ଚାଷୀ ଓ ଭାଗଚାଷୀଙ୍କଠୁ ତୁରନ୍ତ ଧାନ କିଣିବା ଦାବିରେ ଓଡିଶା କୃଷକ ସଭା ପକ୍ଷରୁ ଦାବିପତ୍ର

ଭଦ୍ରକ:  ଭଦ୍ରକ ଜିଲ୍ଲାରେ ଗତ ଲଘୁଚାପ ଜନିତ ବର୍ଷାରେ ୪୦ ପ୍ରତିଶତ ଧାନ ନଷ୍ଟ ହୋଇଥିଲା। ହାରାହାରି ୬୦ ପ୍ରତିଶତ ଧାନ ଚାଷୀ ମାନଙ୍କ ଖଳାରେ ମାସାଧିକ କାଳ ପଡିରହିବା ପରେ କ୍ବିଣ୍ଟାଲ ପ୍ରତି ଘରୋଇ ବେପାରୀ ମାନଙ୍କୁ ୧୨୦୦ ଟଙ୍କା ରେ ଚାଷୀ ମାନେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜାନୁଆରୀ ୩ ତାରିଖରୁ ଧାନ ସଂଗ୍ରହ ନିଷ୍ପତ୍ତି ହୋଇଥିବା ବେଳେ ସରକାରୀ ଦଳ ଓ ସରକାରୀ କଳ ସହ ଧାନ ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଫଳରେ ମିଲ ମାଲିକ ମାନେ ଜାଣିଶୁଣି ଧାନ କିଣୁ ନାହାଁନ୍ତି। ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ କିଛି ମଣ୍ଡି ନାମକୁ ମାତ୍ର ଉଦଘାଟନ ହୋଇଛି। କିନ୍ତୁ ସେମାନଙ୍କୁ କୌଣସି ମିଲ ଟ୍ୟାଗ ହୋଇନାହିଁ। ଚାଷୀମାନେ ବେପାରୀ ମାନଙ୍କୁ ୯୦ ଭାଗ ଧାନ ବିକ୍ରି କରିସାରିବା ପରେ ସରକାର ଧାନ କିଣିବେ ବୋଲି ଚକ୍ରାନ୍ତ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ବର୍ଷରେ ପ୍ରାୟ ୮୦ ଭାଗ ଚାଷୀ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଟୋକନ ପାଇ ନାହାଁନ୍ତି। ଭାଗଚାଷୀ ମାନଙ୍କ ଧାନ ବିକ୍ରି ସଂକ୍ରାନ୍ତରେ ସରକାର ଏଯାଏଁ କୌଣସି ନିଷ୍ପତ୍ତି ନେଇ ନଥିବାରୁ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ଉଦବେଗ ପ୍ରକାଶ କରିଛି।

ଟୋକନ ବ୍ୟବସ୍ଥାର ଭେଳିକି ବନ୍ଦ କରି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ପ୍ରତି ପଞ୍ଚାୟତରେ ସରକାର ଧାନ ମଣ୍ଡି ଖୋଲି ପ୍ରତ୍ୟକ୍ଷ ଧାନ କିଣିବାକୁ ଦାବି କରି ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ପ୍ରତିନିଧି ଦଳ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁଗ୍ମ ସମ୍ପାଦକ ବିକାଶ ନାଥ, ବ୍ରହ୍ମାନନ୍ଦ ପରିଡା, ଅଭିରାମ ବଳ, କାହ୍ନୁ କିଶୋର ସାହୁ, ଘଣ୍ଟେଶ୍ୱର ଅଞ୍ଚଳର ଚାଷୀ ନେତା ବିଜୟ ଦାସ, ନବଘନ ନାଥ ପ୍ରମୁଖ ସାମିଲ ଥିଲେ। ଚାଷୀ ମାନଙ୍କ ଠାରୁ ଖୁବଶୀଘ୍ର ଧାନ କିଣାଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର