ଜାନୁଆରି ୨ପର୍ଯ୍ୟନ୍ତ କଟାଯିବନି ଶିଜାନଙ୍କ କେଶ, ଘର ଖାଦ୍ୟ ଓ ଔଷଧ ଦେବାକୁ ମିଳିଲା ଅନୁମତି

ମୁମ୍ବାଇ: ଜାନୁଆରି ୨ପର୍ଯ୍ୟନ୍ତ କଟାଯିବନି ଶିଜାନଙ୍କ କେଶ। ଘର ଖାଦ୍ୟ ଓ ଔଷଧ ଦେବାକୁ ମିଳିଲା ଅନୁମତି। ୧୪ଦିନ ପାଇଁ ନ୍ୟାୟିକ ହେପାଜତର ଅବଧି ବଢ଼ିବା ସହ ଶିଜାନଙ୍କ ଏହି ସବୁ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ସାଥୀ-ଅଭିନେତା ଶିଜାନ୍‌ ମହମ୍ମଦ୍‌ ଖାଁଙ୍କୁ ଗିରଫ କରିଥିଲା ପୁଲିସ।

ଗିରଫ ‌ପରେ ଅଧିକ ପଚରାଉଚରା ପାଇଁ ମୁମ୍ବାଇର ବସାଇ କୋର୍ଟ ତାଙ୍କୁ ପ୍ରଥମେ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଥିଲେ। ପରେ ଏହି କଷ୍ଟଡି ଅବଧି ବଢ଼ାଯାଇ ଡିସେମ୍ବର ୩୧ପର୍ଯ୍ୟନ୍ତ ଶିଜାନଙ୍କୁ ନ୍ୟାୟିକ ହେପାଜତକୁ ନେଇଥିଲା ପୁଲିସ। ହେଲେ ପଚରାଉଚରା ସମୟରେ ଶିଜାନ ସ୍ପଷ୍ଟ ଭାବେ ବୟାନ ରଖୁନଥିବାରୁ ଏବେ ପୁଣି ଥରେ ତାଙ୍କର ନ୍ୟାୟିକ ହେପାଜତ ଅବଧି ବଢ଼ିଛି। ତାଙ୍କୁ ଏ‌ବେ ୧୪ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବାକୁ ପଡ଼ିବ।

ତେବେ ନ୍ୟାୟିକ ହେପାଜତ ଅବଧି ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ କେଶ ନକଟାଯାଉ ବୋଲି ମୁମ୍ବାଇ କୋର୍ଟକୁ ଶିଜାନ ଆବେଦନ କରିଥିବା ବେଳେ ଏବେ ଏନେଇ ଅନୁମତି ମିଳିଛି। ଏହା ସହ ସେ ଘର ଖାଦ୍ୟ ଓ ଔଷଧ ପାଇଁ ମଧ୍ୟ ଅନୁମତି ମାଗିଥିଲେ, ଯାହାକୁ ଗ୍ରହଣ କରିଛନ୍ତି କୋର୍ଟ।

ନିଜ କେଶକୁ ନେଇ ଏତେ ଚିନ୍ତିତ ଥିବା ଶିଜାନଙ୍କୁ ନେଇ ତୁନିଶାଙ୍କ ଓକିଲ କହିଛନ୍ତି ଯେ, ଶିଜାନ ଯେମିତି ନିଜ କେଶକୁ ଏତେ ଗୁରୁତ୍ୱ ଦେଉଛନ୍ତି ତାହା ଦର୍ଶାଉଛି ଯେ ତୁନିଶାଙ୍କ ପ୍ରତି ସେ ଜମା ବି ଯତ୍ନବାନ ନଥିଲେ। ଶୁଣାଣି ସମୟରେ ବି ସେ ନିଜ କେଶକୁ ଗୁରୁତ୍ବ ଦେଉଥିଲେ।

 

ସମ୍ବନ୍ଧିତ ଖବର