ଆଜି ହିମାଚଳ ବିଧାନସଭା ନିର୍ବାଚନ: ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

୨୩% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ୬୮ ବିଧାନସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ହେବ। ପାର୍ବତ୍ୟ ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତପାଲ ସିଂହଙ୍କ ସମେତ ମୋଟ୍‌ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ହିମାଚଳରେ ସାଧାରଣତଃ ଦ୍ବିପାକ୍ଷିକ ଲଢ଼େଇ ହୋଇଥାଏ। କିନ୍ତୁ ଚଳିତ ଥର ଆପ୍‌ ହିମାଚଳ ମଇଦାନରେ ପ୍ରବେଶ କରିଛି। ଅନ୍ୟପକ୍ଷେ ବିଜେପି ହିମାଚଳରେ ପୁରୁଣା ପରମ୍ପରାକୁ ଭାଙ୍ଗିବାପାଇଁ ଲକ୍ଷ୍ୟ ରଖିଛି। ପ୍ରତି ୫ ବର୍ଷରେ ଥରେ ହିମାଚଳରେ କ୍ଷମତା ବଦଳିଛି। ଏହା ହିମାଚଳରେ ଏକ ପରମ୍ପରା ପାଲଟିଯାଇଛି । କିନ୍ତୁ ବିଜେପି ଏହି ପରମ୍ପରାକୁ ଏଥର ବଦଳାଇବାକୁ ସବୁ ଶକ୍ତି ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହିମାଚଳରେ ପ୍ରଚାର ମଙ୍ଗ ଧରିଛନ୍ତି। ମୋଦୀ ହିମାଚଳ ‌ଭୋଟରମାନଙ୍କୁ ବ୍ୟକ୍ତିଗତ ଅନୁରୋଧ କରି ବିଜେପି ପାଇଁ ଭୋଟ୍‌ ଦେବାକୁ କହିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ କ୍ଷମତାକୁ ଫେରିବ ‌ବୋଲି ଆଶା ରଖିଛି ଏବଂ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟରେ ଜୋର୍‌ଦାର ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିମାଚଳରେ ନିର୍ବାଚନ ପ୍ରଚାର କରିଛନ୍ତି। ହିମାଚଳରେ ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ରାଜ୍ୟରେ ମୋଟ୍‌ ୭,୮୮୪ଟି ନିର୍ବାଚନ ବୁଥ୍‌ ପ୍ରତିଷ୍ଠା ହୋଇଛି।

୨୩% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା
ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୬୮ ଆସନ ପାଇଁ ୪୧୨ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ପ୍ରାର୍ଥୀମାନଙ୍କୁ ଅପରାଧିକ ରେକର୍ଡ ସଂପର୍କିତ ତଥ୍ୟ ଏଡିଆର୍‌ (ଆସୋସିଏସନ ଫର ଡେମୋକ୍ରାଟିକ୍‌ ରିଫର୍ମ୍ସ) ପକ୍ଷରୁ ପ୍ରକାଶ ପାଇଛି। ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୧ ଜଣ ଜାତୀୟ ଦଳର ଏବଂ ୬୭ ଜଣ ଆଞ୍ଚଳିକ ଦଳର। ୪୫ ପ୍ରାର୍ଥୀ ପଂଜିକୃତ ଅଣମାନ୍ୟତାପ୍ରାପ୍ତ ଦଳର ଥିବା ବେଳେ ୯୯ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ପ୍ରାୟ ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୯୪ ଜଣ ପ୍ରାର୍ଥୀ ଅପରାଧିକ ମାମଲାର ସାମ୍ନା କରୁଥିବା ବେଳେ ୩୩୮ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଘୋଷଣା କରିଛନ୍ତି। କଂଗ୍ରେସରେ ସବୁଠାରୁ ଅଧିକ ଅପରାଧ ରେକର୍ଡ ଥିବା ପ୍ରାର୍ଥୀ ଅଛନ୍ତି। କଂଗ୍ରେସର ୩୬ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ ବିଜେପିର ୧୨ ଏବଂ ଆପ୍‌ର ୧୨ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର