ଶୁଆକାଟି ଟ୍ରକ ମାଲିକଙ୍କ ଆନ୍ଦୋଳନ ୧୧ଦିନରେ

କେନ୍ଦୁଝର: ପ୍ରଶାସନର ନିଷ୍ପତ୍ତିକୁ ବେଖାତିର କରି ଶୁଆକାଟି ଟ୍ରକ ମାଲିକ ସଂଘ ୧୧ ଦିନ ହେଲା ଆନ୍ଦୋଳନ ଜାରି ରଖିଛି। ଫଳରେ ଓଏମ୍‌ସି ଖଣିରୁ ଖଣିଜ ପରିବହନ ବନ୍ଦ ହୋଇଯାଇଛି। ଫଳରେ ହଜାର ହଜାର ଟ୍ରକ୍‌ ମାଲିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଏହାସତ୍ତ୍ବେ ମଧ୍ୟ ଟ୍ରକ୍‌ ମାଲିକଙ୍କୁ ବୁଝାସୁଝା କରି ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଓଏମ୍‌ସି ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।

କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ଓ ଶୁଆକାଟି ଟ୍ରକ୍‌ ମାଲିକ ସଂଘରେ ଓଏମ୍‌ସି ଖଣିରୁ ଲୋଡିଂ ଟୋକନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ଦେବଯାନୀ ଚକ୍ରବର୍ତ୍ତୀ ଉଭୟ ସଂଘର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିଥିଲେ। ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସୁରୁଖୁରରେ ଲୋଡିଂ ଚାଲିଥିଲା। ବର୍ତ୍ତମାନ ଓଏମ୍‌ସି ଖଣିରୁ ପ୍ରତିଦିନ ବାହାରୁଥିବା ଲୋଡିଂ ଇଣ୍ଡେନରେ ସୋମବାର ଶୁଆକାଟି ଟ୍ରକ୍‌ ମାଲିକ ସଂଘକୁ ୨୨ ପ୍ରତିଶତ ଏବଂ ଅନ୍ୟଦିନ ଗୁଡ଼ିକରେ ୧୪ ପ୍ରତିଶତ ପ୍ରଦାନ କରାଯାଉଛି। ଏହାସତ୍ତ୍ବେ ଶୁଆକାଟି ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇ ଖଣିଜ ପରିବହନ ବନ୍ଦ କରାଯାଉଛି। ବର୍ତ୍ତମାନ ଶୁଆକାଟି ଟ୍ରକ୍‌ ମାଲିକ ସଂଘ ୨୫ ପ୍ରତିଶତ ଲୋଡିଂ ଟୋକନ ଦାବି କରି ଆନ୍ଦୋଳନ କରୁଛି। ପ୍ରତିଦିନ ଓଏମ୍‌ସି ଇଣ୍ଡେନ ଦେଉଛି। ପୁଣି ଏହାକୁ ବନ୍ଦ କରୁଛି କାହା ସ୍ବାର୍ଥରେ ବୋଲି ଜିଲ୍ଳା ଟ୍ରକ ମାଲିକ ସଂଘ ସଂପାଦକ ସୂର୍ଯ୍ୟନାରାୟଣ କର ପ୍ରକାଶ କରିଛନ୍ତି। ଶୁଆକାଟି ଖଣିରେ ଶୁଅକାଟି ଲୋଡିଂ ଏଜେନ୍ସି ବେଆଇନ ଭାବେ ଲୋଡିଂ କାର୍ଯ୍ୟ ନେଇଛି।

ଜିଲ୍ଲାରେ ଥିବା ଅନ୍ୟ ଖଣିରେ ଟନ୍‌ ପିଛା ଲୋଡିଂ ପାଇଁ ୧୫ରୁ ୨୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏଠାରେ ଟନ୍‌ ପିଛା ୬୦ ଟଙ୍କା ବେଆଇନ ଭାବେ ନିଆଯାଉଛି। ଲୋଡିଂ ଏଜେନ୍ସି ବିନା ଟେଣ୍ଡରରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରିଆସୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ଲୋଡିଂ କାର୍ଯ୍ୟର ଟେଣ୍ଡର କରାଗଲେ ସରକାରଙ୍କ ରାଜସ୍ବ ବଢ଼ିବ ବୋଲି ଶ୍ରୀ କର କହିଛନ୍ତି। ଅନପକ୍ଷରେ ଏହି ଖଣି ଉପରେ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘର ୬ ହଜାରରୁ ଅଧିକ ସଦସ୍ୟ ଓ ଶୁଆକାଟି ଟ୍ରକ୍‌ ମାଲିକ ସଂଘର ଦୁଇଶହ ଟ୍ରକ୍‌ ମାଲିକ ନିର୍ଭର କରିଥାନ୍ତି। ଏହି ଦୁଇ ସଂଘର ଟ୍ରକ୍‌ରେ ଖଣିରୁ ବିଭିନ୍ନ ସ୍ଥାନକୁ ଲୁହାପଥର ପରିବହନ ହୋଇଥାଏ। ୧୧ ଦିନ ହେଲା ଖଣିରୁ ପରିବହନ ବନ୍ଦ ଥିବା ବେଳେ ହଜାର ହଜାର ଟ୍ରକ୍‌ ଛିଡ଼ା ହୋଇଛନ୍ତି। ଫଳରେ ଟ୍ରକ୍‌ ମାଲିକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ନିଷ୍ପତ୍ତିକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସର୍ବଦା ସମ୍ମାନ ଜଣାଇ ଆସିଛି ବୋଲି ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରିଯିବ ବୋଲି ସେ କହିଛନ୍ତି। ପ୍ରଶାସନର ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ନହେଲେ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର