ବାପାଙ୍କୁ ଖାଇଗଲା ବାଘ, ମା’ କ୍ୟାନ୍‌ସରରେ ମୃତ : ଅନାଥ ଟିକିଲି ଓ ବୁନ୍ଦୁଲିଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବ କି?

ପାଇକମାଲ: ଗୋଟିଏ ପଟେ ସରକାର ଜଗା-ବଳିଆଙ୍କ ଭଳି ମୁଣ୍ଡ ଯୋଡ଼ି ହୋଇଥିବା ଶିଶୁଙ୍କୁ ଚିକିତ୍ସା କରାଇ ବଞ୍ଚାଇ ଦେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତେବେ ଏଭଳି ଘଟଣା କେବେ କେମିତି ଗୋଟିଏ ଦୁଇଟି ଘଟୁଥିବା ବେଳେ ଅନ୍ୟପଟେ ସରକାର ଓ ପ୍ରଶାସନର ଅବହେଳା ଯୋଗୁଁ ହଜାର ହଜାର କାହିଁକି ଲକ୍ଷ ଲକ୍ଷ ଗରିବ ଶିଶୁ ଅତ୍ୟନ୍ତ ଅସହାୟ ଓ ଦୟନୀୟ ସ୍ଥିତିରେ ଜୀବନ ଜିଉଁଥିବା ଦେଖିବାକୁ ମିଳେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁମିର ଗାଁରେ। ଗାଁର ଦୁଇ ଝିଅ ଟିକିଲି ଓ ବୁନ୍ଦୁଲି ଅତି ଛୋଟ ବୟସରୁ ବାପା-ମା’ଙ୍କୁ ହରାଇ ଅନାଥ ହେବା ସହ ଅସହାୟ ଅବସ୍ଥାରେ ରହିଥିବା ବେଳେ ଆଜି ଯାଏ ସେମାନଙ୍କ ଉପରେ ପ୍ରଶାସନର ସୁଦୃଷ୍ଟି ପଡ଼ି ନାହିଁ। ସୂଚନାନୁସାରେ ଗତ ୨୦୦୪ ମସିହାରେ କୁମିର ଗାଁ’ର ଜଗଦୀଶ ପାତ୍ର ବାଘ ଆକ୍ରମଣରେ ଆହତ ହୋଇଥିଲେ। ମାତ୍ର ଗରିବ ହୋଇଥିବାରୁ ଠିକ୍‌ ଭାବେ ଚିକିତ୍ସା କରାଇ ନ ପାରି ଓ ସରକାରଙ୍କ ଠାରୁ କୌଣସି ସହାୟତା ନ ପାଇବାରୁ କିଛି ଦିନ ପରେ ଆଖି ବୁଜିଲେ।

ସେତେବେଳକୁ ଦୁଇ ଝିଅ ଟିକିଲି ଓ ବୁନ୍ଦୁଲି ବହୁତ ଛୋଟ ଛୋଟ। ସ୍ୱାମୀଙ୍କ ଏଭଳି ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ହେଁ ପତ୍ନୀ କବିତା ଦୁଇ ଛୁଆଙ୍କ ମୁହଁକୁ ଦାନା ଯୋଗାଇବାକୁ ବାହାରିଲେ କୁଲି ମଜୁରି କରିବାକୁ। ମାତ୍ର ନ ପାରିବାରୁ ଭୋକ ଉପାସରେ ଛୁଆଙ୍କୁ ଧରି ପଡ଼ି ରହିଲେ। ଖବର ।ପଇ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତର ସରପଞ୍ଚ କବିତା ଓ ଦୁଇ ଝିଅଙ୍କୁ ନିଜ ପାଖକୁ ଆଣି ରଖିବା ସହ କାମ ଯୋଗାଇ ଦେଲେ। କାମ କରି ଦୁଇ ପଇସା ରୋଜଗାର କରିବା ପରେ ତାଙ୍କ ଦିନ ଠିକ୍‌ଠାକ୍‌ କଟିବା ଆରମ୍ଭ କରିଛି କି ନାହିଁ ଅତ୍ୟଧିକ ପରିଶ୍ରମ ଯୋଗୁ କବିତା କ୍ୟାନ୍‌ସରରେ ପୀଡ଼ିତ ହୋଇଥିବା ଜଣାପଡ଼ିଲା। ଚିକିତ୍ସା ପାଇଁ ହାତରେ ପଇସା ନଥିବା ବେଳେ ଏଥର ତାଙ୍କୁ ବି କୌଣସି ସରକାରୀ ସହାୟତା ମିଳିଲାନି।

ଫଳରେ କିଛି ଦିନ ପରେ ସେ ବି ଚାଲିଗଲେ ଆରପାରିକୁ। ତାଙ୍କ ମୃତ୍ୟୁ ପରେ ଦୁଇ ଝିଅ ଅନାଥ ହୋଇଯିବା ସହ ଅର୍ଥାଭାବରୁ ତାଙ୍କ ପାଠ ପଢ଼ାରେ ବି ଡୋରି ବନ୍ଧା ହେଲା। ତେବେ ସେମାନଙ୍କ ଏ ଅବସ୍ଥା ଦେଖି ଗାଁର ଧନରାଜ ବୁର୍ଲା ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି। କବିତା ଓ ଜଗଦୀଶଙ୍କୁ ସରକାରୀ ସହାୟତା ମିଳିଥିଲେ ଆଜି ଟିକିଲି ଓ ବୁନ୍ଦୁଲି ଅନାଥ ହୋଇ ନଥାନ୍ତେ। ତେଣେ ଏଭଳି ସ୍ଥିତିରେ ପ୍ରଶାସନ ସହାୟତା ଯୋଗାଇବା ପରିବର୍ତ୍ତେ ଓଲଟା କବିତାଙ୍କ ମୃତ୍ୟୁ ପରେ ସେ ଅନ୍ନପୂର୍ଣ୍ଣା ଯୋଜନାରେ ପାଉଥିବା ମାସକୁ ୧୦ କେଜି ଚାଉଳ ବନ୍ଦ କରି ଦିଅଯାଇଛି। ଏପରିକି ଶବ ଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ବି ମିଳି ନଥିଲା। ଏ ନେଇ ପାଇକମାଳ ବିଡିଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବରଗଡ଼ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ସଂପୃକ୍ତା ଅନାଥ ଦୁଇ ଝିଅଙ୍କ ଥଇଥାନ ଓ ପାଠ ପଢ଼ା ବ୍ୟବସ୍ଥା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର