ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା: ୩ ମାସରେ ଗଲାଣି ୧୦ ଜୀବନ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଉଛନ୍ତି ନକ୍ସଲ ସଙ୍ଗଠନ। ଯାହାର ନେତୃତ୍ବ ନେଉଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେଶ୍ରା ଓ ତା’ର ସହଯୋଗୀ। ଏମାନଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ସୀମାନ୍ତ ସରଣ୍ଡା ଓ କୋହ୍ଲାଣ ଜଙ୍ଗଲ। ସଙ୍ଗଠନକୁ ସୁଦୃଢ଼ କରିବାକୁ ଆବଶ୍ୟକ ଅର୍ଥ ସହ ହିଂସାକାଣ୍ଡ ଭିଆଇବାକୁ ପ୍ରସ୍ତୁତି ହେଉଛି ବ୍ଲୁ ପ୍ରିଣ୍ଟ। ଉଭୟ ରାଜ୍ୟର ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ଚକ୍‌ମା ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡମାନ ଘଣ୍ଟାଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରୁଛନ୍ତି। ଗତ ୩ ମାସ ମଧ୍ୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ଗୁଳିବିନିମୟରେ ୧୦ ରୁ ଅଧିକ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶା କେନ୍ଦୁଝର ଜିଲ୍ଲାର ଜଣେ ଯବାନଙ୍କ ସହ ମୋଟ ୩ ଜଣ ସହିଦ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରୁଥିଲେ ହେଁ ନକ୍ସଲ ନେତା ମିସ୍‌ରି ବେସ୍ରା ଓ ତା’ର ସହଯୋଗୀ ଏଯାଏଁ ଗିରଫ କରିପାରି ନାହାନ୍ତି। ଗତ ୨୦୨୩ ଅଗଷ୍ଟ ୧୧ରେ ଝାଡ଼ଖଣ୍ଡ ପଶ୍ଚିମସିଂହ ଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳିକାଣ୍ଡରେରେ ସିଆର୍‌ପିଏଫ୍‌ ୬୦ ବଟାଲିୟନର ହାବିଲଦାର ମୁନ୍ନାଲାଲ୍‌ ଯାଦବ ଗୁରୁତର ହୋଇଥିଲେ।

ହେଡ୍‌ କନେଷ୍ଟବଳ କେନ୍ଦୁଝର ଆନନ୍ଦପୁରର ଖୁଣ୍ଟିଆ ସାହିତର ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେସ୍‌ରା, ଅନମୋଲ, ମୋଚ୍ଛୁ, ଚମନ, ଅଜୟ ମହାତୋ, ସାଗେନ ଅଙ୍ଗରିଆ, ଅଶ୍ବିନୀ କୋହ୍ଳାଣ ଜଙ୍ଗଲରେ ଲୁଚିଥିବା ସିଆର୍‌ପିଏଫ୍‌ ଯବାନଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଦିନ ପ୍ରାୟ ୧୦ଟାରେ ସିଆର୍‌ପିଏଫ୍‌ ଯବାନ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲୁଥିବା ଜାଣିବା ପରେ ସେଠାରୁ ଖସିଯିବାକୁ ମିସ୍‌ରି ‌ବେସ୍ରା ଓ ଅନ୍ୟମାନେ ଜଙ୍ଗଲ ଭିତରୁ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଜବାବରେ ସିଆର୍‌ପିଏଫ୍‌ ଯବାନ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ସୁଶାନ୍ତ ସହିତ ହୋଇଥିଲେ। ମୁନ୍ନାଲାଲ୍‌ ଗୁରୁତର ହୋଇଥିଲେ। ୫ ଦିନ ପରେ ଅର୍ଥାତ୍‌ ୧୬ରେ ନକ୍ସଲମାନଙ୍କ ଗୁଳିରେ ଝାଡଖଣ୍ଡ ଜାଗୁଆର ପୁଲିସ୍‌ର ଦୁଇ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଜବାନ ଦ୍ବୟ ‌ହେଲେ ସବ୍‌ ଇନ୍ସପେକ୍ଟର ଅମିତ କୁମାର ତିୱାରୀ ଓ କନେଷ୍ଟବଳ ଗୌତମ ରଣା। ଅମିତଙ୍କ ଘର ଝାଡ଼ଖଣ୍ଡ ପଲାମୁର ହୋଇଥିଲାବେଳେ ବିହାର ଶାହାପୁରରେ ଗୌତମଙ୍କ ଘର। ସହିଦ ଅମିତ ତିନିଦିନ ପୂର୍ବରୁ ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ। ଗତ ୨୦୨୩ ଅଗଷ୍ଟ ୨୦ରେ ପୁଲିସ୍‌ ଇନ୍‌ଫର୍ମର୍ ସଂଦେହରେ ରାନ୍ଦୋ ସୁରିନ୍ ନାମକ ଜଣେ ୬୦ ବର୍ଷର ବୃଦ୍ଧଙ୍କ ସହ ଦୁଇଜଣଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

ସେମିତି ଜୁଲାଇ ମାସରେ ନକ୍ସଲଙ୍କ ବିସ୍ଫୋରଣ ଓ ଗୁଳିରେ ୪ରୁ ଅଧିକ ନିରୀହ ଲୋକଙ୍କ ଜୀବନ ଯାଇଛି। ଗତ ୧୨ ତାରିଖରେ ଯବାନମାନଙ୍କ ସାମଗ୍ରୀ ନେଇ ଯାଉଥିବା ଟ୍ରାକ୍ଟରକୁ ଆଇଇଡି ବିସ୍ଫୋରଣ କରି ଉଡ଼ାଇ ‌ଦେଇଥିଲେ। ଘଟଣାରେ ଟ୍ରାକ୍ଟର ହେଲପର ଲୋବି ଗୋପ୍‌ ଓ ଡ୍ରାଇଭର ପକଲୁ ବୋଦ୍ରା ଗୁରୁତର ହୋଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଝାଡ଼ଖଣ୍ଡ ଚାଇଁବସାସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହେଲପର ଲୋବି ଗୋପ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିବା ମିସ୍‌ରି ବେସ୍ରାଙ୍କ ସହ ତାଙ୍କ ସହଯୋଗୀଙ୍କୁ ଯେ ପର୍ଯ୍ୟନ୍ତ ଧରା ନ ଯାଇଛି, ସୀମାନ୍ତରେ ଏମିତି ନକ୍ସଲ ହିଂସା ଜାରି ରହିଥିବ।

 

ସମ୍ବନ୍ଧିତ ଖବର