ବେଆଇନ ଋଣ ଆପ୍‌ ଉପରେ ଲାଗିବ ଲଗାମ

ମୁମ୍ବାଇ: ବେଆଇନ ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକ ଉପରେ ଲଗାମ କଷିବା ଲାଗି ଏକ ସ୍ବତନ୍ତ୍ର ଆଇନର ଆବଶ୍ୟକତା ରହିଛି। ଆଜି ରିଜର୍ଭ ବ୍ୟାଙ୍କର ୱାର୍କିଂ କମିଟି ଦେଇଥିବା ରିପୋର୍ଟରେ ଏହି ସୁପାରିସ କରିଛି। ଡିଜିଟାଲ୍ ମାଧ୍ୟମରେ ଋଣ ଦେଉଥିବା କିଛି ମୋବାଇଲ୍ ଆପ୍, ବିଶେଷ କରି ଯେଉଁମାନଙ୍କର ଚୀନ୍ ସହିତ ସମ୍ପର୍କ ରହିଛି ସେମାନେ ଅତି ସହଜରେ ଲୋକମାନଙ୍କୁ ଋଣ ଦେଇ ସେମାନଙ୍କୁ ନିଜ ଜାଲରେ ଫସାଉଛନ୍ତି। ଏହା ପରେ ସେମାନଙ୍କ ଠାରୁ ମୋଟା ଅଙ୍କର ସୁଧ ଅସୁଲ କରୁଛନ୍ତି।

କେହି ଟଙ୍କା ଫେରାଇବାରେ ବିଳମ୍ବ କଲେ ତାଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରିବା ସହ ସାମାଜିକ ଗଣମାଧ୍ୟମ ଓ ବନ୍ଧୁ ପରିଜନଙ୍କ ନିକଟରେ ଲଜ୍ଜିତ କରିବାକୁ ଉଦ୍ୟମ କରୁଛନ୍ତି। ହାଇଦ୍ରାବାଦ ଓ ଦିଲ୍ଲୀ ଭଳି କେତେକ ସ୍ଥାନରେ ଏଭଳି କେତେକ ମାମଲା ବିଷୟରେ ପୁଲିସରେ ଅଭିଯୋଗ ହେବା ପରେ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲା।

କିଭଳି ବେଆଇନ ଡିଜିଟାଲ୍ ଆପ୍‌ଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରାଯିବ ସେନେଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଜୟନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ୱାର୍କିଂ କମିଟି ଗଠନ କରାଯାଇଥିଲା। କମିଟି ଆଜି ଏହାର ରିପୋର୍ଟ ଦେଇଛି। ଦାଶ କମିଟି କେତେକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛି। ଅଂଶୀଦାରମାନଙ୍କ ସହ ଆଲୋଚନା କରି ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକର ଯାଞ୍ଚ କରିବା ଲାଗି ଏକ ନୋଡାଲ୍ ଏଜେନ୍ସି ଗଠନ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହି କ୍ଷେତ୍ରରେ କାରବାର କରୁଥିବା ସଂସ୍ଥାଗୁଡ଼ିକ ନିଜ ଉଦ୍ୟମରେ ଏକ ନିୟାମକ ବ୍ୟବସ୍ଥା ପ୍ରସ୍ତୁତ କରିବା ଦରକାର ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର