ଖରାଦିନ ଆରମ୍ଭରୁ ଶୁଖିଗଲା ଗୁମାଗଡ଼ ଡ୍ୟାମ୍‌: ପାଲଟିଛି ଗୋରୁଗାଈଙ୍କ ଚାରଣଭୂଇଁ

ଫୁଲବାଣୀ: ଚଳିତବର୍ଷ ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଜଳଭଣ୍ଡାର ଗୁମାଗଡ଼ ଡ୍ୟାମ୍‌ ଶୁଖିଗଲାଣି। ସାଧାରଣତଃ ଏହି ଜଳଭଣ୍ଡାର ପୂର୍ବ ବର୍ଷମାନଙ୍କରେ ଜୁନ୍‌ ଜୁଲାଇ ମାସ ବେଳକୁ ଶୁଖି ନଥାଏ। କିନ୍ତୁ ଚଳିତବର୍ଷ ମାର୍ଚ୍ଚ ମାସରେ ଏହା ସମ୍ପୂର୍ଣ୍ଣ ଶୁଖି ଯାଇଛି। ଜଳବାୟୁ ପରିବର୍ତ୍ତନ ଏବଂ ଭୂ-ତଳ ଜଳସ୍ତର ହ୍ରାସ ଯୋଗୁଁ ଜଳଭଣ୍ଡାରର ଏଭଳି ଦୁର୍ଦ୍ଦଶା ହୋଇଛି ବୋଲି ବିଶେଷଜ୍ଞ କହୁଛନ୍ତି। ଜଳଭଣ୍ଡାରରେ ଆଦୌ ପାଣି ନଥିବାରୁ ଏହା ଏବେ ଗୋରୁଗାଈଙ୍କ ଚରାଭୂମି ପାଲଟିଛି। ପ୍ରତିଦିନ ଜଳଭଣ୍ଡାରରେ ଶହ ଶହ ଗାଈଗୋରୁ ଚରୁଥିବାର ଦେଖାଯାଉଛି। ଜଳଭଣ୍ଡାର ପୋତି ହୋଇ ପଡ଼ିବା ଯୋଗୁଁ ଏହାର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ଏହି ଜଳଭଣ୍ଡାରର ଖନନ ଓ ପୁନରୁଦ୍ଧାର ଜରୁରୀ ହୋଇ ପଡ଼ିଛି। ଜଳଭଣ୍ଡାର ପୋତି ହୋଇପଡ଼ିବା କାରଣରୁ ଏଠାରେ ବର୍ଷାଦିନେ ବି ଭଲ ପାଣି ରହୁନି ଏବଂ ବନ୍ଧର ଉଚ୍ଚତା କମ୍‌ ଥିବାରୁ ବର୍ଷାଦିନେ ମଧ୍ୟ ଜଳଭଣ୍ଡାରରେ ଆଶାନୁରୂପ ପାଣି ଗଚ୍ଛିତ ହୋଇ ରହିପାରୁନି। ଏଣୁ ଜଳଭଣ୍ଡାରର ପୁନରୁଦ୍ଧାର ଏବଂ ଡ୍ୟାମ୍‌ର ଉଚ୍ଚତା ବଢ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି। ଦୀର୍ଘବର୍ଷ ଧରି ଡ୍ୟାମ୍‌ରୁ ପଙ୍କ ଉଦ୍ଧାର ହୋଇ ନଥିବାରୁ ଏହାର ଶଯ୍ୟା ପୋତି ହୋଇଗଲାଣି।

ସିଲ୍‌ଟିଂ ଯୋଗୁଁ ପ୍ରତିବର୍ଷ ଜଳଭଣ୍ଡାରର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବର୍ଷାଦିନେ ପ୍ରବଳ ବର୍ଷା ହେଉଥିବା ସତ୍ତ୍ବେ ଜଳଭଣ୍ଡାରର ଗଭୀରତା ବେଶି ନଥିବା କାରଣରୁ ବର୍ଷା ଋତୁ ଯିବାର ମାସେ କି ଦୁଇ ମାସ ମଧ୍ୟରେ ଶୁଖି ଯାଉଛି। ଅନ୍ୟପଟେ, ବ୍ୟାପକ ଜଙ୍ଗଲ କ୍ଷୟ କାରଣରୁ କନ୍ଧମାଳର ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଜିଲ୍ଲାର ନଦୀନାଳ ଶୁଖିଯାଉଛି। ଭୂତଳ ଜଳ ହ୍ରାସ ପାଇବା କାରଣରୁ ଗୁମାଗଡ଼ ଜଳଭଣ୍ଡା ମଧ୍ୟ ଶୁଖି ଯାଉଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ୧୭ କିଲୋମିଟର ଦୂରରେ ଗୁମାଗଡ଼ଠାରେ ଏହି ଜଳଭଣ୍ଡାର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ହୋଇଛି। ରୁଗୁଡ଼ି ନାଳର ପାଣିକୁ ଅଟକାଇ ଗୁମାଗଡ଼ଠାରେ ଏହି ଜଳଭଣ୍ଡାର ନିର୍ମିତ ହୋଇଛି। ଏହି ଜଳଭଣ୍ଡାରଟି ମହାନଦୀ ଅବବାହିକା ଏବଂ ସାଲୁଙ୍କୀ ନଦୀର ଉପ ଅବବାହିକାରେ ଅବସ୍ଥିତ। ଜଳଭଣ୍ଡାରର ଜଳରେ ଖରିଫ ଋତୁରେ ୨୦୦ ହେକ୍ଟର ଜଳକୁ ଜଳସେଚନର ବ୍ୟବସ୍ଥା ଥିଲାବେଳେ ରବି ଋତୁରେ ୧୦୦ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି। ଜଳଭଣ୍ଡାରର ଦୈର୍ଘ୍ୟ ୧୪୬ ମିଟର ହୋଇଥିବାବେଳେ ଉଚ୍ଚତା ମାତ୍ର ୮ ମିଟର ହୋଇଥିବାରୁ ଏଥିରେ ବର୍ଷା ଦିନେ ମଧ୍ୟ ଜଳ ଗଚ୍ଛିତ ରହୁନାହିଁ। ପରିସ୍ଥିତି ଏମିତି ହେଉଛି, ବର୍ଷା ଛାଡ଼ିବା ମାତ୍ରେ ଜଳସ୍ତର ତୁରନ୍ତ ହ୍ରାସ ପାଉଛି। ଏହି ଜଳଭଣ୍ଡାର ଉପରେ ଫୁଲବାଣୀ ବ୍ଲକର ଗୁମାଗଡ଼, କେରେଡ଼ି ପଞ୍ଚାୟତର ଶତାଧିକ ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି। ମାତ୍ର, ଜଳଭଣ୍ଡାରଟି ରବି ଋତୁରେ ଶୁଖି ଯାଉଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମୁଗ, ହରଡ଼, ବିରି ତଥା ବିଭିନ୍ନ ପନିପରିବା ଚାଷ ପାଇଁ ହଇରାଣ ହୁଅନ୍ତି।

ସମ୍ବନ୍ଧିତ ଖବର