୧୪୪ ଧାରା ସତ୍ତ୍ବେ ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼, ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବଡ଼ସାହି: ପୁରୀ ଜିଲ୍ଲା ବଡ଼ସାହି ବ୍ଲକ୍‌ ସୁହାଗପୁର ପଞ୍ଚାୟତ ଶାଳଜଙ୍ଗଲର କଉଡ଼ିଖଣି ମୌଜାରେ ପୂଜା ପାଉଥିବା ଉତ୍ତର ଓଡ଼ିଶାର ପ୍ରତ୍ୟକ୍ଷ ଦେବୀ ମା’ ହିଙ୍ଗୁଳାଙ୍କ ବଡ଼ପୂଜା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଅଗ୍ନି ପୂର୍ଣ୍ଣିମା ପରବର୍ତ୍ତୀ ପ୍ରଥମ ଶନିବାର କିମ୍ବା ମଙ୍ଗଳବାର ମା’ଙ୍କର ବାର୍ଷିକ ବଡ଼ପୂଜା ହୋଇଥାଏ। କଟକଣା ପାଇଁ ଏଥର ଦୋକାନ ବଜାର ବସିନଥିଲା। କେବଳ ମା’ଙ୍କ ଦର୍ଶନ ପା‌ଇଁ ଅନୁମତି ମିଳିଥିଲା। ଆସନ୍ତାକାଲି ବଡ଼ସାହି ବ୍ଲକ୍‌ରେ ନିର୍ବାଚନ ହେବାକୁ ଥିବାରୁ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଓ ଜନସମାଗମ ଉପରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଥିଲା।

ଫଳରେ ପୀଠ ନିକଟରୁ ୧ କିମି ମଧ୍ୟରେ କୌଣସି ଉଠାଦୋକାନୀ ବସି ନଥିଲେ। ହେଲେ କଟକଣା ସତ୍ତ୍ବେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିଲା। ମା’ଙ୍କ ଦର୍ଶନ କରିବା ସହିତ ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଯଜ୍ଞକୁଣ୍ଡରେ ଶ୍ରଦ୍ଧାଳୁ ନଡ଼ା, ବାଉଁଶ, କଦଳୀ, ଧୂପ, ବଳିତା, ଘିଅ ଆଦି ସମର୍ପଣ କରିଥିଲେ। ଉକ୍ତ ଅର୍ଘ୍ୟକୁଣ୍ଡରେ ଅପରାହ୍ନ ୩ଟା ୫୦ ମିନିଟରେ ଅଗ୍ନି ସଂଯୋଗ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। କଟକଣା ସତ୍ତ୍ୱେ ଲକ୍ଷାଧିକ ଭକ୍ତ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରି ଫେରିଥିବା ହିଙ୍ଗୁଳା ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର