ଆନ୍ଧ୍ରର ନିର୍ବାଚନୀ ପେଞ୍ଚ: ସୁଙ୍କିରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଅଟକ

ପଟାଙ୍ଗି: ଭୋଟ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଆରମ୍ଭ ହେଲା ଆନ୍ଧ୍ରର ପେଞ୍ଚ। ଲୁଚିଛପି ଓଡ଼ିଶାରେ ପଶିଲେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ। କିନ୍ତୁ ଧରାପଡ଼ିବା ପରେ ହଟହଟା ହୋଇଛନ୍ତି। ଓଡ଼ିଶାର କଡ଼ା ତାଗିଦ୍‌ ଶୁଣିବା ପରେ ଚୁପ୍‌ଚାପ୍‌ ନିଜ ରାଜ୍ୟକୁ ଫେରିଛନ୍ତି। ସ୍ବାସ୍ଥ୍ୟ ଶିବିର ଆଳରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ସୀମାନ୍ତ ସୁଙ୍କି ପଞ୍ଚାୟତରେ ଆଜି ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଅନୁପ୍ରବେଶ କରିଥିଲେ। ଲାଉଡି ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଗ୍ରାମବାସୀଙ୍କୁ ଏକାଠି କରାଯାଇଥିଲା। ଓଡ଼ିଶା ସରକାରଙ୍କ ଦ୍ବାରା ନିର୍ମିତ ସାଂସ୍କୃତିକ କେନ୍ଦ୍ରକୁ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିଥିଲେ। ଏହି ଖବର ମିଳିବାରୁ ସୁଙ୍କି ପୁଲିସ ଓ ପଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚିଥିଲେ। ଲୋକଙ୍କୁ ମାଗଣାରେ ଔଷଧ ବିତରଣ କରି ପ୍ରଭାବିତ କରୁଥିବା ଦେଖି ତୁରନ୍ତ ସ୍ବାସ୍ଥ୍ୟ ଶିବିରକୁ ବନ୍ଦ କରିଥିଲେ। ଶିବିରକୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଆମ୍ବୁଲାନ୍ସକୁ ଅଟକ ରଖାଯାଇଥିଲା। ପଚରାଉଚୁରା ପରେ ସମସ୍ତଙ୍କୁ ତାଗିଦ୍‌ କରି ଛଡ଼ାଯାଇଥିଲା ବୋଲି ସୂଚନା ମିଳିଛି।

ତେବେ ଏଭଳି ଅନୁପ୍ରବେଶ ପଛର ମନ୍ଦ ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। କୋଟିଆ ଭୋଟରଙ୍କୁ ଆନ୍ଧ୍ର ପାଇଁ ଭୋଟ ଦେବାକୁ ପୂର୍ବରୁ ବି ଅନୁରୂପ ଉଦ୍ୟମ ବାରମ୍ବାର ଆନ୍ଧ୍ର କରିସାରିଛି। ଛକାପଞ୍ଝା ବଢ଼ିବା ପରେ ବର୍ତ୍ତମାନ ଓଡ଼ିଶା ପ୍ରଶାସନ କୋଟିଆ ଜଗିଛି। ଯାହାର ସିଧାସଳଖ ପ୍ରଭାବ ଏଥର ଆନ୍ଧ୍ରର ମତଦାନ ହାର ଉପରେ ପଡ଼ିବା ନିଶ୍ଚିତ। ଏମିତି ସ୍ଥିତିରେ ଓଡ଼ିଶାର ଅନ୍ୟ ସୀମାନ୍ତ ଗାଁର ଭୋଟରଙ୍କ ଉପରେ ଆନ୍ଧ୍ର ନଜର ପକାଇଛି। ଆଜିର ସ୍ବାସ୍ଥ୍ୟ ଶିବିର‌ ଭୋଟ ରାଜନୀତିର ଗୋଟିଏ ଅଂଶବିଶେଷ। କେବଳ ଆନ୍ଧ୍ର ସରକାର ହିଁ ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ବୋଲି ଦର୍ଶାଇ ସମବେଦନା ଗୋଟାଇବାକୁ ଏହା ଗୋଟିଏ ସୁଚିନ୍ତିତ ଚାଲ୍‌ ଥିଲା। ଯଦିଓ ଆଜି ଧରାପଡ଼ିବା ପରେ ଚୁପ୍‌ଚାପ୍‌ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଚାଲି ଯାଇଛନ୍ତି। କିନ୍ତୁ ନିର୍ବାଚନ ପୂର୍ବରୁ ପୁଣି ଆନ୍ଧ୍ର ସରକାରୀ କର୍ମଚାରୀ ଅନୁପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର