ମଧ୍ୟବିତ୍ତଙ୍କୁ ଟିକସ ସୁବିଧା : ଆୟକର ରିଟର୍ଣ୍ଣ ଦାଖଲ ମହଲତ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ଟିଡିଏସ୍‌, ଟିସିଏସ୍‌ରେ ୨୫% ହ୍ରାସ
ବିବାଦ ସେ ବିଶ୍ବାସ ସ୍କିମ୍ ମହଲତ ବଢ଼ିଲା
ଘରୋଇ ସଂସ୍ଥା ପାଇଁ ଇପିଏଫ୍ ଯୋଗଦାନ ୩ ମାସ ୧୦%କୁ ହ୍ରାସ
ଏମ୍ଏସ୍ଏମ୍‌ଇ କର୍ମଚାରୀଙ୍କ ଇପିଏଫ୍‌ ଭାଗ ସରକାର ଦେବେ

ନୂଆଦିଲ୍ଲୀ : ପ୍ରତ୍ୟକ୍ଷ କରକୁ ନେଇ ଆଜି ଘୋଷଣା କରାଯାଇଥିବା ପଦକ୍ଷେପର ଅଂଶ ସ୍ବରୂପ ଆୟକର ରିଟର୍ଣ୍ଣ ଦାଖଲର ମହଲତକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା ଯାହାକୁ ଅକ୍ଟୋବର ୩୧ ଏବଂ ଏବେ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟିକସ ଅଡିଟ୍‌ର ମହଲତକୁ ମଧ୍ୟ ଏକ ମାସ ବୃଦ୍ଧି କରି ସେପ୍ଟେମ୍ବର ୩୦ରୁ ଚଳିତ ବର୍ଷର ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସେସ୍‌ମେଣ୍ଟ୍‌ ବାରଣ ମହଲତ ଯାହା ସେପ୍ଟେମ୍ବର ୩୦ ଥିଲା ତାହାକୁ ଚଳିତ ବର୍ଷର ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଯେଉଁମାନଙ୍କ ପାଇଁ ବାରଣ ମହଲତ ୨୦୨୧ ମାର୍ଚ୍ଚ ୩୧ ଥିଲା ସେମାନଙ୍କ ପାଇଁ ଏହି ସମୟ ସୀମାକୁ ୨୦୨୧ ସେପ୍ଟେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ‘ବିବାଦ ସେ ବିଶ୍ବାସ’ ସ୍କିମ୍‌ର ଅବଧିକୁ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏମ୍ଏସ୍‌ଏମ୍ଇ, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି), ଭବିଷ୍ୟନିଧି ପାଣ୍ଠି, ରିଅଲ ଇଷ୍ଟେଟ୍‌ ଓ ଟିକସ କ୍ଷେତ୍ରକୁ ନେଇ ପ୍ରାୟ ୧୫ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି। ଲୋକମାନଙ୍କ ହାତରେ ଅଧିକ ଟଙ୍କା ପହଞ୍ଚାଇବା ଲାଗି ଅଣ ବେତନ ଭୋଗୀ ଭିତ୍ତିକ ପେମେଣ୍ଟ୍‌ର ଟିଡିଏସ୍‌ (ଟିକସ ଉତ୍ସରୁ ଆୟ କାଟ) ଓ ଉତ୍ସରୁ ଟିକସ ସଂଗ୍ରହ (ଟିସିଏସ୍‌)ରେ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଘରୋଇ ସଂସ୍ଥାଗୁଡ଼ିକର ଭବିଷ୍ୟନିଧି ପାଣ୍ଠି ଯୋଗଦାନକୁ ତିନି ମାସ ପାଇଁ ୧୨ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ କରାଯାଇଛି। ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ସଙ୍କଟରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଉଦ୍ଧାର କରିବା ଲାଗି ସେମାନଙ୍କ କର୍ମଚାରୀମାନଙ୍କ ଇପିଏଫ୍ ବାବାଦ ଦେୟକୁ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର