମାନଙ୍କ ସହ  ଏବେ ପର୍ଯ୍ୟନ୍ତ ଚୁକ୍ତିନାମା ପ୍ରକ୍ରିୟା କିଛି ଆରମ୍ଭ ହୋଇ ନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ମଣ୍ଡିରେ ଧାନ ବିକ୍ରୀ ପାଇଁ ପଂଜୀକୃତ  ଚାଷୀଙ୍କର ସର୍ଭେ ସାରି  ଡିଆରସିଏସ୍ ବି ସଂପୂର୍ଣ୍ଣ ରିପୋର୍ଟ ଦେଇ ନାହାନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ରାଜ୍ୟସରକାରଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆଂଚଳିକ ସମବାୟ ସମିତି (ଡିଆରସିଏସ୍ ) ପକ୍ଷରୁ ସଂପ୍ରତି ପଂଜୀକୃତ ହୋଇଥିବା ସମସ୍ତ ୧୯ହଜାର ୩୭୧ଜଣ ଚାଷୀଙ୍କର ୩୦ହଜାର ୯୦୦ପ୍ଲଟ ଜମିର ସର୍ଭେ କାମ ସମବାୟ ବିଭାଗର ୧୦୩ଜଣ କର୍ମଚାରୀଙ୍କ ଦ୍ବାରା ଚାଲିଥିବା କହିଛନ୍ତି ଡିଆରସିଏସ୍ ସିଏଚ୍ ଭବାନୀ ପ୍ରସାଦ । ଏମାନେ କ୍ଷେତ୍ର ପରିଦର୍ଶନ କରି ପ୍ଲଟର ଫଟୋ ଉଠାଇ ସ୍ବତନ୍ତ୍ର ଆପ୍ ଦ୍ବାରା ଗୁଗୁଲରେ ଅଫଲୋଡ୍ କରିବା ସହ ସାଟେଲାଇଟ ମାଧ୍ୟମରେ ଉଠାଯାଇଥିବା ଫଟୋ ସହ ମେଳ ଖୁଆଉଛନ୍ତି। ସେପରି ଆରଆଇ(ରାଜସ୍ବ ନିରୀକ୍ଷକ) ମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରି କେଉଁ ପ୍ଲଟରେ  ଏବଂ କେଉଁ ଚାଷୀ କେତେ ପରିମାଣର ଜମି ଚାଷ କରିଛନ୍ତି ତାହାର ରିପୋର୍ଟ ବି ଦେଇଛନ୍ତି ବୋଲି କହିଛନ୍ତି ଡିଆରସିଏସ୍।

ପଂଜୀକୃତ ୧୯ହଜାର ୩୭୧ଜଣ ଚାଷୀଙ୍କର ୩୦ହଜାର ୯୦୦ପ୍ଲଟ ମଧ୍ୟରୁ ୧୦ହଜାର ପ୍ଲଟର ସର୍ଭେ ସରିଛି। ୧୦ହଜାରରୁ ମାତ୍ର ଏକ ହଜାର ପ୍ଲଟରେ ହିଁ ରବି ଚାଷ କରାଯାଇଥିବା ବେଳେ ବଳକା ୯ହଜାର ପ୍ଲଟ୍ ଖାଲି ଜମି (ଚାଷ ହୋଇନି) ବୋଲି ସର୍ଭେ ବେଳେ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଡିଆରସିଏସ୍ । ମିଳିଥିବା ସର୍ଭେ ରିପୋର୍ଟ ଅନୁଯାୟୀ ସଂଧ୍ୟା ସାଢ଼େ ୭ଟା ଯାଏଁ ଜିଲ୍ଲାର ୨୧୦୪ଜଣ ଚାଷୀଙ୍କର ପଂଜୀକରଣକୁ ବ୍ଲକ୍ (ବାଦ୍ ) କରାଯାଇଛି ବୋଲି କହିଛନ୍ତି ଡିଆରସିଏସ୍ । ବହୁ ଚାଷୀ ନିଜ ନିକଟରେ ଥିବା ସବୁ ଜମିରେ ରବି ଚାଷ କରୁ ନାହାନ୍ତି। ଅଳ୍ପ କିଛି ପ୍ଲଟରେ ଚାଷ କରୁଥିଲେ ହେଁ ମଣ୍ଡିରେ ଧାନ ବିକ୍ରୀ ପାଇଁ ସବୁ ଜମି (ସବୁ ପ୍ଲଟ)କୁ ଚାଷ କରୁଥିବା ଦର୍ଶାଇ ପଂଜୀକରଣ କରି ଦେଉଛନ୍ତି। ଏହା କ୍ଷେତ୍ରକୁ ଯାଇ ଯାଂଚ କରିବା ସମୟ ସାପେକ୍ଷ ହେଉଛି। ଯାଂଚ ସମୟରେ ଚାଷୀଙ୍କ ଉପସ୍ଥିତି, ଇଣ୍ଟରନେଟ୍ର ସିଗନାଲ୍  ରହିବା , ଏବଂ ଠିକ ପ୍ଲଟର ଫଟୋ ଉଠାଇଲେ ଯାଇ ଆପ୍ ମାଧ୍ୟମରେ ସାଟେଲାଇଟ୍ ଗ୍ରହଣ କରୁଛି। ଏସବୁ ସମସ୍ୟା ଯୋଗୁଁ ସର୍ଭେରେ ସାମାନ୍ୟ ବିଳମ୍ବ ହେଉଛି ବୋଲି କହିଛନ୍ତି ଡିଆରସିଏସ୍। ବଳକା ୨୦ହଜାର ୯୦୦ପ୍ଲଟର ସର୍ଭେ ଆଉ ସପ୍ତାହକ ମଧ୍ୟରେ ସରିବ ବୋଲି କହିଛନ୍ତି ଡିଆରସିଏସ୍ ।

ସମ୍ବନ୍ଧିତ ଖବର