ତଳେ ପାଲ ପକାଇ ଷ୍ଟଲ୍‌ କରୁଥିଲୁ, ସରକାରଙ୍କୁ ୩ ଶହ ଟଙ୍କା ଦେଲେ ବହୁତ

ଏଥର ୬୦ ଲକ୍ଷରୁ ଅଧିକ ଟଙ୍କା ଦେଇ ସର୍ବାଧିକ ଜାଗା ନେଇଛି ଭାରତ ମସଲା

କଟକ: ଏଥର ବାଲିଯାତ୍ରାରେ ସବୁଠୁ ଅଧିକ ଆକାରର ପ୍ଲଟ୍ ବାଲିଯାତ୍ରା ପଡ଼ିଆରେ ନେଇଛି ଭାରତ ମସଲା କଂପାନି। ପୃଷ୍ଠପୋଷକ ଭାବେ ସବୁଠୁ ଅଧିକ ୬୦ ଲକ୍ଷ ଟଙ୍କାର ରାଜସ୍ବ ଏଥର ଭାରତ ମସଲା କଂପାନି ପୈଠ କରିଛି। ବାଲିଯାତ୍ରା ସହିତ କଂପାନିର ସଂପର୍କ ଆଉ ଶୂନରୁ ଶୀର୍ଷକୁ ଉଠିବାର ସ୍ମୃତି ଚାରଣ କରିଛନ୍ତି ଜୟ ଭାରତ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଭାରତ ମସଲା କଂପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡାଙ୍କ ପିତା ସୁରେନ୍ଦ୍ରନାଥ ପଣ୍ଡା। ସୁରେନ୍ଦ୍ରନାଥଙ୍କ କହିବା ଅନୁଯାୟୀ ୨୩ ବର୍ଷ ହେଲା ଆମେ ବାଲିଯାତ୍ରାରେ ଷ୍ଟଲ ଖୋଲି ଆସୁଛୁ। ଆରମ୍ଭରେ ଭାରତ ମସଲା ଏକ ଛୋଟ କମ୍ପାନି ଥିଲା। ଉପର ପଡ଼ିଆରେ ଗୋଟିଏ ସ୍ଥାନରେ ପାଲ ପକାଇ ଆମେ ଷ୍ଟଲ କରୁଥିଲୁ। ଦୁଇ/ତିନି ଦିନରେ ବାଲିଯାତ୍ରାର ମୋଟ ବ୍ୟବସାୟ ୧/୨ଲକ୍ଷ ଟଙ୍କାରେ ସୀମିତ ରହୁଥିଲା। ବାଲିଯାତ୍ରାରେ ଷ୍ଟଲ୍‌ ପକାଇବା ପାଇଁ ସରକାରଙ୍କୁ ମାତ୍ର ୨୦୦/୩୦୦ ଟଙ୍କା ଦେଲେ ଖୁସି। ମୁଁ ଏକୁଟିଆ ଷ୍ଟଲ ସମ୍ଭାଳୁ ଥିଲି। ଏବେ ବାଲିଯାତ୍ରାର ଆକାର ବଢ଼ିଛି। ଅଧିକ ଲୋକ ଆସୁଛନ୍ତି। ବ୍ୟବସାୟ ପରିମାଣ ମଧ୍ୟ ବଢ଼ିଛି।

