ଧରାପଡ଼ିଲା ଆନ୍ତଜିଲ୍ଲା କଫ୍‌ସିରପ୍‌ ରାକେଟ, ୧୭୧୯ ବୋତଲ କଫ୍‌ସିରପ ଜବତ 

 

ବଲାଙ୍ଗୀର: କଫ୍‌ସିରପ୍‌ ଚୋରା ଚାଲାଣ ଘଟଣାରେ ବଲାଙ୍ଗୀର ପୁଲିସ ହାତରେ ବଡ଼ ସଫଳତା ଲାଗିଛି। ସୋମବାର ବଲାଙ୍ଗୀର ପୁଲିସ ଏକ ଆନ୍ତଜିଲ୍ଲା କଫ୍‌ସିରପ୍‌ ରୢାକେଟର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ସମୁଦାୟ ୧୭୧୯ ବୋତଲ କଫ୍‌ସିରପ୍‌, ୨ଟି କାର୍‌, ୩ଟି ବାଇକ୍‌ ଜବତ କରିବା ସହ ୧୮ଜଣ ବେପାରୀଙ୍କୁ ଗିରଫ କରିଥିବା ଏସ୍‌ପି ଋଷିକେଶ ଖିଲାରୀ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଜିଲ୍ଲାରେ ନିଶା କାରବାର ବିଭିନ୍ନ ବେଆଇନ କାର୍ଯ୍ୟକଳାପକୁ ଖୋରାକ ଯୋଗାଉଛି। ଏହାକୁ ରୋକିବାକୁ ହେଲେ ଜିଲ୍ଲାରେ ନିଶା କାରବାର ଉପରେ ରୋକ୍‌ ଲଗାଇବାକୁ ହେବ। ବିଗତ କିଛିଦିନ ହେଲା ନିଶା କରାବର ରୋକିବା ପାଇଁ ବଲାଙ୍ଗୀର ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇଥିଲା। ଦୁଇ ତିନୋଟି ଗାଡ଼ିରେ ସୋନପୁରରୁ ବଲାଙ୍ଗୀରକୁ କଫ୍‌ସିରପ୍‌ ଚୋରା ଚାଲାଣ ହେଉଥିବା ନେଇ ୧୭ ତାରିଖ ଦିନ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ପୁଲିସ ଏକ ଟିମ୍‌ ଗଠନ କରି ସୋନପୁର ରାସ୍ତାରେ ବାହାରିଥିଲା। ସୁଦପଡ଼ା କଲ୍ୟାଣ ମଣ୍ଡପଠାରେ ଗୋଟିଏ ନିସାନ ଏସ୍‌ୟୁଭି, ଗୋଟିଏ ମାରୁତି ବାଲେନୋ ଓ ୩ଟି ବାଇକ୍‌ ରାସ୍ତା କଡ଼ରେ ଅଟକିଥିବା ବେଳେ କଫ୍‌ସିରପ୍‌ କାର୍ଟୁନଗୁଡ଼ିକ ବୋଝେଇ ହେଉଥିଲା। ପୁଲିସକୁ ଦେଖି ଦୁର୍ବୁତ୍ତମାନେ ଫେରାର ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଚାରିପଟୁ ଘେରି କାବୁ କରିବାରେ ସଫଳ ହୋଇଥିଲା। ଖୋଳତାଡ଼ କରିବା ପରେ କଟକର ଦୁଇଜଣ କଫ୍‌ସିରପ୍‌ ବେପାରୀ ବଲାଙ୍ଗୀରକୁ କଫ୍‌ସିରପ୍‌ ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା। ଏହି ଦୁଇଜଣଙ୍କ ନାମ ମହେଶ୍ୱର ମହାନ୍ତି ଓ ଜାବେଦ ତସଲିବୋଥ ଓ ଏମାନେ କଟକ ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ  ପାଟଣାଗଡ଼ ବଡ଼ପଡ଼ାର ସୌରଭ ସାହୁ (୨୪), ଲରମ୍ଭାର ବିଶିକେଶନ ପୁଟେଲ (୨୪), ରମେଶ ବରାହ (୨୭), କରୁଣା ରଣା (୩୭), ରୋଶନ ସାହୁ (୨୪), ରଶ୍ମି ରଞ୍ଜନ ସିଂ ବରିହା (୨୯), ଅଭିମନ୍ୟୁ ସାହୁ (୩୨), ବଲାଙ୍ଗୀର ସୁଦପଡ଼ାର ଆଶିଷ ପୁଟେଲ (୨୭), ନିରଞ୍ଜନ ସାହୁ (୨୭), ତାଲପାଲିପଡ଼ାର ମନୋଜ ବାଜପେୟୀ (୩୫), ମାଲପଡ଼ାର ଆମୀର ଖାନ (୩୦), ବେଲପଡ଼ାର ସଚିନ ବୁଡେକ (୨୭), ବ୍ରଜରାଜ ରଣା (୨୪), ବରଗଡ଼ ଜିଲ୍ଲା ପଦ୍ମପୁରର ଭୀମସେନ କାରେଇ (୩୨), ମହୁଲପାଲିର ଚୁନ୍ନିଲାଲ ପଟେଲ (୨୫)ଙ୍କୁ ଗିରଫ କରିଛି।

ଘଟଣାରେ ୧୬୦୦ ବୋତଲ ଏସ୍‌କଫ୍‌, ୧୧୯ ବୋତଲ ୱିନକ୍ରେକ୍ସ-ଟି କଫ୍‌ସିରପ୍‌, ୧୭ଟି ମୋବାଇଲ ଫୋନ, ନିସାନ ଏସୟୁଭି (ଓଡି ୩୪ ଏଲ ୧୭୮୬), ମାରୁତି ବାଲେନୋ (ଓଡି ୧୭ ଏଏ ୧୫୨୯), ୩ଟି ବାଇକ (ଓଡି ୧୭ ପି ୩୮୯୫, ଓଡି ୦୩ ୱାଇ ୩୪୨୯ ଓ ଓଡି ୧୭ଭି ୧୧୮୧), ଗୋଟିଏ ହକିଷ୍ଟିକ୍‌ ଓ  ଗୋଟିଏ ଟାଙ୍ଗିଆ ଜବତ କରିଛି। ଏହି ଘଟଣାରେ ଆହୁରି ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଆହୁରି ଅପରାଧୀ ଧରାପଡ଼ିବେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର