ଫି ବଢ଼ାଇଲା ଆମାଜନ, ମହଙ୍ଗା ହେବ ସାମଗ୍ରୀ, ଏପ୍ରିଲ ୭ରୁ କାର୍ଯ୍ୟକାରୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ଏହାର ବିକ୍ରେତାଙ୍କ ପାଇଁ ଆସନ୍ତା ମାସ ୭ ତାରିଖରୁ ଅନେକ ଶୁଳ୍କ ବା ଫିରେ ସଂଶୋଧନ ଆଣିବା ନେଇ ଘୋଷଣା କରିଛି। ମୁଦ୍ରାସ୍ଫୀତି, ସୁଧ ହାର, ପରିଚାଳନା ଖର୍ଚ୍ଚ ଆଦିକୁ ବିଚାରକୁ ନେବା ସହିତ ଅନ୍ୟାନ୍ୟ କାରଣ ପାଇଁ କମ୍ପାନି ଏହି ନିଷ୍ପତ୍ତି ନେଇଛି। ପୋଷାକ, ବେଡସିଟ୍‌, କୁସନ୍‌ କଭର, ଡିନରଓେର୍‌ ଆଦିର ରେଫରାଲ ଫି କମ୍ପାନି କମାଇଥିବାବେଳେ ବ୍ୟବସାୟ ଓ ବୈଜ୍ଞାନିକ ଯୋଗାଣ, ଚିମ୍‌ନି, ଲାପଟପ ସ୍ଲିଭ ଏବଂ ବ୍ୟାଗ ଆଦିରେ ଏହି ଫି ବୃଦ୍ଧି କରିଛି। ୧୦୦୦ ଟଙ୍କାରୁ ଅଧିକ ହାରାହାରି ବିକ୍ରି ମୂଲ୍ୟ କ୍ଷେତ୍ରରେ କ୍ଲୋଜିଂ ଫି ୩ ଟଙ୍କା ବୃଦ୍ଧି କରାଯାଇଛି। ୱେଟ୍ ହ୍ୟାଣ୍ଡଲିଂ ଫି ୨ ଟଙ୍କା ବଢ଼ାଯାଇଛି। ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କ ବ୍ୟବସାୟକୁ ଯେଭଳି ଇ-କମର୍ସ ଜରିଆରେ ଲାଭଦାୟକ କରିପାରିବେ ଏବଂ ଜାତୀୟ ସ୍ତରର ବ୍ରାଣ୍ଡ୍‌ରେ ପରିଣତ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି କମ୍ପାନି ଏହା କରିଛି। ଦେଶରେ ସାମଗ୍ରୀ ବିକ୍ରି କ୍ଷେତ୍ରରେ ଯେଭଳି ଆମାଜନ ଯେଭଳି ସବୁଠୁ ଅଧିକ ପସନ୍ଦଯୋଗ୍ୟ ମାର୍କେଟପ୍ଲେସ ହେବ ତାହାକୁ ଏଥିରେ ଧ୍ୟାନ ଦିଆଯାଇଛି ବୋଲି ଆମାଜନ ଇଣ୍ଡିଆର ପ୍ରବକ୍ତା କହିଛନ୍ତି। ଅନ୍ୟ ଯେଉଁସବୁ ଫି ରେ ସଂଶୋଧନ ଅଣାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଟେକ୍ନୋଲୋଜି ଫି, ପିକ୍‌ ଆଣ୍ଡ୍‌ ପ୍ୟାକ୍‌ ଫି।

ପର୍ସନାଲ କେୟାର ବର୍ଗରେ ପୁରୁଣା ଫି ୭.୫ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୭.୫ ପ୍ରତିଶତରୁ ୧୧ ପ୍ରତିଶତ ମଧ୍ୟରେ ରଖାଯାଇଛି। ସେହିଭଳି ସାବୁନ ଓ କ୍ରିମ୍‌ରେ ପୂର୍ବର ଫି ୨.୫ରୁ ୮ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୬ରୁ ୯.୫ ପ୍ରତିଶତରେ ରଖାଯାଇଛି। ଟାବଲେଟ୍‌ରେ ପୁରୁଣା ଫି ୬ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୬ରୁ ୯ ପ୍ରତିଶତ କରାଯାଇଛି। କିନ୍ତୁ ଏଥନିକ୍ ଆପାରେଲରେ ସେଲର ଫି ଏବେ ୧୨ରୁ ୨୨.୫ ପ୍ରତିଶତ ଥିବାବେଳେ ତାହାକୁ ୭.୫ରୁ ୧୭.୫କୁ ହ୍ରାସ କରାଯାଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ବିକ୍ରେତାଙ୍କ ପାଇଁ ସେବା ପ୍ରଦାନ ବାବଦ ଖର୍ଚ୍ଚ ବଢ଼ିଲେ ସେମାନଙ୍କ ଲାଭ ପ୍ରଭାବିତ ହେବ। ତେଣୁ ଫି ବୃଦ୍ଧିର କିଛି ବୋଝ ସେମାନେ ଗ୍ରାହକଙ୍କ ଉପରେ ଲଦି ପାରନ୍ତି।

ସମ୍ବନ୍ଧିତ ଖବର