ରିଜର୍ଭ ବ୍ୟାଙ୍କ ସର୍ଭେ : ଖାଉଟି ବିଶ୍ୱାସ ୬ ବର୍ଷରେ ସର୍ବନିମ୍ନ

ମୁମ୍ବାଇ : ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଉପଭୋକ୍ତାଙ୍କ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଦେଶରେ ନିଯୁକ୍ତି, ଆୟ ଏବଂ ପରିବାର ଗୁଡ଼ିକର ବ୍ୟୟ ହ୍ରାସ ପାଉଥିବାବେଳେ ଉପଭୋକ୍ତାଙ୍କ ବିଶ୍ବାସ ମଧ୍ୟ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ କରାଯାଇଥିବା ସର୍ଭେରୁ ଏହି ବିଷୟ ଜଣାପଡ଼ିଛି। ଅର୍ଥନୀତିର ବର୍ତ୍ତମାନ ଏବଂ ଭବିଷ୍ୟତକୁ ନେଇ ଉପଭୋକ୍ତାମାନେ ସେତେଟା ଆଶାବାଦୀ ନାହାନ୍ତି। କରେଣ୍ଟ୍ ସିଚୁଏସନ୍ ଇଣ୍ଡେକ୍ସ (ସିସିଆଇ) ଗତ ଜୁଲାଇରେ ୯୫.୭ ଥିବାବେଳେ ସେପ୍ଟେମ୍ବରରେ ଏହା ୮୯.୪କୁ କମିଛି। ତେବେ ୨୦୧୩ ସେପ୍ଟେମ୍ବରରେ ଏହା ୮୮ ରହିଥିଲା। ଦେଶର ସାମଗ୍ରିକ ଅର୍ଥନୀତି ଏବଂ ନିଯୁକ୍ତି ନେଇ ମଧ୍ୟ ଲୋକ ‌ନିରୁତ୍ସାହିତ ଅଛନ୍ତି। ଆଗାମୀଦିନର ଆୟକୁ ନେଇ ମଧ୍ୟ ଆଶାବାଦୀ ନାହାନ୍ତି। ସର୍ଭେରେ ଭାଗ ନେଇଥିବା ୪୭.୯ ପ୍ରତିଶତ ପରିବାର ମତ ଦେଇଛନ୍ତି ଦେଶର ସାମଗ୍ରିକ ଅର୍ଥନୈତିକ ପରିସ୍ଥିତି ଖରାପ ହୋଇଛି। ତେବେ ୨୦୧୩ରେ ହୋଇଥିବା ସର୍ଭେରେ ୫୪ ପ୍ରତିଶତ ଲୋକ ଅର୍ଥନୀତି ଖରାପ ଥିବା ମତ ଦେଇଥିଲେ। ସର୍ଭେରେ ଭାଗ ନେଇଥିବା ୩୧.୮ ପ୍ରତିଶତ ଲୋକ କହିଛନ୍ତି ଆଗାମୀ ବର୍ଷରେ ଅର୍ଥନୀତି ସ୍ଥିତି ଖରାପ ହେବ। ୨୦୧୩ରେ ୩୮.୬ ପ୍ରତିଶତ ଲୋକ ଅର୍ଥନୀତିକୁ ନେଇ ଏଭଳି ମତ ଦେଇଥିଲେ।

ସମ୍ବନ୍ଧିତ ଖବର