ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପକୁ ଉଦ୍ଧାର କଲେ ଶକ୍ତିକାନ୍ତ, ୫୦ ହଜାର କୋଟିର ସହାୟତା ଘୋଷଣା

ପଦକ୍ଷେପକୁ ଚିଦମ୍ବରମ୍‌ଙ୍କ ପ୍ରଶଂସା

ମୁମ୍ବାଇ: ଦେଶର ଅଗ୍ରଣୀ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥା ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍‌ ୬ଟି ଡେବଟ୍‌ ବଣ୍ଡ୍‌କୁ ବନ୍ଦ କରିବା ପରେ ଦେଶର ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପରେ ଯେଉଁ ସଙ୍କଟ ଦେଖାଦେଇଥିଲା ତାହାକୁ ଦୂର କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପରେ ନଗଦ ରାଶିର ଘୋର ଅଭାବ ଦେଖାଦେଇଥିଲା। ରିଜର୍ଭ ବ୍ୟାଙ୍କର ଏହି ସ୍ବତନ୍ତ୍ର ପଦକ୍ଷେପ ସେହି ସମସ୍ୟାକୁ ଦୂର କରିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ବ୍ୟାଙ୍କଗୁଡ଼ିକ ପାଇଁ ସ୍ବତନ୍ତ୍ର ନଗଦ ରାଶି ବ୍ୟବସ୍ଥା ବିଷୟରେ ଘୋଷଣା କରାଯାଇଛି। ଏହା ଜରିଆରେ ବ୍ୟାଙ୍କଗୁଡ଼ିକ ମ୍ୟୁଚୁଆଲ୍ ଫଣ୍ଡ୍‌ କଂପାନିଗୁଡ଼ିକୁ ଋଣ‌ ଦେଇ ସେମାନଙ୍କ ନଗଦ ରାଶିର ଅଭାବ ପୂରଣ କରିବେ। ମ୍ୟୁଚୁଆଲ୍‌ ଫଣ୍ଡ୍‌ କଂପାନିଗୁଡ଼ିକ ପାଖରେ ଥିବା ନିବେଶ ମାନର କର୍ପୋରେଟ୍‌ ବଣ୍ଡ୍‌, କମର୍ସିଆଲ୍‌ ପେପର୍‌, ଡିବେଞ୍ଚର ଏବଂ ସାର୍ଟିଫିକେଟ୍‌କୁ ମଧ୍ୟ ବ୍ୟାଙ୍କଗୁଡ଼ିକ କିଣିପାରିବେ। ଏହିଭଳି ଭାବେ ମ୍ୟୁଚୁଆଲ୍‌ ଫଣ୍ଡ୍‌ କଂପାନିଗୁଡ଼ିକର ନଗଦ ରାଶିର ଅଭାବ ଦୂର କରିବାକୁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି। ଏହି ସ୍କିମ୍‌ ବ୍ୟାଙ୍କଗୁଡ଼ିକ ପାଇଁ ଆଜିଠାରୁ ଖୋଲିଥିବା ବେଳେ ମେ’ ୧୧ ପର୍ଯ୍ୟନ୍ତ ଜାରି ରହିବ। ବଜାର ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ସ୍କିମ୍‌ର ଅବଧି ଓ ପାଣ୍ଠି ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ବ୍ୟାଙ୍କଗୁଡ଼ିକ ଏହି ସ୍କିମ୍‌ରେ ଯେଉଁ କାରବାର କରିବେ ତାହା ସେମାନଙ୍କ ଷ୍ଟକ ବଜାର ପାଇଁ ଧାର୍ଯ୍ୟ ହୋଇଥିବା ସୀମାକୁ ପ୍ରଭାବିତ କରିବ ନାହିଁ। ଏହି ନିବେଶକୁ ଲାର୍ଜ ଏକ୍ସପୋଜର୍‌ ଫ୍ରେମୱାର୍କ (ଏଲ୍‌ଇଏଫ୍‌)ରେ ମଧ୍ୟ ସାମିଲ କରାଯିବ ନାହିଁ। ବ୍ୟାଙ୍କଗୁଡ଼ିକର ନିବେଶ ସୀମା ହିସାବ‌ ବେଳେ ଏହି ସ୍କିମ୍‌ର ନିବେଶକୁ ବିଚାରକୁ ନିଆଯିବ ନାହିଁ। ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହା ସ୍ଥିତି ଉପରେ କଡ଼ା ନଜର ରଖିବ। ଯେତେବେଳେ ଯେଉଁ ପଦକ୍ଷେପ ନେବା ଆବଶ୍ୟକ ହେବ ତାହା ଗ୍ରହଣ କରିବ। କୋଭିଡ୍‌-୧୯ ପ୍ରଭାବରେ ଷ୍ଟକ ବଜାରରେ ଘୋର ଅସ୍ଥିରତା ସୃଷ୍ଟି ହୋଇଥିବାରୁ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରି ନିଜର ନିବେଶ ରାଶି ପ୍ରତ୍ୟାହାର କରିନେଉଥିବାରୁ ମ୍ୟୁଚୁଆଲ୍‌ ଫଣ୍ଡ୍ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ନିବେଶକ ସେମାନଙ୍କ ୟୁନିଟ୍‌କୁ ରିଡିମ୍‌ କରୁଥିବାରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ କଂପାନିଗୁଡ଼ିକ ସେମାନଙ୍କ ପାଇଁ ଆଉ ନଗଦ ଟଙ୍କା ଯୋଗାଡ଼ କରିପାରୁନାହାନ୍ତି। ସେଥିପାଇଁ ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍ ଏହାର ୬ଟି ଫଣ୍ଡ୍‌କୁ ବନ୍ଦ କରିଦେଇଛି। ଏହି ସଙ୍କଟ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ଆଜି କହିଛି ଯେ କେବଳ ଉଚ୍ଚ-ବିପଦ ଥିବା ଡେବଟ୍‌ ବର୍ଗର ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ସମସ୍ୟା ରହିଛି। ସାରା ଶିଳ୍ପରେ ନଗଦ ରାଶିର କୌଣସି ଅଭାବ ନାହିଁ।ଫ୍ରାଙ୍କଲିନ୍ ଟେମ୍ପଲଟନ୍‌ ଘଟଣା ପରେ ତୁରନ୍ତ ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ପ୍ରଶଂସା କରିଛନ୍ତି। ଦୁଇ ଦିନ ତଳେ ଏହି ଘଟଣାକୁ ନେଇ ଚିଦମ୍ବରମ୍‌ ଚିନ୍ତା ପ୍ରକଟ କରିବା ସହ ଏହାର ସମାଧାନ ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଥିଲେ।

‘ବିତ୍ତୀୟ ନିଅଣ୍ଟ ମୁକାବିଲା ପାଇଁ ଲୋଡ଼ା ସ୍ବତନ୍ତ୍ର ଯୋଜନା’
ମୁମ୍ବାଇ: କରୋନା ପ୍ରଭାବରେ ଦେଶର ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୫ ପ୍ରତିଶତରୁ ଅଧିକ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ବିତ୍ତୀୟ ନିଅଣ୍ଟ ପାଇଁ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବ। ସରକାରଙ୍କୁ ଏବେ ଅର୍ଥନୀତି ଓ ଆର୍ଥିକ ସ୍ଥିରତା ଭିତରେ ସନ୍ତଳନ ରଖିବାକୁ ହେବେ। ଗୋଟିଏ ପଟେ ଅର୍ଥନୀତିକୁ ସହାୟତା ଦେବା ଲାଗି ସରକାରଙ୍କୁ ଧ୍ୟାନ ଦେବାକୁ ହେବ ଏବଂ ସେହି ସମୟରେ ଆର୍ଥିକ ସ୍ଥିରତାକୁ ମଧ୍ୟ ନଜରରେ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରେଜେରି ବିଲ୍‌ ନିଲାମରେ ରିଜର୍ଭ ବ୍ୟାଙ୍କ ଅଂଶଗ୍ରହଣ କରିନାହିଁ। ସ୍ବତନ୍ତ୍ର କରୋନା ବଣ୍ଡ୍‌ ଜାରି କରିବାର ମଧ୍ୟ କୌଣସି ଯୋଜନା ନାହିଁ ବୋଲି ଶକ୍ତିକାନ୍ତ କରିଛନ୍ତି। ଆର୍ଥିକ କ୍ଷେତ୍ର‌ର ନଗଦ ରାଶି ଅଭାବକୁ ଦୂରଣ କରିବା ଲାଗି ଟାର୍ଗେଟେଡ୍‌ ଲଙ୍ଗ୍‌ ଟର୍ମ ରେପୋ ଅପରେସନ୍‌ର ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗ ଏତେଟା ସଫଳ ହୋଇନାହିଁ। ବ୍ୟାଙ୍କଗୁଡ଼ିକ ନିଜ ବାଲାନ୍ସ ସିଟ୍‌ରେ ଏକ ନିର୍ଦିଷ୍ଟ ସ୍ତରଠାରୁ ଅଧିକ ବିପଦ ନେବାକୁ ଚାହିଁବେ ନାହିଁ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ପାଖରେ ‘ଷ୍ଟାଣ୍ଡିଂ ଡିପୋଜିଟ୍‌ ଫାସିଲିଟି’ ନାମକ ଆଉ ଏକ ଅସ୍ତ୍ର ରହିଛି। ବର୍ତମାନ ତାହାକୁ ପ୍ରୟୋଗ କରିବାର କୌଣସି ଯୋଜନା ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି। ଏହି ବ୍ୟବସ୍ଥାରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ପାଖରେ ଥିବା ଅତିରିକ୍ତ ନଗଦ ରାଶିକୁ ପଶ୍ଚାତଗାମୀ ରେପୋ ହାର ଠାରୁ କମ୍ ସୁଧରେ ଜମା କରିବାର ସୁବିଧା ଦିଆଯାଇଥାଏ। ଦରକାର ପଡ଼ି‌ଲେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

ଶକ୍ତିକାନ୍ତ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ପର୍ଯ୍ୟନ୍ତ ସମସ୍ତଙ୍କୁ ମୋରାଟୋରିଅମ୍ (ପରିଶୋଧ ଅବଧି ବଢ଼ାଇବା) ସୁବିଧା ଦେଇପାରିବେ। କିନ୍ତୁ ରେପୋ ଅପରେସନର ଦ୍ବିତୀୟ ଭାଗ ବିଫଳ ହେବାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ବ୍ୟାଙ୍କଗୁଡ଼ିକ ଅଧିକ ବିପଦ ନେବାକୁ ଚାହୁନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର