କର୍ପୋରେଟର୍‌ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଦୋଳି ଟିକେଟ୍ କିଣି ବାଣ୍ଟିଲା ସିଏମ୍‌ସି

କଟକ: ବାଲିଯାତ୍ରାକୁ ସଫଳ କରିବା ପାଇଁ କଟକ ପୌର ନିଗମ ଏଥର ପାଖାପାଖି ୩କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଏଥର ବାଲିଯାତ୍ରାକୁ କର୍ପୋରେଟର ମାନଙ୍କ ପାଇଁ ମଜାଦାର କରିବାକୁ ପୌର ନିଗମ ପକ୍ଷରୁ ପରୋକ୍ଷରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। କର୍ପୋରେଟର ମାନଙ୍କ ପରିବାର ଲୋକଙ୍କୁ ବାଲିଯାତ୍ରା ପଡିଆରେ ଆପ୍ୟାୟିତ କରିବା, ସେମାନଙ୍କ ଖାଦ୍ୟପେୟ ଖର୍ଚ୍ଚ ବୁଝିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଦାୟିତ୍ବ ବାଣ୍ଟି ଦିଆଯାଇଛି। ମହାନଦୀରେ ବୋଟିଂ ମଜା ନେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କର୍ପୋରେଟର ମାନଙ୍କ ପାଇଁ ଆସିଥିବା ଦୋଳି ପାସ୍ ନ ଅଣ୍ଟିବା‌ରୁ ଅଧିକ ୩ଶହ ଟିକେଟ୍ କିଣାଯାଇ ବଣ୍ଟା ଯାଇଥିବା ସୂଚନା ମିଳିଛି। ପ୍ରତି କର୍ପୋରେଟରଙ୍କୁ ଏଭଳି ୪ଟି ଲେଖାଏଁ ଦୋଳି ଟିକେଟ୍ ଦିଆଯାଇଛି। ଲୋକ ପ୍ରତିନିଧି ମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ଆଉ ଆୟୋଜନକୁ ‌ବିଭିନ୍ନ ମହଲରେ ସମାଲୋଚନା ବି କରାଯାଉଛି।

ଉପର ପଡ଼ିଆରେ ପ୍ରବଳ ଧୂଳି; ଲୋକେ ନୟାନ୍ତ- ବାଲିଯାତ୍ରା ଆରମ୍ଭ ହେବା ଦିନରୁ ଉପର ପଡ଼ିଆରେ ପ୍ରଶାସନ ପକ୍ଷରୁ ଧୂଳି ନିୟନ୍ତ୍ରଣ ପାଇଁ ପାଣି ପକାଯାଇ ନାହିଁ। ଉପର ପଡ଼ିଆରେ ରାସ୍ତା ଓସାର କମ୍‌ ଥିବାରୁ ଏଠାରେ ଭିଡ ଅଧିକ ରହୁଛି। ମାତ୍ର ଏଠାରେ ଧୂଳି ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତଳ ପଡ଼ିଆରେ ଧୂଳି କମାଇବା ପାଇଁ ପ୍ରଶାସନ ପକ୍ଷରୁ କେମିକାଲ ଯୁକ୍ତ ପାଣି ପକାଯାଉ ଥିବା ବେଳେ ଉପର ପଡିଆରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏଠାରେ ରାସ୍ତାରେ ପାଣି ପକାଯାଉ ନଥିବାରୁ ଦୋକାନୀମାନେ ବାଧ୍ୟ ହୋଇ ସେମାନଙ୍କ ଦୋକାନ ଆଗରେ ପାଣି ପକାଉଛନ୍ତି। ହେଲେ ତାହା ଯଥେଷ୍ଟ ହେଉନାହିଁ। ଅପରାହ୍ନ ୩ଟାରୁ ଏଠାରେ ଲୋକଙ୍କ ସମାଗମ ବଢୁଥିବା ବେଳେ ଅଧିକ ଧୂଳି ହେଉଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

Sambad

ଓର୍‌ମାସ୍‌ରେ ଖଚାଖଚ୍‌ ଭିଡ଼: ବ୍ୟବସାୟ ୩କୋଟି ଟପିଲା: ଓର୍‌ସାମ ପକ୍ଷରୁ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଦିନ ଦିନ ଭିଡ଼ ବଢ଼ିବାର ଲାଗିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଓର୍‌ମାସ ପରିସର ବୃଦ୍ଧି ହୋଇଥିବା ବେ‌ଳେ ଷ୍ଟଲ ସଂଖ୍ୟା ମଧ୍ୟ ବଢ଼ିଛି। ଆଜି ଚତୁର୍ଥ ଦିନରେ ଓର୍‌ମାସ ପରିସରରେ ପ୍ରବଳ ଭିଡ଼ ହୋଇଥିଲା। ପ୍ରଥମ ତିନି ଦିନର ବ୍ୟବସାୟ ୩କୋଟି ଟିପି ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି। ୮ତାରିଖ ଉଦ୍‌ଘାଟନୀ ଦିବସରେ ୪୪ଲକ୍ଷ ୬୨ହଜାର ଟଙ୍କା ବ୍ୟବସାୟ ହୋଇେଥିବା ବେଳେ ୯ତାରିଖ ବୁଧବାର ଦ୍ବିତୀୟ ଦିନର ବ୍ୟବସାୟ ଏକ କୋଟି ୮ହଜାର ଟଙ୍କା ହୋଇଥିଲା। ୧୦ ତାରିଖ ଗୁରୁବାର ତୃତୀୟ ଦିନରେ ଏକ କୋଟି ୯୮ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ପ୍ରଥମ ତିନି ଦିନର ବ୍ୟବସାୟ ୩କୋଟି ୪୨ଲକ୍ଷ ୭୦ହଜାର ଟଙ୍କା ହୋଇଥିବା ଓର୍‌ମାସ ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ବିପିନ ବିହାର ରାଉତ ଓ କାର୍ଯ୍ୟନିର୍ବାହୀ ଡକ୍ଟର ଶ୍ରୀକାନ୍ତ ପରିଜାଙ୍କ ସୂତ୍ରରୁ ପ୍ରକାଶ। ୧୧ଶୁକ୍ରବାର ଚତୁର୍ଥ ଦିନ ବ୍ୟବସାୟ ପରିମାଣ ସ୍ଥିର ହୋଇ ନ ଥିଲେ ମଧ୍ୟ ପୂର୍ବ ତିନି ଦିନ ତୁଳନାରେ ଏହା ସର୍ବାଧିକ ହୋଇଥିବା ଅନୁମାନ କରାଯାଉଛି। ସବୁଜ କାର୍ପେଟ ବିଛାଯାଇଥିବା ବିସ୍ତୃତ ତଥା ସ୍ବଚ୍ଛ ପରିସର ପାଇଁ ବାଲିଯାତ୍ରାର ସର୍ବଧିକ ଭିଡ଼ ଓର୍‌ମାସ ପରିସରରେ ଦେଖାଯାଉଛି। ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁ‌ଷ୍ଠାନ ‘କଲ୍ୟାଣୀ ଚାରିଟେବୁଟ୍ ଟ୍ରଷ୍ଟ’ର ୨୨ଜଣ କର୍ମୀ ଓର୍‌ମାସ ପରିସର ପରିଷ୍କାର କରୁଛନ୍ତି।

ସମ୍ବନ୍ଧିତ ଖବର