ବୀମା ପଲିସି କ୍ରୟ, ଦାବି ସମାଧାନ ସହଜ ହେବ

ମୁମ୍ବାଇ: ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବୀମା କ୍ରୟ ଓ ଦାବି ସମାଧାନ ସଂକ୍ରାନ୍ତ ଡିଜିଟାଲ ଭିତ୍ତିଭୂମି ‘ବୀମା ସୁଗମ’କୁ ମଞ୍ଜୁରି ଦେଇଛି। ବୀମା ସୁଗମ ଓଏନ୍‌ଡିସି ଭଳି ଇଲେକ୍ଟ୍ରୋନିକ୍ସ ବଜାର। ବୀମା ସଗୁମରେ ବୀମା ପଲିସି କ୍ରୟ, ବିକ୍ରୟ ଓ ଦାବି ସମାଧାନ ଆଦି ସୁବିଧା ମିଳିବ। ଏହାଦ୍ବାରା ବୀମା ପଲିସି କ୍ରୟ ସମେତ ଦାବି ସମାଧାନ ଆଦି କାର୍ଯ୍ୟ ସହଜ ହେବ। ଆଇଆରଡିଏଆଇ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ବୀମା ସୁଗମ-ବୀମା ଇଲେକ୍ଟ୍ରୋନିକ୍ ବଜାର) ନିୟାମକ, ୨୦୨୪ର ଲକ୍ଷ୍ୟ ହେଉଛି ‌ଏକ ଡିଜିଟାଲ ଭିତ୍ତିଭୂମି ସ୍ଥାପନ କରିବା। ଏହାଦ୍ବାରା ବୀମାର ସାର୍ବଜନୀନୀକରଣ ଏବଂ ଗାଣତାନ୍ତ୍ରିକୀକରଣ କରାଯାଇ ପାରିବ। ଏଥିସହିତ ପଲିସିଧାରକଙ୍କ ସ୍ବାର୍ଥକୁ ସୁରକ୍ଷିତ ଓ ସଶକ୍ତ ହୋଇପାରିବା ସହିତ ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ହାସଲ ହୋଇପାରିବ। ଉକ୍ତ ପ୍ଲାଟଫର୍ମରେ ସମସ୍ତ ଜୀବନ, ସ୍ବାସ୍ଥ୍ୟ ଓ ସାଧାରଣ ବୀମା ସେବା ପ୍ରଦାନ କରୁଥିବା କମ୍ପାନିଗୁଡ଼ିକ ରହିବେ। ବୀମା ପଲିସି କ୍ରୟଠାରୁ ଆରମ୍ଭ କରି ବୀମାର ନବୀକରଣ, ଦାବି ସମାଧାନ‌, ପୋର୍ଟେବିଲିଟି ଏବଂ ଅଭିଯୋଗ ସମାଧାନ ଆଦି ସୁବିଧା ଏଥିରେ ମିଳିବ। ବୀମା ସହ ଜଡ଼ିତ ସବୁ ପକ୍ଷ ଏହି ଗୋଟିଏ ସ୍ଥାନରୁ ସମସ୍ତ ସେବା ପାଇପାରିବେ। ପଲିସିଧାରକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ ସେବା ପାଇବେ। ଏହା ଦ୍ବାରା ବୀମା ମୂଲ୍ୟ ଶୃଙ୍ଖଳରେ ସ୍ବଚ୍ଛତା, ପାରଦର୍ଶିତା ଏବଂ ସମନ୍ବୟ ଆସିବ।

ସମ୍ବନ୍ଧିତ ଖବର