ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଟିମ୍ କାମ କରୁଛି, ଲୋକେ ନିର୍ଭୟ ରୁହନ୍ତୁ: ଗଂଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଏଯାବତ୍ ୧୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ପାଇଁ ରାଜ୍ୟବାସୀଙ୍କର ଚିନ୍ତା ମଧ୍ୟ ବଢ଼ିଛି । କିନ୍ତୁ ଗଞ୍ଜାମ ଜିଳ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କୁ ଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜିଲ୍ଲାରେ ଯଦିଓ କରୋନା ପଜିଟିଭ ସଂଖ୍ୟା ବଢ଼ିଛି, ତଥାପି ଏଠାରେ ଗୋଷ୍ଠୀ ସଂକ୍ରମଣର କୌଣସି ଚିହ୍ନ ନାହିଁ । ଲୋକମାନେ ତେଣୁ ଡରନ୍ତୁ ନାହିଁ ।

ଜିଲ୍ଲାପାଳ କହିଛନ୍ତି, ଗଂଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ନ କରାଇ ଦେବା ଲାଗି ଓ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନର ଟିମ୍ କାମ କରୁଛି । ତେଣୁ ଜିଲ୍ଲାରେ ଆଦୌ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ନାହିଁ । ଲୋକେ ଡରନ୍ତୁ ନାହିଁ । ଏଥିଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ଗଂଜାମ ଜିଲ୍ଲାକୁ ଏପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ଆଗାମୀ ଦିନରେ ଆହୁରି ପ୍ରବାସୀ ଆସିବେ ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ୧୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା । ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୧୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର