ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନୈରାଶ୍ୟଜନକ ଥିଲା: କଂଗ୍ରେସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଅନେକ ସମସ୍ୟା ରହିଛି। ଏ ଜିଲ୍ଲାର ଲୋକେ ଗରିବୀରେ ପେଶି ହେଉଛନ୍ତି। ଦାଦନ ସମସ୍ୟାଠାରୁ ନେଇ ଚାଷୀଙ୍କ ସମସ୍ୟା କାହିଁରେ କେତେ। ଏଭଳି ସ୍ଥିତିରେ ବଲାଙ୍ଗୀରକୁ ପ୍ରଧାନମନ୍ତ୍ରୀ ଆସିଲେ ଓ କୌଣସି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ନାହିଁ। ଯୁବକ, ଶ୍ରମିକ, ଚାଷୀ ଯାହା ଆଶା କରିଥିଲେ, ତାଙ୍କଠାରୁ ତାହା ପାଇଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସଂପୂର୍ଣ୍ଣ ନୈରାଶ୍ୟଜନକ ଥିଲା ବୋଲି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଭ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବିଶେଷ କିଛି କହିନଥିବା ବେଳେ ତାଙ୍କର ଗସ୍ତ ଏକ ଫମ୍ପା ଆବାଜ ଥିଲା ବୋଲି ସେ କହିଛନ୍ତି। ଶ୍ରୀ ମିଶ୍ର କହିଥିଲେ, ଅତୀତରେ ଯେତେବେଳେ ବି ଓଡିଶାକୁ ପ୍ରଧାନମନ୍ତ୍ରୀ ଆସିଛନ୍ତି ସେତେବେଳେ ଷ୍ଟିଲ ପ୍ଲାଣ୍ଟ, ଗୋଳାବାରୁଦ କାରଖାନା, ବିଶାଳ ଜଳସେଚନ ପ୍ରକଳ୍ପ ଭଳିଆ ପ୍ରକଳ୍ପ ଓଡିଶାକୁ ଦେଇ ଆସିଛନ୍ତି। କିନ୍ତୁ ମାତ୍ର ୧୫ ରୁ ୧୬ କିମିର ଏକ ରେଳ ଚଳାଚଳ ପାଇଁ ରେଳପଥ ଓ ଏକ ପାସପୋର୍ଟ କେନ୍ଦ୍ର ଉଦଘାଟନ କରିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷେ ଏକ ହାସ୍ୟାସ୍ପଦ କଥା ବୋଲି ସେ କହିଥିଲେ। ଆମେ ତାଙ୍କ ଗସ୍ତ ପୂର୍ବରୁ ଚାଷୀ ସମାବେଶରେ ଏଠାକାର ମୁଖ୍ୟ ସମସ୍ୟା ଗୁଡିକୁ ନେଇ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲୁ। ଆଇନ ମୁତାବକ ଭାରତୀୟ ଖାଦ୍ୟ ନିଗମ ଏଠାକାର ଚାଷୀଙ୍କ ଠୁଁ ଧାନ କିଣୁ ବୋଲି ମଧ୍ୟ ଦାବି କରାଯାଇଥିଲା। ଚାଷୀ ଋଣ ଛାଡ଼ ତ ଦୂରର କଥା, ଧାନର ଅଭାବୀ ବିକ୍ରି କିମ୍ବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ମୁହଁ ଖୋଲିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଉଚିତ ଭାବିଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ରାସନକାର୍ଡ ପ୍ରସଙ୍ଗରେ ମୋଦୀ ଯାହା କହିଛନ୍ତି ତାହା ଖାଦ୍ୟ ସୁରକ୍ଷା ଆରମ୍ଭ କରିଥିବା କଂଗ୍ରେସ ସରକାରକୁୁ ବଦନାମ କରିବା ପାଇଁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ସେ କହିଥିଲେ। ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ସାନନ୍ଦ ମିଶ୍ର, ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ଅସିମ ପଟ୍ଟନାୟକ, କିଶାନ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ ସୁଧିର ପରିଚ୍ଛା, ରାଜ୍ୟ ସଂପାଦକ ସୁଦାମ ସାହୁ ମଞ୍ଚାସୀନ ଥିଲେ। ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ଉପ-ସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର, ଅଜୟ ବାଲି, ସଂଜୀବ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର