ବସ୍ତା-୨/ରୁପ୍ସା/ବାହାର୍ଦ୍ଦା/ଗାନ୍ଧିଛକ/ଦରଡ଼ା : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଶୁକ୍ରବାର ଦିନ ରଥଟଣା ବେଳେ ଘଟିଛି ଅଘଟଣ। ଲୁହା ତିଆରି ରଥ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବସ୍ତା ଥାନା ଗୁଡ଼ିଖାଳ ମଠରେ ଗ୍ରାମବାସୀଙ୍କ ଦ୍ବାରା ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରାର ଆୟୋଜନ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବା ପରେ ଅପରାହ୍ନରେ ଗାଁ ଲୋକେ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ରଥ ଟାଣିବା ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୫୦ ବେଳକୁ ରଥଟି ରାସ୍ତା ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତାସଂପନ୍ନ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ରଥ ନିର୍ମାଣରେ ଲୁହାପାତ ଲାଗିଥିବାରୁ ତାହା ନିମିଷକେ ଚାର୍ଜ ହୋଇ ଯାଇଥିଲା। ଫଳରେ, ରଥ ଉପରେ ଥିବା ସେବାୟତ, ଭକ୍ତ ଓ ରଥ ଟାଣୁଥିବା ଶ୍ରଦ୍ଧାଳୁଙ୍କୁ ଜୋରଦାର୍ ବିଦ୍ୟୁତ୍ ଝଟ୍କା ଲାଗିଥିଲା। ରଥ ଲୁହାପାତକୁ ଧରିଥିବା ଅନେକ ଭକ୍ତ ଆହତ ମଧ୍ୟ ହୋଇଥିଲେ। କିଛି ଆହତଙ୍କୁ ସେମାନଙ୍କ ସଂପର୍କୀୟମାନେ ନିଜ ଉଦ୍ୟମରେ ଡାକ୍ତରଖାନା ନେଇଥିବା ବେଳେ ୧୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଆଗରଡ଼ା ଗ୍ରାମର ଅନୀଲ ସାହୁ (୩୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୧୧ ଜଣ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗୁଡ଼ିଖାଳ ଗ୍ରାମର ଶ୍ରୀପତି ନାୟକ (୬୮), କୁଳିଦା ଗ୍ରାମର ଦୀପୁ ପରମାଣିକ (୧୩), ରତିକାନ୍ତ ପରମାଣିକ (୨୯), ଭବେଶ ଶଙ୍କର ସାମଲ (୧୨) ଓ ଜ୍ୟୋତିପ୍ରକାଶ ବାରିକ (୧୩)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ବାଲେଶ୍ବର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।