ରାଜ୍ୟର ୬ ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟଠାରୁ ଅଧିକ
ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାର ଉପରେ ଜାରି ରହିଛି। ଏବେ ସବୁ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚତୁର୍ଥ ଲହରରେ ଖୋର୍ଧା, କଟକ ଜିଲ୍ଲା ହଟ୍ସ୍ପଟ୍ ଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଧାକୁ ଟପି ଯାଇଛି। ମାତ୍ର ଗତ କିଛିଦିନ ହେବ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ଘଣ୍ଟାରେ ରାଜ୍ୟରେ ୨୦,୮୧୩ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟର ସଂକ୍ରମଣ ହାର ରହିଛି ୪.୯୫ ପ୍ରତିଶତ। ହେଲେ ୬ଟି ଜିଲ୍ଲାରେ ଏହା ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି। ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ସଂକ୍ରମଣ ହାର ବେଶ୍ ଉଚ୍ଚ ରହିଛି। ନମୁନା ପରୀକ୍ଷା ସଂଖ୍ୟା ଅପେକ୍ଷାକୃତ ବଢ଼ିଥିଲେ ହେଁ ସଂକ୍ରମଣ ହାର କମୁନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା କାରଣରୁ ଏବେ ପ୍ରତ୍ୟେକ ଦିନ କୋଭିଡ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଉଛି।
ରାଜ୍ୟରେ ଆଉ ୧୦୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୭, ଖୋର୍ଧା ୧୬୪, ମୟୂରଭଞ୍ଜ ୧୧୦, ସମ୍ବଲପୁର ୭୭, କଟକ ୫୦, ସୋନପୁର ୩୯, ବଲାଙ୍ଗୀର ୩୫ ଓ ଷ୍ଟେଟ୍ ପୁଲରୁ ୩୬ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୦,୧୧୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ସରକାରୀ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତମାନସୁଦ୍ଧା ୩୧୨୭ଜଣଙ୍କ ମୃତ୍ୟୁ ହେଲାଣି। ଅପରପକ୍ଷରେ ଆଜି ୧୨୦୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୭୬୮କୁ ଖସି ଆସିଛି। ଖୋର୍ଧା, ସୁନ୍ଦରଗଡ଼ରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।