ଜିଏସ୍‌ଟି ଆଦାୟ ପୁଣି କମିଲା

ଜୁଲାଇରେ ଥିଲା ୯୫ ହଜାର କୋଟି, ନଭେମ୍ବରରେ ୮୦ ହଜାର କୋଟିକୁ ହ୍ରାସ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ କ୍ରମାଗତ ଦ୍ୱିତୀୟ ମାସ ପାଇଁ ହ୍ରାସ ପାଇଛି। ନଭେମ୍ବର ମାସ ପାଇଁ ୮୦,୮୦୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଡିସେମ୍ବର ୨୫ ସୁଦ୍ଧା ଏହି ଟିକସ ଆଦାୟ ହୋଇଛି। ଅକ୍ଟୋବରରେ ୮୩ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ନଭେମ୍ବର ମାସ ପାଇଁ ୫୩ ଲକ୍ଷ ୬ ହଜାର ଟିକସଦାତା ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ଜିଏସ୍‌୍‌ଟିରେ ଦେଖାଦେଇଥିବା ହ୍ରାସ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବ। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ମଧ୍ୟ ରହିବ। ଜୁଲାଇ ୧ରେ ଜିଏସ୍‌ଟି ଲାଗୁ କରିବା ବେଳେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଭବିଷ୍ୟତରେ ଟିକସ ପରିମାଣ ବୃଦ୍ଧି ପାଇବ ତେବେ ବିଭିନ୍ନ ସାମଗ୍ରୀ ଉପରୁ ଟିକସ ପରିମାଣ କମିବ। ଯେହେତୁ ଟିକସ ଆଦାୟରେ ସେଭଳି କୌଣସି ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳୁନାହିଁ, ତେଣୁ ଆଗାମୀ ଦିନରେ ଅନେକ ସାମଗ୍ରୀ ଉପରୁ ଟିକସ ପରିମାଣ କମ୍‌ ହେବାର ମଧ୍ୟ ବହୁତ କମ୍‌ ସମ୍ଭାବନା ରହିଛି।ଜିଏସ୍‌ଟିରେ ଯେତେ ଅଧିକ ଟଙ୍କା ଆଦାୟ ହେବ ସେହି ଅନୁସାରେ ରାଜ୍ୟଗୁଡ଼ିକୁ ସେମାନଙ୍କ ଟିକସ ଭାଗ ମିଳିବ। ଜିଏସ୍‌ଟି ଆଦାୟ କମିବା ଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ସ୍ଥିତି ମଧ୍ୟ ବିଗିଡ଼ିଯିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ମାସରେ କ୍ଷତିପୂରଣ ସେସ୍‌ ବାବଦରେ ୭୭୯୮ କୋଟି ଟଙ୍କା ଆଦାୟ ହୋଇଛି। କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୧୩,୦୮୯ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ବାବଦରେ ୧୮,୬୫୦ କୋଟି ଟଙ୍କା ଓ ସମନ୍ଵିତ ଜିଏସ୍‌ଟି ବାବଦରେ ୪୧, ୨୭୦ କୋଟି ଟଙ୍କା ଆଦାୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇରେ ୯୫ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଅଗଷ୍ଟରେ ତାହା ୯୧ ହଜାର କୋଟି ଟଙ୍କାକୁ ଖସିଯିବା ପରେ ସେପ୍ଟେମ୍ବରରେ ସେଥିରେ ସାମାନ୍ୟ ବୃଦ୍ଧି ହୋଇଥିଲା ଓ ୯୨,୧୫୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଅକ୍ଟୋବରରେ ୮୩ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି।

ସମ୍ବନ୍ଧିତ ଖବର