ଫେବ୍ରୁଆରିରେ ଆସିବ ଶିଳ୍ପ ଅବକ୍ଷୟ ରିପୋର୍ଟ:ଆଜିଠାରୁ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ

ଭୁବନେଶ୍ବର: ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅବକ୍ଷୟ ଯୋଗୁ କେ‌ତେ କ୍ଷତି ହେଉଛି ସେ ସମ୍ପର୍କିତ ଏକ ରିପୋର୍ଟ ଆସନ୍ତା ବର୍ଷ ଫେବ୍ରୁଆରିରେ ପ୍ରକାଶ ପାଇବ। ଆମେରିକାର ଏକ ସଂସ୍ଥା ନ୍ୟାସନାଲ୍ ଆସୋସିଏସନ୍ ଅଫ୍ କରୋଜନ୍ ଇଞ୍ଜିନିୟର୍ସ (ଏନ୍‌ଏସିଇ) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯିବ। ୨୦୧୬ରେ ଏନ୍‌ଏସିଇ ଏହାର ଶେଷ ରିପୋର୍ଟ ପ୍ରକାଶ କରିଥିଲା। ସେଥିରେ ଉଲ୍ଲେଖ କରିଥିଲା ଯେ, ଅବକ୍ଷୟ ଯୋଗୁ ଯେତିକି କ୍ଷତି ହେଉଛି ତାହା ବିଶ୍ବ ଜିଡିପିର ୩-୪% ସହ ସମାନ। ଏହି ସଂସ୍ଥାର ଭାରତ ସମ୍ପର୍କିତ ରିପୋର୍ଟରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଭାରତୀୟ ତୈଳ ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ-ପାଇପ୍‌ଲାଇନ୍ ଏ କେ ତିୱାରୀ ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଥିବା ୧୯ତମ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ ବିଷୟରେ ଘୋଷଣା କରିବାକୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ କହିଲେ, ଚଳିତ ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ନ୍ୟାସନାଲ୍ କରୋଜନ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏନ୍‌ସିସିଆଇ), ସିଏସ୍‌ଆଇଆର୍‌-ଇଲେକ୍ଟ୍ରୋକେମିକାଲ୍ ରିସର୍ଚ ଇନଷ୍ଟିଚ୍ୟୁଟ୍‌ ଓ ଭାରତୀୟ ତୈଳ ନିଗମର ପାଇପ୍‌ଲାଇନ୍ ଡିଭିଜନ୍‌ର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସମ୍ମିଳନୀର ଆୟୋଜକ ହେଉଛନ୍ତି ସାଉଥ ଇଷ୍ଟର୍ଣ୍ଣ ରିଜିଅନ୍ ପାଇପଲାଇନ୍ସ (ଏସ୍‌ଇଆର୍‌ପିଏଲ୍‌)। ଏହି ସମ୍ମିଳନୀରେ ୪୦୦ରୁ ଅଧିକ ପ୍ରତିନିଧି ଭାଗ ନେବେ। ଏହି ଅବସରରେ ଏସ୍‌ଇଆର୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପି ସି ଚୌବେ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ ୩୩୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ୍‌ଲାଇନ୍‌ କାମ ୨୦୨୦ ଶେଷ ଭାଗ ଆଡ଼କୁ ଶେଷ ହେବ।

ସମ୍ବନ୍ଧିତ ଖବର