ପାନ୍-ଆଧାର ଲିଙ୍କ୍‌ ମହଲତ ୬ ମାସ ବଢ଼ିଲା

ନୂଆଦିଲ୍ଲୀ: ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପାନ୍‌) ସହିତ ଆଧାର ଲିଙ୍କ୍‌ ଅବଧିକୁ କେନ୍ଦ୍ର ‌ସରକାର ଆଉ ଛଅ ମାସ ବଢ଼ାଇ ଦେଇଛନ୍ତି। ଟିକସଦାତାମାନେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେମାନଙ୍କ ପାନ୍ ସହିତ ଆଧାରକୁ ଲିଙ୍କ୍‌ କରାଇପାରିବେ। ପାନ୍‌-ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ଭାବେ ମାର୍ଚ ୩୧କୁ ଧାର୍ଯ୍ୟ କରାଯାଇଥିଲା। ଆଜି ସେହି ମହଲତ ଶେଷ ହେଉଥିଲା। କିନ୍ତୁ ସରକାର ଏହି ଅବଧିକୁ ଆଉ ଛଅ ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ମାମଲାକୁ ସରକାର ବିଚାରକୁ ନେଇଛନ୍ତି ଏବଂ ପାନ୍-ଆଧାର ଲିଙ୍କ୍‌କୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏପ୍ରିଲ୍ ୧ ପରଠାରୁ ଯେଉଁମାନେ ଟିକସ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆଧାର ନମ୍ବର ଲିଙ୍କ୍‌ କରାଇବାକୁ ପଡ଼ିବ। ଯେଉଁମାନଙ୍କୁ ଏକ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଛି ସେମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ରହିବ ନାହିଁ।

ଏହା ପୂର୍ବରୁ ସରକାର ପାନ୍-ଆଧାର ଲିଙ୍କ୍‌ ଅବଧିକୁ ଅନେକ ଥର ବଢ଼ାଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଯେ ପାନ୍ ସହିତ ଆଧାର ନମ୍ବର ଲିଙ୍କ୍‌ କରିବା ବାଧ୍ୟତାମୂଳକ। ଯେହେତୁ ପୂର୍ବ ଘୋଷଣା ଅନୁସାରେ ଏହି ଦୁଇ ନମ୍ବରକୁ ଲିଙ୍କ୍‌ କରିବା ଅବଧି ଆଜି ଶେଷ ହେଉଥିଲା ଏବଂ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନଥିଲା, ସେଥିପାଇଁ କେତେକ ଗଣମାଧ୍ୟମରେ ଏହାକୁ ନେଇ ବିଭ୍ରାନ୍ତୀକର ରିପୋର୍ଟ ପ୍ରକାଶ ପାଇଥିଲା। କିଛି ରିପୋର୍ଟରେ କୁହାଯାଇଥିଲା ଯେ ଯେଉଁମାନେ ପାନ୍ ସହ ଆଧାର ଲିଙ୍କ୍‌ କରାଇନାହାନ୍ତି ସେମାନଙ୍କ ପାନ୍ ଏପ୍ରିଲ୍ ୧ରୁ ଅଚଳ ହୋଇଯିବ। ଏହି ସବୁ ରିପୋର୍ଟକୁ ବିଚାରକୁ ନେଇ ସରକାର ପାନ୍-ଆଧାର ଲିଙ୍କ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର