ପ୍ରତିରୋପଣ ପୂର୍ବରୁ ନଷ୍ଟ ହେଉଛି ୧୭% କର୍ଣ୍ଣିଆ: ସୁରକ୍ଷିତ ରଖିବା ପାଇଁ ନାହିଁ ସରକାରୀ ବ୍ୟବସ୍ଥା

କ୍ଷିତୀଶ ରାୟ
ଭୁବନେଶ୍ବ: ଆଖିର କର୍ଣ୍ଣିଆ ନଷ୍ଟ ଜନିତ ଅନ୍ଧତ୍ବ ଦୂରୀକରଣ ପାଇଁ ରାଜ୍ୟରେ ସଂଗ୍ରହ କରାଯାଉଛି କର୍ଣ୍ଣିଆ। ହେଲେ ଏହି ସଂଗୃହୀତ କର୍ଣ୍ଣିଆ ଲୋକଙ୍କ ଆଖିରେ ଲାଗିବା ପୂର୍ବରୁ ନଷ୍ଟ ହୋଇଯାଉଛି। ଏହାର ହାର କିଛି କମ୍ ନୁହେଁ। ବିଗତ ୫ବର୍ଷରେ ରାଜ୍ୟରେ ୧୭%ରୁ ଅଧିକ ହାରରେ ସଂଗୃହୀତ କର୍ଣ୍ଣିଆ ନଷ୍ଟ ହୋଇଛି। ରାଜ୍ୟରେ କର୍ଣ୍ଣିଆ ନଷ୍ଟ ହେବାର ଏକ ପ୍ରମୁଖ କାରଣ ହେଉଛି ଆବଶ୍ୟକ ଚକ୍ଷୁ ବ୍ୟାଙ୍କର ଅଭାବ। ମୃତବ୍ୟକ୍ତିଙ୍କଠାରୁ କର୍ଣ୍ଣିଆ ସଂଗ୍ରହ ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ଘରୋଇ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ଅଙ୍ଗଦାନକୁ ନେଇ ଲୋକମାନଙ୍କ ଭିତରେ ସଚେତନତା କରାଯିବା ଫଳରେ ଅନେକ ବ୍ରେନ୍‌ ଡେଡ୍‌ (ମସ୍ତିଷ୍କ ମୃତ) ବ୍ୟକ୍ତିଙ୍କ ଅଙ୍ଗଦାନ ପାଇଁ ରାଜି ହେଉଛନ୍ତି। ସରକାର ମଧ୍ୟ ସେମାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍କାର କରୁଛନ୍ତି। ହେଲେ ରାଜ୍ୟରେ କର୍ଣ୍ଣିଆ ସଂଗ୍ରହ ଅଭିଯାନ ବାଜିରେ ଲାଗିଛି। ଏହା ଉପରେ ସରକାରୀସ୍ତରରେ ବିଶେଷ ଆଲୋଚନା କିମ୍ବା ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଫଳରେ ରାଜ୍ୟରେ ଅନ୍ଧତ୍ବ ଦୂରୀକରଣ କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି।

ଚକ୍ଷୁରେ ସଂକ୍ରମଣ, ଦୁର୍ଘଟଣା କିମ୍ବା ବଂଶଗତ ରୋଗ ପାଇଁ କର୍ଣ୍ଣିଆ ନଷ୍ଟ ହୋଇଥାଏ। ତେଣୁ କର୍ଣ୍ଣିଆ ପ୍ରତିରୋପଣ ଦ୍ବାରା ଜଣେ ନିଜର ଦୃଷ୍ଟିଶକ୍ତି ଫେରି ପାଇଥାଏ। କର୍ଣ୍ଣିଆ ପାଇବା ପାଇଁ ଏକମାତ୍ର ବାଟ ହେଉଛି ମୃତ ବ୍ୟକ୍ତିଙ୍କଠାରୁ ଏହାକୁ ସଂଗ୍ରହ କରିବା। ପ୍ରତିରୋପଣର ଚାହିଦା ମୁତାବକ କମ୍ ସଂଖ୍ୟକ କର୍ଣ୍ଣିଆ ସଂଗ୍ରହ ହେଉଛି। ରାଜ୍ୟ ତଥା ଦେଶରେ କର୍ଣ୍ଣିଆ ସଂଗ୍ରହ ପାଇଁ ଅନେକ ସମସ୍ୟା ରହିଛି। ମୃତକଙ୍କ ୪-୬ଘଣ୍ଟା ଭିତରେ ଏହାକୁ ସଂଗ୍ରହ କରିବାରେ ବିଳମ୍ବ ହେବା, ମୃତକଙ୍କ ପରିବାରରୁ ଅନୁମୋଦନ ପାଇବାରେ ବିଳମ୍ବ, ଚକ୍ଷୁ ବ୍ୟାଙ୍କର ଅଭାବ, ମେଡିକୋ-ଲିଗାଲ ମାମଲା ମଧ୍ୟ ଏଥିରେ ବାଧକ ସାଜୁଛି।

ରାଜ୍ୟରେ କର୍ଣ୍ଣିଆ ସଂଗ୍ରହ ପାଇଁ ରାଜ୍ୟ ସରକାର ଦୃଷ୍ଟିଦାନ ଏନ୍‌ଜିଓ ସହ ଚୁକ୍ତି କରିଛନ୍ତି। ଏହି ସଂସ୍ଥା ବିଭିନ୍ନ ସରକାରୀ ଡାକ୍ତରଖାନାରେ ଲୋକଙ୍କଠାରୁ କର୍ଣ୍ଣିଆ ସଂଗ୍ରହ କରିବା ସହ ଏହାକୁ ନିଜ ଚକ୍ଷୁ ବ୍ୟାଙ୍କରେ ସୁରକ୍ଷିତ ରଖୁଛି। ଏହାସହ ଅନ୍ୟ ଏକ ଘରୋଇ ସଂସ୍ଥାର ଚକ୍ଷୁ କେନ୍ଦ୍ରରେ କର୍ଣ୍ଣିଆ ରଖାଯାଉଛି। ଯେଉଁ ବ୍ୟକ୍ତିଙ୍କ କର୍ଣ୍ଣିଆର ଆବଶ୍ୟକତା ରହିଛି ସେମାନେ ଏହି ଘରୋଇ ହସ୍ପିଟାଲରୁ କର୍ଣ୍ଣିଆ ନେଉଛନ୍ତି। ହେଲେ ସଂଗୃହୀତ ଅନେକ କର୍ଣ୍ଣିଆ ପ୍ରତିରୋପଣ ହେବା ପୂର୍ବରୁ ନଷ୍ଟ ହୋଇଯାଉଛି। ସୂଚନାଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଗତ ୫ବର୍ଷରେ ରାଜ୍ୟରେ ୭୨୪୫ କର୍ଣ୍ଣିଆ ସଂଗ୍ରହ ହୋଇଛି। ତହିଁରୁ ୬୦୪୫ କର୍ଣ୍ଣିଆ ବ୍ୟବହୃତ ହୋଇଥିବା ବେଳେ ୧୨ଶହ କର୍ଣ୍ଣିଆ ନଷ୍ଟ ହୋଇଯାଇଛି। ୨୦୧୯ ମସିହାରେ ସର୍ବାଧିକ ୨୬% କର୍ଣ୍ଣିଆ ନଷ୍ଟ ହୋଇଥିବା ବେଳେ ୨୦୨୨ରେ ୧୨% କର୍ଣ୍ଣିଆ ନଷ୍ଟ ହୋଇଛି। ୨୦୨୧ ମସିହାରେ ରାଜ୍ୟରେ କର୍ଣ୍ଣିଆ ସଂଗ୍ରହ ସଂପର୍କିତ ତଥ୍ୟ ଦିଆଯାଇନାହିଁ। ବିଶେଷଜ୍ଞଙ୍କ ମତରେ ନଷ୍ଟ ହେଉଥିବା କର୍ଣ୍ଣିଆ ମଧ୍ୟରୁ ଅନେକ କାରଣ ରହିଛି। ସଂଗୃହୀତ ବ୍ୟକ୍ତି ଯଦି ହେପାଟାଇଟିସ୍ କିମ୍ବା ଅନ୍ୟ
ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାହାଲେ କର୍ଣ୍ଣିଆ ଜରିଆରେ ଏହା ଅନ୍ୟକୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ତେଣୁ ଏହାକୁ ନଷ୍ଟ କରି ଦିଆଯାଉଛି। ସେହିପରି ଯେଉଁ ବ୍ୟକ୍ତିମାନଙ୍କ କର୍ଣ୍ଣିଆ ପ୍ରତିରୋପଣର ଆବଶ୍ୟକତା ରହିଛି ତାହାର ତାଲିକା ରଖାଯିବା ଦରକାର। ଯାହାଫଳରେ କର୍ଣ୍ଣିଆ ସଂଗ୍ରହ ହେବା ମାତ୍ରେ ତାଙ୍କୁ ସୂଚନା ଦିଆଯିବା ସହ ଯଥାଶୀଘ୍ର ପ୍ରତିରୋପଣ କରାଯାଇପାରିବ। ରାଜ୍ୟରେ କିଡ୍‌ନି ଓ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ଏହି ନୀତି ପାଇଁ ସଂଗୃହୀତ ଅଙ୍ଗ ଏକପ୍ରକାର ନଷ୍ଟ ହେଉନାହିଁ।

ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡା.ପ୍ରଭାସ ଆଚାର୍ଯ୍ୟଙ୍କ କହିବା କଥା କେବଳ ମୃତ ବ୍ୟକ୍ତି କର୍ଣ୍ଣିଆ ଦାନ କରିପାରିବେ। ଏ ଦୃଷ୍ଟିରୁ ରାଜ୍ୟରେ ଏହାର ସଂଗ୍ରହ ବେଶ୍ ଭଲ ରହିଛି। ମାତ୍ର ଏହାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ଜିଲ୍ଲାସ୍ତରରେ ଚକ୍ଷୁ ବ୍ୟାଙ୍କ ନାହିଁ କିମ୍ବା ଟେକ୍‌ନିସିଆନ୍ ମଧ୍ୟ ନାହାନ୍ତି। ଯଦି ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଟେକ୍‌ନିସିଆନ୍‌ଙ୍କୁ ନିଯୁକ୍ତି ଦିଅନ୍ତେ ତାହାଲେ ଏକ କିଟ୍‌ ଦ୍ବାରା ଏହା ଅତିକମ୍‌ରେ ୨୪ଘଣ୍ଟା ସୁରକ୍ଷିତ ରହିପାରିବ। ଯାହାଫଳରେ କର୍ଣ୍ଣିଆ ନଷ୍ଟ ହେବାର ଆଶଙ୍କା ହ୍ରାସ ପାଇବା ସହ ଅନ୍ଧତ୍ବ ଦୂରୀକରଣକୁ ରୋକାଯାଇପାରିବ ବୋଲି ଡା.ଆଚାର୍ଯ୍ୟ କହିଛନ୍ତି। ଏ ସଂପର୍କରେ ‘ସୁନେତ୍ର’ କାର୍ଯ୍ୟକ୍ରମର ଅଧିକାରୀ ଜୀବନ ଷଡ଼ଙ୍ଗୀଙ୍କୁ ଏକାଧିକ ବାର ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ନିକଟରୁ କୌଣସି ଉତ୍ତର ମିଳିପାରିନାହିଁ।

ସମ୍ବନ୍ଧିତ ଖବର