ଗଲା ୫ବର୍ଷ ‌ହେଲା ଆମେ ତଳ ପଡ଼ିଆକୁ ଯାଇଛୁ। ଏବେ ଦିନକୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଛି। ୧୫ବର୍ଷ ଧରି ବାଲିଯାତ୍ରାରେ ‘ଆମେ ହଣ୍ଡିଶାଳ’ ନାମରେ ଫୁଡ୍ ଷ୍ଟଲ ଖୋଲିଥିଲୁ। ଆମରି ମସଲାରେ ବିଭିନ୍ନ ଖାଦ୍ୟ ତିଆରି ହେଉଥିଲା। ବହୁ ଗ୍ରାହକ ଏହାକୁ ପସନ୍ଦ କରୁଥିଲେ। କିନ୍ତୁ ଦୁଇ ବର୍ଷ ହେଲା ତାହା ବନ୍ଦ ରହିଛି। ଚଳିତ ବ‌ର୍ଷ ଆମର ୪ଟି ଷ୍ଟଲ ପଡ଼ିଛି। ସବୁ ‌ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ ଓ ବେପାର ଭଲ ଚାଲିଛି। ୩୦ ବର୍ଷ ତଳେ ଆମ ଗାଁ ମତ୍ତଗଜପୁରରେ ମାତ୍ର ୨ କ୍ବିଣ୍ଟାଲ ହଳଦିରେ ମୁଁ ମସଲା କମ୍ପାନି ଆରମ୍ଭ କରିଥିଲି। କଟକ ସହରରେ ଘରେ ଘରେ ସାଇକଲ ନେଇ ମସଲା ଦେଉଥିଲି। ପରେ ଲୁନା, ଅଟୋରେ ବ୍ୟବସାୟ ହେଉଥିଲା। ଏବେ ଜାହାଜରେ ବିଦେଶକୁ କଂପାନିର ମାଲ୍‌ ଯାଉଛି। ଜିନିଷର ଚାହିଦା ବଢ଼ିବାରୁ ମତ୍ତଗଜପୁରରୁ ଜଗତପୁରକୁ, ଜଗତପୁରରୁ ରାମଦାସପୁରକୁ କମ୍ପାନି ପରିବର୍ଦ୍ଧିତ ହୋଇଛି। ଆମେ ପ୍ରଥମରୁ ଗ୍ରାହକଙ୍କୁ ଈଶ୍ବର ଭାବି ଜିନିଷ ତିଆରି କରୁଥିଲୁ। ଏବେ ବି ସେହି ଧାରା ଚାଲିଛି। ଆମର ଉନ୍ନତି ପଛରେ ଗ୍ରାହକମାନେ ହିଁ ସବୁ କିଛି। ଖୁସି ଲାଗୁଛି, ଆମର କିଛି ମସଲା ମହାପ୍ରସାଦରେ ଲାଗୁଛି। ଜଗନ୍ନାଥଙ୍କ ଆଶୀର୍ବାଦ ଓ ଗ୍ରାହକଙ୍କ ସମର୍ଥନରେ ଆମେ ଓଡ଼ିଶା, ଭାରତ ଡେଇଁ ବିଦେଶରେ ବ୍ୟବସାୟ କରିବାକୁ ସକ୍ଷମ ହୋଇଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Sambad

୨୧ ପାର୍କିଂ ପାଇଁ ଟେଣ୍ଡର୍‌ ହେଲା, ୮ଟି କେହି ନେଲେନି- ବାଲିଯାତ୍ରା ପାଇଁ ପୌର ନିଗମ ପକ୍ଷରୁ ୧୩ଟି ପାର୍କିଂ ସ୍ଥାନରେ ଗାଡି ରଖିବାର ବ୍ୟବସ୍ଥା କରାଯାଇଛି। ନିଗମ ପକ୍ଷରୁ ୨୧ଟି ପାର୍କିଂ ପାଇଁ ଟେଣ୍ଡର ଡକାଯାଇଥିଲା। ମାତ୍ର ସେଥିମଧ୍ୟରୁ ୮ଟି ପାର୍କିଂ ପାଇଁ କେହି ଆସିଲେ ନାହିଁ। ୧୩ଟି ପାର୍କିଂକୁ ଟେଣ୍ଡରରେ ଦେଇ ପୌର ନିଗମ ୯୭ ଲକ୍ଷ ଟଙ୍କା ଆୟ କରିଛି। ପାର୍କିଂର ସ୍ଥାନକୁ ଦେଖି ଜମିର ଦର ବର୍ଗଫୁଟକୁ ୮ଟଙ୍କାରୁ ୨୦ଟଙ୍କା ସର୍ବନିମ୍ନ ମୂଲ୍ୟ ବା ବେସ୍‌ ପ୍ରାଇସ୍‌ ଥିବା ବେଳେ ନିଲାମରେ ଏହାର ମୂଲ୍ୟ ୧୦ରୁ ୩୫ ଟଙ୍କାକୁ ଯାଇଛି। ଏଥର ବାଲିଯାତ୍ରାରେ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ଅଧିକ ଦରରେ ଜମି ଦିଆଯାଇଛି। ୨୦୧୯ରେ ଯେଉଁ ଜମିର ଦର ବର୍ଗଫୁଟକୁ ୫ରୁ ୧୫ଟଙ୍କା ଥିଲା ଏଥର ତାହା ୮ରୁ ୨୦ ଟଙ୍କା ରହିଛି। ପାର୍କିଂ ପାଇଁ ଜମିଦର ଏଥର ବୃଦ୍ଧି ପାଇ ଥିବାରୁ ଗାଡି ପାର୍କିଂର ଦର ମଧ୍ୟ ବଢିଛି। ଚଳିତ ଥର ସାଇକେଲ ପାଇଁ ୧୦ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୫୦ଟଙ୍କା, ତିନି ଓ ଚାରି ଚକିଆ ଗାଡି ପାଇଁ ଶହେ ଟଙ୍କା ଓ ବଡ କାର ଓ ବସ୍‌ ପାଇଁ ୧୫୦ଟଙ୍କା ରହିଛି। ଗତବର୍ଷ ତୁଳନାରେ ପାର୍କିଂ ଦର ଏଥର ୩୦ରୁ ୬୦ ପ୍ରତିଶତ ବୃଦ୍ଧି ପାଇଛି। ପାର୍କିଂ ଦାର ବୃଦ୍ଧିକୁ ନେଇ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧିତ ଖବର