ଭୂତକୋଠି ପାଲଟିଛି କ୍ଷୁଦ୍ର ଜଳସେଚନ ବିଭାଗ ଏସଡିଓ କାର୍ଯ୍ୟାଳୟ: ଚାକିରି ନାରାୟଣପାଟଣାରେ, ରହୁଛନ୍ତି କୋରାପୁଟରେ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ ଏବେ ବି ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ଦେଖାମିଳୁନି। ଏହି ବ୍ଲକ୍ ଏକଦା ନକ୍ସଲ ପ୍ରବଣ ଥିବାରୁ କୌଣସି ସରକାରୀ କର୍ମଚାରୀ ରହୁନଥିଲେ। କିନ୍ତୁ ଏବେ ଅବସ୍ଥା ସ୍ବାଭାବିକ ହୋଇଥିଲେ ମଧ୍ୟ ଅନେକ ବିଭାଗର ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖାମିଳୁନି। ଏପଟେ ରାଜ୍ୟ ସରକାର ଅନୁଶାସନରେ ସ୍ବଚ୍ଛତା ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ବିଭାଗକୁ ୫ଟିରେ ସାମିଲ କରୁଛନ୍ତି। କିନ୍ତୁ ଏହି ବ୍ଲକରେ ତାହାର କୌଣସି ପ୍ରଭାବ ପଡ଼ୁନାହିଁ। ଏଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଉପ ବିଭାଜନ କାର୍ୟ୍ୟାଳୟକୁ ଦେଖିଲେ ଏଭଳି ମନେ ହେଉଛି।

ନାରାୟଣପାଟଣା ବ୍ଲକ୍ ସଦର ମହକୁମାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପାର୍ଶ୍ବରେ ରହିଛି କ୍ଷୁଦ୍ର ଜଳସେଚନ ବିଭାଗର ଉପ ବିଭାଜନ କାର୍ୟ୍ୟାଳୟ। ଏହାର ଦାୟିତ୍ବରେ ରହିଛନ୍ତି ଏସଡିଓ ରାମଚନ୍ଦ୍ର ମୁର୍ମୁ। ଏହି କାର୍ୟ୍ୟାଳୟ ଅଧିନରେ ନାରାୟଣପାଟଣା ଏବଂ ବନ୍ଧୁଗାଁ ବ୍ଲକ୍ ରହିଛି। ନାରାୟଣପାଟଣା ବ୍ଲକରେ ୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିଲା ବେଳେ ବନ୍ଧୁଗାଁ ବ୍ଲକରେ ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ତେବେ ବିଭାଗୀୟ କାର୍ୟ୍ୟକ୍ରମର ସୁପରିଚାଳନା ପାଇଁ ନାରାୟଣପାଟଣା ଏବଂ ବନ୍ଧୁଗାଁ ବ୍ଲକରେ ଦୁଇଟି ଯନ୍ତ୍ରୀ ପଦବି ରହିଛି। କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ବିଭାଗ ପକ୍ଷରୁ ଏସଡିଓ ରାମଚନ୍ଦ୍ର ମୁର୍ମୁଙ୍କୁ ଏହି ଦୁଇଟି ବ୍ଲକର ଯନ୍ତ୍ରୀ ପଦବି ତୁଲାଇବାକୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାବ୍ୟତୀତ କୋରାପୁଟ ଏସଡିଓ ଦାୟିତ୍ବରେ ବି ସେ ରହିଛନ୍ତି। ଏହାର ସୁଯୋଗ ନେଇ ଏସଡିଓ ରାମଚନ୍ଦ୍ର ମୁର୍ମୁ ନାରାୟଣପାଟଣାକୁ ଆସୁନାହାନ୍ତି। ଯାହାଫଳରେ ଏଠାରେ ରହିଥିବା କାର୍ୟ୍ୟାଳୟ ଏବଂ ଷ୍ଟୋର ରୁମ୍ ଭୂତକୋଠି ପାଲଟିଛି। କାର୍ୟ୍ୟାଳୟରେ ଦୀର୍ଘ ବର୍ଷ ଧରି ଚୂନ ଦିଆଯାଇନଥିବା ବେଳେ ସବୁବେଳେ ତାଲା ଝୁଲି ରହୁଛି। ସେହିପରି ଫାଟକରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଛି। ଷ୍ଟୋର ରୁମ୍ ପରିସରରେ ଗଛଲତା ଉଠି କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ତେଣୁ ବର୍ଷ ବର୍ଷ ଧରି ବ୍ୟବହାର ହେଉନଥିବା ମନେ ହେଉଛି। ଏପରିକି ସପ୍ତାହକୁ ଥରେ ମଧ୍ୟ ଏଠାରେ ଅଧିକାରୀଙ୍କ ଦେଖାମିଳୁନି। ଫଳରେ ବିଭିନ୍ନ ସମୟରେ ଚାଷୀମାନେ ଜଳସେଚନ ସମସ୍ୟା ନେଇ ଜଣାଇବାକୁ ଆସି କାର୍ୟ୍ୟାଳୟରେ ତାଲା ଝୁଲି ରହୁଥିବା ଦେଖି ନିରାଶ ହୋଇ ଫେରିବାକୁ ପଡ଼ୁଥିବା ଚାଷୀମାନେ କହିଛନ୍ତି। ଏପରିକି ରବି ଋତୁ ଚାଷ କାମ ସମୟରେ ବହୁ ଚାଷୀ କାର୍ୟ୍ୟାଳୟକୁ ଆସି ସମସ୍ୟା ନଜଣାଇ ଫେରିଥିବା ମଧ୍ୟ କହିଛନ୍ତି।

ଏନେଇ ବିଭାଗୀୟ ଏସଡିଓ ରାମଚନ୍ଦ୍ର ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ। ବିଭାଗୀୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀଙ୍କୁ ପଚାରି ବୁଝିବାରୁ ନାରାୟଣପାଟଣା ଏବଂ କୋରାପୁଟ ପାଇଁ ଜଣେ ଏସଡିଓ ରହିଛନ୍ତି। ତଥାପି କାମ ଥିଲେ ଯାଉଛନ୍ତି ବୋଲି କହିଛନ୍ତି। ବନ୍ଧୁଗାଁ ପାଇଁ ନୂଆରେ ଜଣେ ଯନ୍ତ୍ରୀ ଆସି କାର୍ୟ୍ୟରେ ଯୋଗଦାନ କରିଥିବା ଶ୍ରୀ ସେଠୀ କହିଛନ୍ତି। ତେବେ ଅଧିକାରୀ ଜଣଙ୍କ ଚାକିରି ନିଯୁକ୍ତି ସ୍ଥାନରେ ନରହି କୋରାପୁଟରେ ରହୁଥିବା ବେଳେ ବିଭାଗୀୟ କାର୍ୟ୍ୟକ୍ରମର ସୁପରିଚାଳନା ନେଇ ଆଶଙ୍କା ସୃଷ୍ଟି ହେବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦୁଇଟି ବ୍ଲକର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର