ଟ୍ରାଭେଲ୍‌ ଏଜେନ୍ସି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକ ଗିରଫ

ଭୁବନେଶ୍ବର: ଟ୍ରାଭେଲ୍‌ ଏଜେନ୍ସି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍‌ ଉକ୍ତ ଏଜେନ୍ସିର ମାଲିକ ଏୟାରଫିଲ୍‌ଡ ଥାନା ଅଞ୍ଚଳର ନଳିନୀକାନ୍ତ ନନ୍ଦଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ୬ମାସ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପୁଅର ନିର୍ବନ୍ଧ ପାଇଁ ପରିବାର ସହିତ ଦୁବାଇ ଯିବାର ଥିଲା। ଏ ନେଇ ସେ ନଳିନୀକାନ୍ତଙ୍କ ଟ୍ରାଭେଲ ଏଜେନ୍ସି ସହ ଯୋଗାଯୋଗ କରିଥିଲେ। ଏ ବାବଦରେ ନଳିନୀକାନ୍ତ ୭୩ଲକ୍ଷ ଟଙ୍କା ନେଇଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ବିମାନବନ୍ଦରରେ ପହଞ୍ଚିବା ବେଳକୁ ଟିକେଟ୍‌ ବାତିଲ ‌ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ବ୍ୟକ୍ତି ଜଣଙ୍କ ନଳିନୀକାନ୍ତଙ୍କୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ସେପଟେ ଉକ୍ତ ଟ୍ରା‌‌େଭଲ୍‌ ଏଜେନ୍ସିରେ ମଧ୍ୟ ତାଲା ପଡ଼ିଥିଲା। ଏନେଇ ସେ ଏୟାରଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ। ପରେ ମାମଲାକୁ ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦିଆଯାଇଥିଲା। ନଳିନୀକାନ୍ତ ଦିଲ୍ଲୀରେ ଥିବା ଜାଣିବା ପରେ ସ୍ପେସାଲ୍‌ ସ୍କ୍ବାଡ୍‌ର ଏକ ଟିମ୍‌ ସେଠାରୁ ତାକୁ ଗିରଫ କରି ଏୟାରଫିଲ୍‌ଡ ଥାନା ଜିମା ଦେଇଛି। ନଳିନୀ ସମାନ ଢଙ୍ଗରେ ଅନ୍ୟମାନଙ୍କଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର