‘ନରସିଂହପୁର ଉତ୍ସବ ଛାଡ଼ଖାଇ’ର ତୃତୀୟ ସନ୍ଧ୍ୟା, ଦ୍ୱିତୀୟ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି: ପ୍ରସନ୍ନ ପାଟ୍ଟଶାଣୀ

ନରସିଂହପୁର: ନରସିଂହପୁର ଉତ୍ସବ ଛାଡ଼ଖାଇ-୨୦୨୨ର ଆଜି ଦ୍ୱିତୀୟ ସନ୍ଧ୍ୟାରେ ଢୋଲମହୁରୀ ବାଦ୍ୟ ସାଙ୍ଗକୁ ଓଡ଼ିଶୀ ରାଜସ୍ଥାନୀ, ଢେମସା ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଚିତ୍ତାକର୍ଷକ ନୃତ୍ୟଗୀତରେ ଉତ୍ସବ ମଞ୍ଚ ଦୁଲୁକି ଉଠିଥିଲା। ଭୁବନେଶ୍ୱରର ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ନରସିଂହପୁର ଉତ୍ସବ ଛାଡ଼ଖାଇ କଟକ ଜିଲ୍ଲା ସମେତ ଓଡ଼ିଶାର କୋଣଅନୁକୋଣରେ ପ୍ରସାରିତ ହେଉଛି। ଚଳିତବର୍ଷ ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯାଇଛି। ଏହା ଏବେ ଦ୍ୱିତୀୟ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପାଟ୍ଟଶାଣୀ ପ୍ରକାଶ କରିଥିଲେ। ସ୍ଥାନୀୟ ତହସିଲଦାର ତଥା ଉତ୍ସବର ସଭାପତି ଆଲୋକ କୁମାର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। କଟକ ଅତିରିକ୍ତ ଗ୍ରାମାଞ୍ଚଳ ଏସ୍‌ପି କୃଷ୍ଣପ୍ରସାଦ ପଟ୍ଟନାୟକ, କଟକ ଜିଲ୍ଲାପରିଷଦ ଉପ-ସଭାନେତ୍ରୀ ସୁଭଦ୍ରା ଦାସ, ନରସିଂହପୁର ଓକିଲ ସଂଘର ପ୍ରାକ୍ତନ ସଭାପତି ତଥା ସରକାରୀ ଓକିଲ ପ୍ରଫୁଲ୍ଲ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ପାତ୍ର, ନରସିଂହପୁର ଥାନା ଆଇଆଇସି ତଥା ଉତ୍ସବର ସମ୍ପାଦକ ଅଭୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ମହୋତ୍ସବ ନରସିଂହପୁର ଉତ୍ସବ ଛାଡ଼ଖାଇକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜଟଣୀସ୍ଥିତ ନୁପୁରା ଧ୍ୱନି ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ, କୋରାପୁଟର ଢେମସା ନୃତ୍ୟ, ମୟୂରଭଞ୍ଜର ସାନ୍ତାଳୀ ଓ ରାଜସ୍ଥାନର ରାଜସ୍ଥାନୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା।

ସେହିପରି ଖୋର୍ଦ୍ଧାରୁ ଆସିଥିବା ମେଘ ମଲ୍ଲାର ଢୋଲ ମହୁରୀ ଅନୁଷ୍ଠାନର କଳାକାରମାନେ ଲୋକନୃତ୍ୟ,ବାରମାସୀ ଓ ସମ୍ବଲପୁରି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଅପରାହ୍ନ ୨ଟାରୁ ଦ୍ୱିତୀୟ ମଞ୍ଚରେ ସଂକୀର୍ତ୍ତନ, ପାଲା, ଦାସକାଠିଆ, ରାମଲୀଳା ଆଦି ଲୋକକଳା ପରିବେଷଣ କରାଯାଇଥିଲା। ସେହିପରି ରାତି ୯ଟାରୁ ପ୍ରଥମ ମଞ୍ଚରେ ଭୁବନେଶ୍ୱରରୁ ଆସିଥିବା ସୁର ମଲ୍ଲାର ଅର୍କେଷ୍ଟ୍ରାର କଳାକାରମାନେ ଆଧୁନିକ ନୃତ୍ୟଗୀତ ପରିବେଷଣ କରି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ଶ୍ରୀକ୍ଷେତ୍ର ଅପେରା ପକ୍ଷରୁ ନାଟକ ପରିବେଷଣର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କମିଟି ପକ୍ଷରୁ ବ୍ଲକ୍‌ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ଦ୍ୱାରା ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜି ଛାଡ଼ଖାଇ ଯାତ୍ରାରେ ଗୁପ୍‌ଚୁପ୍‌, ଚାଟ୍‌, ଆଇସ୍‌କ୍ରିମ, ବିରିଆନି, ଫାଷ୍ଟଫୁଡ୍‌ ଆଦି ଷ୍ଟଲ୍‌ ସହ ଦୋଳି, ବ୍ରେକ୍‌ ଡ୍ୟାନ୍ସ ଓ ଅନ୍ୟ ଷ୍ଟଲ୍‌ଗୁଡ଼ିକରେ ନରସିଂହପୁର ସମେତ ବଡ଼ମ୍ବା, ତିଗିରିଆ, ଆଠଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, କଣ୍ଟିଲୋ, ଦଶପଲ୍ଲା, ନୟାଗଡ଼, ଭୁବନେଶ୍ୱର ଆଦି ସ୍ଥାନରୁ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଠାରୁ ଯାତ୍ରାରେ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି। ଭିଡ଼ ନିୟନ୍ତ୍ରଣ ପାଇଁ ନରସିଂହପୁର ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ବୋଲି ନରସିଂହପୁର ଥାନା ଆଇଆଇସି ତଥା ଉତ୍ସବର ସମ୍ପାଦକ ଅଭୟ ବେହେରା ସୂଚନା ଦେଇଛନ୍ତି। ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଉତ୍ସବର ସଭାପତି ତଥା ତହସିଲଦାର ଶ୍ରୀ ଦେହୁରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର