ମିଗଜୋମ୍‌ ନେଇ ସତର୍କ କଲାନି ପ୍ରଶାସନ: ବିକିବା ଆଗରୁ ଭାସିଲା ଧାନ, ନଷ୍ଟ ହେଲା କପା

ଦୁଇ ଦିନରେ ୨୯.୦୮ ମିମି ବର୍ଷା

ବଲାଙ୍ଗୀର: ମିଗଜୋନ୍‌ ନେଇ ଚାଷୀଙ୍କୁ ଆଦୌ ସତର୍କ କରାଯାଇନଥିଲା। ଚାଷୀ ଧାନକାଟି ଖଳାରେ ରଖିଥିଲେ। କିଛି ଚାଷୀଙ୍କ ଧାନ କଟା ଯାଇନଥିବା ବେଳେ କିଛି ଚାଷୀଙ୍କ ଧାନ ବିଲରେ ଅଧାକଟା ଅବସ୍ଥାରେ ଥିଲା। ଉପକୂଳ ଓଡ଼ିଶାରେ ମିଗଜୋମ୍‌କୁ ନେଇ ସରକାର ସତର୍କ କରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କୁ ସତର୍କ କରାଯାଇନଥିଲା। ଭଲ ଚାଷ ହୋଇଥିବାରୁ ଚାଷୀ ଖୁସି ହୋଇଥିବା ବେଳେ ବିକିବା ପୂର୍ବରୁ ଏବେ ପାଚିଲା ଧାନକେଣ୍ଡା ପାଣିରେ ବୁଡ଼ି ରହିଛି। ଏଭଳି ଶେଷ ସମୟରେ ହଠାତ ମୁଣ୍ଡରେ ଚଡ଼କ ପଡ଼ିବ ବୋଲି ଆଶା କରିନଥିବା ଚାଷୀ ଏବେ ଭାଗ୍ୟକୁ ଆଦରି ଚିନ୍ତାରେ ବସିଛି।

ବଲାଙ୍ଗୀର ଜିଲ୍ଲାରେ ଧାନ ସହ କପା ଫସଲ ମଧ୍ୟ ବର୍ଷାରେ ନଷ୍ଟ ହୋଇଛି। ଜିଲ୍ଲାର ବେଲପଡ଼ା, ଗୁଡ଼ଭେଲା, ଖପ୍ରାଖୋଲ, ପାଟଣାଗଡ଼ ବ୍ଲକରେ ଚାଷୀ କରିଥିବା କପା ଏବର୍ଷ ଭଲ ହୋଇଥିବା ବେଳେ କପା ପାଚି ସାରିଥିଲା। କେଉଁଠି ପ୍ରଥମ ଥର ଆଉ କେଉଁଠି ଓ ଦ୍ବିତୀୟ ଥର ତୋଳାଯାଇଥିବା ବେଳେ ଏହି ବର୍ଷା ବାକି କପାକୁ ନ‌ଷ୍ଟ କରିଦେଇଛି। କପା ଗୁଡ଼ିକ ପାଣିରେ ଭିଜି ସଂପୂର୍ଣ୍ଣ ଓଦା ହୋଇ ଯାଇଥିବାରୁ ଏହା କଳାପଡ଼ି ଯିବା ସମ୍ଭାବନା ରହିଛି। ବର୍ଷା ପରେ କୋହଳା ପାଗ ଏହି ଫସଲକୁ ଅଧିକ କ୍ଷତି କରିବା ଆଶଙ୍କା ରହିଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ଚଳିତ ବର୍ଷ ୭୦ ହଜାର ୯୩୭ ହେକ୍ଟର ଜମିରେ କପା ଚାଷ କରାଯାଇଥିବା ଜଣାପଡ଼ିଛି। ତେବେ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ହାରାହାରି ୨୯.୦୮ ମିମି ବର୍ଷା ହୋଇଛି। ୫ ତାରିଖ ୮୪.୭ ମିମି ଓ ୬ ତାରିଖ ୩୨୨.୪ ମିମି ବର୍ଷା ରେକର୍ଡ଼ କରାଯାଇଛି।

ଏହି ଦୁଇ ଦିନରେ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ବଲାଙ୍ଗୀରରେ ୩୬ ମିମି, ବଙ୍ଗୋମୁଣ୍ଡାରେ ୨୪, ବେଲପଡ଼ାରେ ୧୧, ଦେଓଗାଁରେ ୧୬, ଡୁଡୁକାରେ ୩୬, ଗୁଡ଼ଭେଲାରେ ୨୧, ଖପ୍ରାଖୋଲରେ ୪୫, ଲୋଇସିଂହାରେ ୨୮, ମୁରିବାହାଲରେ ୪୭, ପାଟଣାଗଡ଼ରେ ୪୫, ପୁଇନ୍ତଲାରେ ୩୧, ସଇନ୍ତଲାରେ ୨୨, ଟିଟିଲାଗଡ଼ରେ ୩୧ ଓ ତୁରେକେଲାରେ ୧୩ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଗୁରୁବାର ବଲାଙ୍ଗୀର ସମେତ ବିଭିନ୍ନ ବ୍ଲକରେ ବର୍ଷା ଜାରି ରହିଛି। ଜିଲ୍ଲା କୃଷି ବିଭାଗ କିମ୍ବା ଜରୁରୀ ଶାଖା ପାଖରେ ବର୍ତ୍ତମାନ ସୁଦ୍ଧା କେତେ ଜମିରେ କେତେ ଧାନ ନଷ୍ଟ ହେଲାଣି ତାର ତଥ୍ୟ ଆସିନଥିବା ଜଣାଯାଇଛି। ସରକାର ଆସନ୍ତା ୧୨ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ପ୍ରଶାସନ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର