ନେତାଙ୍କ ପାଦପଡ଼ି ନଥିବା ଗାଁ ଥାଳିପାଣି: ଭୋଟ ଦେବାକୁ ଯାଆନ୍ତି ୭ କିମି

ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ, ମୁଖ୍ୟମନ୍ତ୍ରୀ, ବିଧାୟକ କି ଜିଲ୍ଲାପାଳଙ୍କ ନାଁ ବି ଜାଣିନାହାନ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ସୀମାନ୍ତ ଗାଁ ଥାଳିପାଣି। ଏହି ଗାଁରେ ଆଦିମ ଜନଜାତି ଭୁଞ୍ଜିଆ ସଂପ୍ରଦାୟ ଲୋକ ବସବାସ କରନ୍ତି। ହେଲେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ କୌଣସି ନେତାଙ୍କ ପାଦପଡ଼ି ନାହିଁ। ପ୍ରତି ୫ ବର୍ଷରେ ଥରେ ଏହି ଗାଁର ୫୦ରୁ ୬୦ ଜଣ ଭୋଟର୍‌ ୭ କିମି ଚାଲିଚାଲି ଜୁନାପାଣି ଗ୍ରାମକୁ ଯାଇ ଭୋଟ୍ ଦେଇଥାନ୍ତି। ଏବେ ବି ଏହି ଭୁଞ୍ଜିଆ ସଂପ୍ରଦାୟ ଲୋକ ବିକାଶ କଣ ଜାଣିନାହନ୍ତି। ଏହି ଗାଁର ଲୋକେ ଭତ୍ତା ଓ ଚାଉଳ ପାଇଁ ସୁନାବେଡ଼ା ପଞ୍ଚାୟତ ଉପରେ ନିର୍ଭର କରୁଥିବା ବେଳେ ବାକି ଆବଶ୍ୟକ ଜିନିଷ ଉପରେ ଛତିଶଗଡ଼ ଉପରେ ନିର୍ଭର କରୁଥିବା ଗ୍ରାମର ଯୋଗେଶ୍ବର ଛତ୍ରିଆ, ପ୍ରେମ ସିଂ ଛତ୍ରିଆ, ବନାବାଈ ଛତ୍ରିଆ, ସନ୍ତୋଷୀବାଈ କହିଛନ୍ତି। ୧୫ ପରିବାର ରହୁଥିବା ଏହି ଗାଁର ଜନସଂଖ୍ୟା ପ୍ରାୟ ୧୫୦ ହେବ। ଏହି ଗାଁ ମୌଳିକ ସୁବିଧାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ। ଗାଁ ଲୋକ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ନୂଆପଡ଼ା ବିଧାୟକ ତଥା ଜିଲ୍ଲାପାଳଙ୍କ ନାଁ ମଧ୍ୟ ଜାଣିନାହାନ୍ତି। ଏପରିକି ଗାଁରେ ନେତା କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀଙ୍କ ପାଦ ପଡ଼ିନାହିଁ।

ଗ୍ରାମବାସୀଙ୍କ ବିଶେଷ ସମସ୍ୟା ହେଇଛି ପିଇବା ପାଣି, ରାସ୍ତା, ଚିକିତ୍ସା ସେବା ଓ ଶିକ୍ଷା। ଏମାନେ ପାଣି ପାଇଁ ଛତିଶଗଡ଼ ଉପରେ ଉପରେ ନିର୍ଭର କରୁଥିବା ବେଳେ ଜଙ୍ଗଳ ରାସ୍ତା ଥିବାରୁ ବର୍ଷା ୩ ମାସ ପଞ୍ଚାୟତ ଅଫିସକୁ ଯିବାଆସିବା ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଏ। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନେ ଠିକ୍ ଭାବରେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି। ଏହି ଗାଁରୁ ଛତିଶଗଡ଼ ରାଜ୍ୟ ମେନପୁର ବ୍ଲକ୍‌ ନଗାଡ଼ା ଗ୍ରାମ ୨ କିମି ଦୂର। ସେଥିପାଇଁ ଗ୍ରାମବାସୀ ବଜାରଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ପାଇଁ ଛତିଶଗଡ଼ ଉପରେ ନିର୍ଭର କରନ୍ତି। ନୂଆପଡ଼ା ଜିଲ୍ଲା ଗଠନକୁ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଥାଳିପାଣି ଅବହେଳିତ ହୋଇରହିଛି। ଏପରି ସ୍ଥିତିରେ ଜିଲ୍ଲାର ସୀମାନ୍ତ ଗାଁଗୁଡ଼ିକର କିପରି ବିକାଶ ହେବ ବୋଲି ଗାଁର ରୂପସିଂ ମାଝୀ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ସାଧାଣର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଆଜି ବି ନେତାଙ୍କ ଅପେକ୍ଷାରେ ରହିଛନ୍ତି। ନେତା  ଆସିଲେ ଗାଁର ସମସ୍ୟା ଜଣାଇବେ ବୋଲି ମୁଖିଆ ନାରଦ ଛତ୍ରିଆ, ଲକ୍ଷ୍ମୀଧର ମାଝୀ, ସନ୍ତରାମ ମାଝୀ, ଦେୱାନ ମାଝୀ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର