ହୀରା ବ୍ୟବସାୟରେ ବଡ଼ ଧରଣର ମାନ୍ଦାବସ୍ଥା, ଦୀପାବଳିରେ ଉପହାର ଦେବେନି ‌ଢୋଲକିଆ

ସୁରଟ : ହୀରା ଗହଣା ବ୍ୟବସାୟ ଉପରେ ଚଳିତବର୍ଷ ମାନ୍ଦାବସ୍ଥାର ବଡ଼ ପ୍ରଭାବ ଅନୁଭୂତ ହୋଇଛି। ଏପରିକି ୨୦୦୮ର ମାନ୍ଦାବସ୍ଥା ତୁଳନାରେ ଚଳିତବର୍ଷର ଆର୍ଥିକ ମାନ୍ଦାବସ୍ଥା ହୀରା ଗହଣା ଶିଳ୍କକୁ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ଫଳରେ ନିଜର କର୍ମଚାରୀମାନଙ୍କୁ ଦୀପାବଳିରେ ଦାମୀ ଉପହାର ବା ବୋନସ୍ ଦେଇ ଚର୍ଚ୍ଚାରେ‌ ରହିଆସୁଥିବା ସୁରଟର ହୀରା ଗହଣା ବ୍ୟବସାୟୀ ସାବ୍‌ଜୀ ଢୋଲକିଆ ଚଳିତବର୍ଷ କର୍ମଚାରୀମାନଙ୍କୁ ଉପହାର ‌ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ସୁରଟର ଅନେକ ହୀରା ଗହଣା କମ୍ପାନି ମଧ୍ୟ ଦୀପାବଳିରେ କର୍ମଚାରୀଙ୍କୁ ଉପହାର ନଦେବା ଲାଗି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ହରେ କ୍ରିଷ୍ଣା ଡାଇମଣ୍ଡ ଏକ୍ସପୋର୍ଟସ୍‌ କମ୍ପାନିର ଅଧ୍ୟକ୍ଷ ସାବଜୀ ଭାଇ ଢୋଲକିଆ କୁହନ୍ତି, ୨୦୦୮ର ମାନ୍ଦାବସ୍ଥା ତୁଳନାରେ ଚଳିତବର୍ଷ ମାନ୍ଦାବସ୍ଥାକୁ ସେ ଅଧିକ ମାତ୍ରାରେ ଅନୁଭବ କରୁଛନ୍ତି। ସମ୍ପୂର୍ଣ୍ଣ ହୀରା ଗହଣା ଶିଳ୍ପ ଯେତେବେଳେ ଖରାପ ଅବସ୍ଥା ଦେଇ ଗତି କରୁଛି ସେହି ସମୟରେ ଆମେ ‌କିଭଳି ଉପହାର ଦେବୁ ବୋଲି ଢୋଲକିଆ କହିଛନ୍ତି। ଉପହାର ଦେବା ପରିବର୍ତ୍ତେ ଆମେ କର୍ମଚାରୀଙ୍କ ଜୀବିକା ବଞ୍ଚାଇବା ଉପରେ ଅଧିକ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି। ହୀରା ପଲିସ୍‌ ବ୍ୟବସାୟ ବହୁମାତ୍ରାରେ ହ୍ରାସ ପାଇବା ଯୋଗୁଁ ଗତ କିଛି ମାସ ମଧ୍ୟରେ ପ୍ରାୟ ୪୦ ହଜାର କର୍ମଚାରୀ ଛଟେଇ ହୋଇଛନ୍ତି। ଏଥିସହିତ କର୍ମଚାରୀମାନଙ୍କ ବେତନ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସୁରଟ ବିଶ୍ବର ଏକ ପ୍ରମୁଖ ହୀରା କଟିଂ ଏବଂ ପଲିସିଂ କେନ୍ଦ୍ର। ଏଠାରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟରେ ନିଯୁକ୍ତ ଥାଆନ୍ତି। ଢୋଲକିଆ ପ୍ରଥମ ଥର ପାଇଁ ୨୦୧୧ ମସିହାରେ ଏହାର ୧୨୦୦ କର୍ମଚାରୀଙ୍କୁ କାର, ଫ୍ଲାଟ ଏବଂ ଗହଣା ଆଦି ଉପହାର ଆକାରରେ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ଢୋଲକିଆ ପ୍ରତିବର୍ଷ ଏହାର କର୍ମଚାରୀଙ୍କୁ ଦୀପାବଳିରେ ଦାମୀ ଉପହାର ଦେଇ ଆସୁଥିଲେ। ଢୋଲକିଆଙ୍କ କମ୍ପାନିରେ ୮ ହଜାର କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଏହାର ବାର୍ଷିକ କାରବାର ପ୍ରାୟ ୬ ହଜାର କୋଟି ଟଙ୍କା।

ସମ୍ବନ୍ଧିତ ଖବର