ଓଡ଼ିଶାରେ ‘ଆମ୍‌ଷ୍ଟ୍ରାଡ୍‌’ର ଏସି, ଟିଭି: ପୁନେରେ ସ୍ଥାପନ କରିବ କାରଖାନା, ନିବେଶ କରିବ ୩୦୦ କୋଟି

ଭୁବନେଶ୍ବର: ଓଡ଼ିଶା ବଜାରରେ ‘ଆମ୍‌ଷ୍ଟ୍ରାଡ୍‌’ ବ୍ରାଣ୍ଡ୍‌ର ଏସି, ଟିଭି ଓ ୱାସିଂ ମେସିନ୍ ବିକ୍ରି ହେଉଛି। ୨୦୧୯ରୁ କାରବାର କରୁଥିବା ଏହି କଂପାନି ରାଜ୍ୟରେ ୨୦୦ରୁ ଅଧିକ ଡିଲର୍‌ଙ୍କ ଜରିଆରେ ଏହାର ସାମଗ୍ରୀଗୁଡ଼ିକୁ ବିକ୍ରି କରୁଛି। ଆମ୍‌ଷ୍ଟ୍ରାଡ୍‌ ହେଉଛି ବ୍ରିଟେନ୍‌ରୁ ସୃଷ୍ଟି ହୋଇଥିବା ଏକ ବ୍ରାଣ୍ଡ୍‌ ଯାହାର ସାମଗ୍ରୀଗୁଡ଼ିକୁ ପୁନେର କଂପାନି ଓଭିଓଟି ପ୍ରାଇଭେଟ୍ ଲିମିଟେଡ୍‌ ବିକ୍ରି କରିବାର ଅଧିକାର ହାସଲ କରିଛି। ଓଭିଓଟିର ଏମ୍‌ଡି ଓ ସିଇଓ ନିପୁଲ୍ ସିଂଘଲ କହିଛନ୍ତି, କଂପାନି କେବଳ ଷ୍ଟୋର୍‌ ଜରିଆରେ ଏହାର ଉତ୍ପାଦ ବିକ୍ରି କରିବ। ଅନ୍‌ଲାଇନ୍‌ରେ ସାମଗ୍ରୀ ବିକ୍ରି କରିବାର କୌଣସି ଯୋଜନା ଆମର ନାହିଁ। ଗ୍ରାହକମାନଙ୍କୁ ଆମେ ଗୁଣାତ୍ମକ ସେବା ଓ ଅତ୍ୟାଧୁନିକ୍ ପ୍ରଯୁକ୍ତିକୁ ପ୍ରିମିୟମ୍ ଉତ୍ପାଦ ଆକାରରେ ସୁଲଭ ମୂଲ୍ୟରେ ପ୍ରଦାନ କରିବାକୁ ପ୍ରୟାସ କରୁଛୁ। କଂପାନି ଏବେ ଆଣ୍ଡ୍ରଏଡ୍‌ ଟିଭି, ୱିଣ୍ଡୋ ଓ ସ୍ପ୍ଲିଟ୍ ଏସି, ଏବଂ ୩୬୦ ଡିଗ୍ରି ୱାସିଂ ମେସିନ୍ ବିକ୍ରି କରୁଛି। ଏହାର ୱାସିଂ ମେସିନ୍‌ରେ ଷ୍ଟିମ୍ ଆଇରନ୍‌ର ବ୍ୟବସ୍ଥା ରହିଛି। ଏବେ କଂପାନି ଏହାର ଉତ୍ପାଦଗୁଡ଼ିକୁ ଥାଇଲ୍ୟାଣ୍ଡ୍‌ରୁ ଆଣି ଭାରତରେ ବିକ୍ରି କରୁଛି। ଚଳିତ ବର୍ଷ ପୁନେର ସୁପା ଶିଳ୍ପାଞ୍ଚଳରେ ଏହା ଏକ କାରଖାନା ସ୍ଥାପନ କରି ସାମଗ୍ରୀଗୁଡ଼ିକୁ ଉତ୍ପାଦନ କରିବ। ଏହି କାରଖାନାରେ ୩୦୦ କୋଟି ଟଙ୍କା ବିନିଯୋଗ କରିବାକୁ କଂପାନି ଯୋଜନା ରଖିଛି। ଆଗାମୀ ଦିନରେ କଂପାନି ଏୟାର କୁଲର୍‌ ଓ ରେଫ୍ରିଜରେଟର ବିକ୍ରି କରିବାକୁ ଯୋଜନା ରଖିଛି ବୋଲି ଶ୍ରୀ ସିଂଘଲ କହିଛନ୍ତି। ଏହି ଅବସରରେ କଂପାନିର ଭିପି ନୀତିନ ତ୍ରିହାନ, ରାଜ୍ୟ ମୁଖ୍ୟ ଗୌତମ ନାୟକ ଓ ମ୍ୟାକ୍ସ ଇଣ୍ଟରନ୍ୟାସନାଲ୍‌ର ଆଦିତ୍ ହଂସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର