ଉଦ୍‌ଘାଟନ ଅପେକ୍ଷାରେ କେନ୍ଦ୍ରୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ ନୂଆ କୋଠା

୪୦ କୋଟି ବ୍ୟୟ; ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

କଟକ: ସିଡିଏ ସେକ୍ଟର ୧୩, ଧବଳେଶ୍ଵର ଗଡା ନିକକଟରେ ସେଣ୍ଟ୍ରାଲ ଉର୍ଦ୍ଦୁ ୟୁନିଭର୍ସିଟିର ନିର୍ମାଣ କାମ ଏବେ ସମ୍ପୂର୍ଣ୍ଣ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୪୦ କୋଟି ଟଙ୍କା ବିନିଯୋଗ ହୋଇଥିଲା ବେଳେ ଏହାକୁ ତିଆରି କରିବା ପାଇଁ ୩ ବର୍ଷ ସମୟ ଲାଗିଛି। ୟୁନିଭର୍ସିଟିର ଏହି ନୂଆ କୋଠାକୁ ପଂଚାୟତ ନିର୍ବାଚନ ପରେପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ କି କଟକରେ ଏହି ସେଣ୍ଟ୍ରାଲ ଉର୍ଦ୍ଦୁ ୟୁନିଭର୍ସିଟି ୨୦୧୮ ମସିହାରେ ଆରମ୍ଭ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ୟୁନିଭର୍ସିଟି ଭଡା ଘରେ ଚାଲି ଆସୁଛି। ନୂଆ କୋଠା ଉଦଘାଟନ ହେବା ପରେ ସେଥିରେ ନୂଆ କରି ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଇବେ। ଏହି ନୂତନ କ୍ୟାମ୍ପସ ୫ ଏକର ଜାଗା ଉପରେ ନିର୍ମାଣ କରାଯାଇଛି। ପଲିଟେକନିକ ବିଲଡିଂକୁ ତିନି ମହଲା କରାଯାଇଥିବା ବେଳେ ଆଇଟିଆଇ ଭୋକେସନାଲ ବିଲଡିଂ ଗୋଟିଏ ମହଲାରେ ସୀମିତ ଅଛି। ଏବେ ଏଠାରେ ୩୦୦ ପିଲା ପାଠ ପଢୁଛନ୍ତି। ଡିପ୍ଲୋମାରେ ୪ଟି ବିଭାଗ ରହିଛି।

ସେଗୁଡିକ ହେଲା ମେକାନିକାଲ, ଇଲେକ୍ଟ୍ରିକାଲ୍, ଅଟୋମୋବାଇଲ ଏବଂ ସିଭିଲ। ସେହିପରି ଆଇଟିଆଇ ଭୋକେସନାଲ ଦକ୍ଷତା ବିକାଶ ବିଭାଗ ମଧ୍ୟ ରହିଛି। ୨୦୧୮ ମସିହାରେ ପ୍ରଥମ ବ୍ୟାଚ୍ ପାଠ ପଢା ଆରମ୍ଭ ହୋଇଥିଲା। ୨୦୨୧ ମସିହାରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି। ଏଥିରେ ୟୁନିଭର୍ସିଟିକୁ ଶତପ୍ରତିଶତ ସଫଳତା ମିଳିଛି। ଏଥିସହ ମେକାନିକାଲ, ଇଲେକ୍ଟ୍ରିକାଲ୍, ଅଟୋମୋବାଇଲ ଓ ସିଭିଲ୍ ବିଭାଗର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଛନ୍ତି। ସ୍ଵର୍ଗତ ପ୍ରଫେସର କମରୁଦ୍ଦିନ ଖାଁଙ୍କ ପ୍ରଚେଷ୍ଟାରେ ଏହି ୟୁନିଭର୍ସିଟି ତିଆରି ହୋଇ ପାରିଛି ବୋଲି କହିଛନ୍ତି ବରିଷ୍ଠ ଅଧ୍ୟାପକ ମହମ୍ମଦ ୱାକର ୟୁସୁଫ୍। ୟୁନିଭର୍ସିଟିର ନିର୍ଦ୍ଦେଶକ ବିଜୟ କୁମାର ପଟ୍ଟନାୟକ କହିବା ଅନୁଯାୟୀ ହଷ୍ଟେଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅଧିକ ୫ ଏକର ଜମି ଦେବାକୁ ଅନୁରୋଧ କରାଯାଇଛି। ହଷ୍ଟେଲ ନିର୍ମାଣ ହୋଇପାରିଲେ ବାହାର ଛାତ୍ରଛାତ୍ରୀମାନେ ଏଠାରେ ରହିବାକୁ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର