ରେଳସାଇଡିଂରେ ସ୍ଥାନୀୟ ନିଯୁକ୍ତି ଦାବିରେ ଉତ୍ତେଜନା

ଯୋଡ଼ା: ଯୋଡ଼ା ବ୍ଲକ୍‌ ବିରିକଳା ପଞ୍ଚାୟତର ବିଲେଇପଦାସ୍ଥିତ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡର ରେଳସାଇଡିଂରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଠିକାସଂସ୍ଥାର ଜଣେ କର୍ମଚାରୀ ବିରିକଳା ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କୁ ପଥରରେ ଆକ୍ରମଣ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାସେ ହେବ ଏହି ରେଳସାଇଡିଂର ପରିଚାଳନା ଦାୟିତ୍ବ କମ୍ପାନି ପକ୍ଷରୁ ଏକ ଠିକାସଂସ୍ଥାକୁ ଦିଆଯାଇଛି। ଉକ୍ତ ଠିକାସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହେଉଛି।

ଗତକାଲି ସନ୍ଧ୍ୟାରେ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଠିକାସଂସ୍ଥା ପକ୍ଷରୁ ଡକାଯାଇଥିଲା। ଆଲୋଚନା ସମୟରେ ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କୁ ଠିକାସଂସ୍ଥାର କର୍ମଚାରୀ କ୍ଷୀରୋଦ ଗୋପ ଗାଳିଗୁଲଜ କରିବା ସହ ପଥରରେ ଆକ୍ରମଣ ଉଦ୍ୟମ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଉତ୍ତ୍ୟକ୍ତ ଲୋକେ ରେଳସାଇଡିଂରେ ପରିବହନ ଓ ଲୋଡିଂ କାମ ବନ୍ଦ କରିଦେଇଛନ୍ତି। ଏ ସମ୍ପର୍କରେ କମ୍ପାନିର କର୍ପୋରେଟ ଯୋଗାଯୋଗ ଅଧିକାରୀ ରାଜେଶ ଦାସ କହିଛନ୍ତି, ଏନେଇ ଏକ ବୈଠକ କରାଯାଇ ଏଥିରେ ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର