ଏମିତି ଚାଲିଛି ଗାଁ ଉନ୍ନୟନ: ନାମକୁ ମାତ୍ର କାମ କରି ୫ ଲକ୍ଷ ହଡ଼ପ ମସୁଧା

ତଦନ୍ତ ପରେ ଅଟକିଲା ବିଲ୍

ସୁନ୍ଦରଗଡ଼: ଅନ୍ୟ ଠିକା ସଂସ୍ଥାର କାମକୁ ଦେଖାଇ ଏବଂ ନିଜେ ନାମକୁ ମାତ୍ର କାମ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୫ ଲକ୍ଷ ଟଙ୍କା ହଡ଼ପ ପାଇଁ ଅପଚେଷ୍ଟା କରିଥିବା ଜଣେ ସମିତିସଭ୍ୟ ହଟହଟା ହୋଇଛନ୍ତି। ଗାଁ ଲୋକଙ୍କ ତୀବ୍ର ବିରୋଧ ଓ ତଦାରଖ କମିଟିର ତଦନ୍ତ ପରେ ବ୍ଲକ୍ କର୍ତ୍ତୃପକ୍ଷ ବିଲ୍କୁ ଅଟକାଇ ଦେଇଥିବା ଜଣାପଡ଼ିଛି। ସବଡେଗା ବ୍ଲକ୍ ଯାଇସର ପଞ୍ଚାୟତ ଗଇଲୋ ଗ୍ରାମରୁ ଆସିଛି ଏହି ଚାଞ୍ଚଲ୍ୟକର ଅଭିଯୋଗ। ଗାଁର ଖେଳ ପଡ଼ିଆ ଉନ୍ନତିକରଣ ପାଇଁ ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ପ୍ରସ୍ତାବକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ବିଭାଗୀୟ (ଡିପାର୍ଟମେଣ୍ଟାଲ) କାମ ହୋଇଥିଲେ ମଧ୍ୟ ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ସମ୍ପୃକ୍ତ ସମିତିସଭ୍ୟଙ୍କୁ ସମ୍ପାଦନ ଦାୟିତ୍ବ ଦିଆଯାଇଥିଲା।

ଏହି ସମୟରେ ସବଡେଗା-ରାଜପୁର ପୂର୍ତ୍ତ ରାସ୍ତା କାମ ପାଇଁ ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନ ଖେଳପଡ଼ିଆରୁ ମାଟି ଉଠାଇଥିଲେ। ସମିତିସଭ୍ୟ ତାକୁ ଖେଳପଡ଼ିଆର କାମ ଦର୍ଶାଇବା ସହ ନାମକୁ ମାତ୍ର କିଛି କାମ କରି ପୂରା ବିଲ୍ ଉଠାଇବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟସ୍ଥଳକୁ ଦିନେ ବି ଆସି ନଥିବା ବିଭାଗୀୟ ଯନ୍ତ୍ରୀ ଆଖି ବୁଜି ବିଲ୍ ପ୍ରସ୍ତୁତ କରି ଦେଇଥିଲେ। ଏହା ଜାଣିବା ପରେ ଗାଁ ଲୋକେ ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତସମିତି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ନିଜେ ଏହାର ତଦନ୍ତ କରି କାମ ଠିକ୍ ହୋଇ ନଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ୩ ଜଣ ସମିତିସଭ୍ୟଙ୍କୁ ନେଇ ଗଠିତ ତଦାରଖ କମିଟି ଖେଳ ପଡ଼ିଆକୁ ଯାଇ କାମର ଯାଞ୍ଚ କରିଥିଲେ। ତଦନ୍ତରେ ନାମକୁ ମାତ୍ର କାମ ହୋଇଥିବା ଓ ରାସ୍ତା କାମ ପାଇଁ ଠିକା ସଂସ୍ଥା ଖେଳ ପଡ଼ିଆରୁ ମାଟି ଉଠାଇଥିବା ବେଳେ ତାକୁ ନିଜ ବିଲ୍ରେ ଯୋଡ଼ିବାକୁ ଉଦ୍ୟମ କରାଯାଇଥିବା ଜଣାପଡ଼ିଥିଲା।

ଏ ସମ୍ପର୍କିତ ରିପୋର୍ଟ କମିଟି ଦେବା ପରେ ବିଲ୍ ଅଟକାଇ ଦେଇଥିଲା ବ୍ଲକ୍ ପ୍ରଶାସନ। ଏହା ମଧ୍ୟରେ ବହୁବାର ସମ୍ପୃକ୍ତ ସମିତିସଭ୍ୟ ବିଲ୍ କରାଇନେବାକୁ ଉଦ୍ୟମ କରିଥିବା ଶୁଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୧୦ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ସର୍ଗିଢିପାରୁ ଲୁହୁରାପଡ଼ା ବସ୍ତି ରାସ୍ତା ପକ୍କା କାମ ୩ ମାସରେ ଶୋଚନୀୟ ଅବସ୍ଥାକୁ ଚାଲିଯିବା, ରଣପୁର-ଡମକୁଡା ମଝିରେ ଥିବା ନଦୀ ସେତୁ ତଳେ ବ୍ୟକ୍ତିଗତ କାମ ଦର୍ଶାଇ ଏକ ଗାର୍ଡୱାଲ୍ ତିଆରି କରିନେବା ପରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀଙ୍କ ସହ ମିଶି ଗୋପନରେ ବିଲ୍ ଉଠାଇନେବା, ୫ ଲକ୍ଷ ଟଙ୍କାର ସର୍ଗିଢିପା ଲିକାପଡ଼ା ପକ୍କା ରାସ୍ତା କାମ ମାତ୍ର ୪ ମାସରେ ଦଦରା ହୋଇଯିବା ପରି ଚାଞ୍ଚଲ୍ୟକର ଅଭିଯୋଗ ରହିଛି। ଏସବୁ କାମରେ ପଞ୍ଚାୟତର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିବା ଜଣେ କରିତକର୍ମା ସମିତିସଭ୍ୟ ଠିକାଦାର ସାଜି ସରକାରୀ ବାବୁମାନଙ୍କ ସହ କିପରି ସରକାରୀ ଅନୁଦାନ ରାଶି ହଡ଼ପ କରିଛନ୍ତି ବା ହେରଫେର କରିବାର ମସୁଧା କରିଛନ୍ତି, ତାହା ଜଳଜଳ ଦିଶୁଛି।

ସମ୍ବନ୍ଧିତ ଖବର