ଶ୍ରମିକଙ୍କ ସହ କାମ କଲେ ବିଡିଓ

ଯୁଯୁମୁରା: ଶ୍ରମିକମାନଙ୍କୁ ଉତ୍ସାହିତ କରିବାକୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ବିଡିଓ ନୀଳାମ୍ବର ମହାନନ୍ଦ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ନିଜେ କାର୍ଯ୍ୟସ୍ଥଳକୁ ଯାଇ ଶ୍ରମିକମାନଙ୍କ ସହ ମିଶି କାମ କରୁଛନ୍ତି। ସେହିପରି ବିଡିଓଙ୍କୁ ଅତି ନିକଟରେ ପାଇ ଶ୍ରମିକମାନେ ମଧ୍ୟ ଖୋଲାଖୋଲି ଭାବେ ସେମାନଙ୍କ ସମସ୍ୟା ତାଙ୍କୁ ଜଣାଇ ପାରୁଛନ୍ତି। ତାଙ୍କର ଏଭଳି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ମନ୍‌ରେଗା ଯୋଜନାରେ ବ୍ଲକ୍‌ର ଗଡ଼ଲୋଇସିଂହ ପଞ୍ଚାୟତ ଚାରପାଲି ପୋଖରୀ ଖନନ ଓ ବାଣ୍ଡିଝରଣ ଡ୍ରେନ୍‌ କାମ ଚାଲିଛି। ସୋମବାର ବିଡିଓ ଶ୍ରୀ ମହାନନ୍ଦ କାର୍ଯ୍ୟସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। କିଭଳି କାମ ହେଉଛି, କ’ଣ ଅସୁବିଧା ରହିଛି ବୋଲି ପଚାରି ବୁଝିଥିଲେ। ଶ୍ରମିକମାନେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପାରିଶ୍ରମିକ ଶୀଘ୍ର କରାଇଦେବାକୁ ଦାବି କରିଥିଲେ। ବିଡିଓ ଶ୍ରୀ ମହାନନ୍ଦ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଶ୍ରମିକମାନଙ୍କ ସହ ବିଡିଓ କିଛି ସମୟ କାମ ବି କରିଥିଲେ। ଶ୍ରମିକମାନେ ମନା କରିଥିଲେ ମଧ୍ୟ ସେ ମହିଳା ଶ୍ରମିକଙ୍କ ମାଟି ଝୁଡ଼ି ବୋହି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏ ସଂପର୍କରେ ବିଡିଓ ଶ୍ରୀ ମହାନନ୍ଦ କହିଛନ୍ତି, ଦାଦନ ଶ୍ରମିକ ସମସ୍ୟା ରୋକିବା, ରୋଜଗାର ସୃଷ୍ଟି କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଅଧିକ ଶ୍ରମିକ ନିୟୋଜିତ ହେଲା ଭଳି ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର