ସୁନ୍ଦରଗଡ଼ ନିର୍ବାଚନ ମଇଦାନରେ ଏଥର ୧୭ ବରିଷ୍ଠ ନାଗରିକ: ବିଧାନସଭା ଓ ଲୋକସଭା ଆସନରେ ମୋଟ୍‌ ୭୨ ପ୍ରାର୍ଥୀ

ଦିଲୀପ ବୟୋଜ୍ୟେଷ୍ଠ, ବାବୁଲୁ ସର୍ବକନିଷ୍ଠ ପ୍ରାର୍ଥୀ

ରାଉରକେଲା: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥିପତ୍ର ଚୂଡ଼ାନ୍ତ ହୋଇଯାଇଛି। ଏନେଇ ବିଧିବଦ୍ଧଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥର ବିଧାନସଭା ପାଇଁ ୬୪ ଜଣ ଓ ଲୋକସଭା ପାଇଁ ୮ ଜଣ, ମୋଟ୍‌ ୭୨ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଲୋକସଭା ପାଇଁ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବୀରମିତ୍ରପୁର ବିଧାନସଭାରେ ଆସନରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ଲଢ଼ୁଥିବାବେଳେ ରାଉରକେଲା ବିଧାନସଭା ଆସନରେ ୧୧ ଜଣ, ରଘୁନାଥପାଲିରେ ୮ ଜଣ, ତଳସରାରେ ୮ ଜଣ, ବଣାଇରେ ୧୦ ଜଣ, ରାଜଗାଙ୍ଗପୁରରେ ୬ ଜଣ ଓ ସୁନ୍ଦରଗଡ଼ରେ ୮ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଛି। ଏଥର ମୋଟ ୧୭ ଜଣ ବରିଷ୍ଠ ନାଗରିକ ନିର୍ବାଚନ ଲଢ଼ୁଛନ୍ତି। ରାଉରକେଲା ବିଜେପି ପ୍ରାର୍ଥର ଦିଲୀପ ରାୟ(୭୧) ବୟୋଜ୍ୟେଷ୍ଠ ପ୍ରାର୍ଥୀ ହୋଇଥିବାବେଳେ ସୁନ୍ଦରଗଡ଼ ବିଧାନସଭା ଆସନରେ ବହୁଜନ ସମାଜ ପାର୍ଟିରୁ ଲଢ଼ୁଥିବା ବାବୁଲୁ କିଶାନ(୨୫) ହେଉଛନ୍ତି ସର୍ବକନିଷ୍ଠ ପ୍ରାର୍ଥୀ। ଲୋକସଭା ସାଂସଦ ପ୍ରାର୍ଥୀ ପାଇଁ ଲଢ଼େଇ କରୁଥିବା ଦୁଇ ବରିଷ୍ଠ ନାଗରିକ ହେଉଛନ୍ତି ଜନାର୍ଦ୍ଦନ ଦେହୁରୀ(୭୦) ଓ ଜୁଏଲ ଓରାମ(୬୩)।
ସେହିଭଳି ରାଉରକେଲା ବିଧାନସଭା ଆସନରେ ଲଢ଼ୁଥିବା ବରିଷ୍ଠ ନାଗରିକମାନେ ହେଉଛନ୍ତି, ଦିଲୀପ ରାୟ(୭୧), ବୀରେନ୍ଦ୍ର ନାଥ ପଟ୍ଟନାୟକ(୬୪), ସାରଦା ପ୍ରସାଦ ନାୟକ(୬୫), କମଳ କିଶୋର ଅଗ୍ରୱାଲ(୬୬), ନିର୍ମଳ ଦାସ(୬୫), ନିହାର ରାୟ(୬୫), ରଘୁନାଥପାଲି ଆସନରେ ଗୋପାଳ ଦାସ(୬୦), ତଳସରା ଆସନରେ ଦେବେନ୍ଦ୍ର ଭିତ୍ରିଆ(୬୩), ବଣାଇ ଆସନରେ ଭୀମସେନ ଚୌଧୁରୀ(୬୧), ଲକ୍ଷ୍ମଣ ମୁଣ୍ଡା(୬୧), ରାଜଗାଙ୍ଗପୁର ଆସନରେ ଲିଓନୀ ତିର୍କି(୬୨) ଏବଂ ବୀରମିତ୍ରପୁର ଆସନରେ ରେମିଶ ଯୋଯୋ(୬୦) ଓ ପ୍ରସନ କୁମାରୀ କୁଲ୍ଲୁ(୬୧)। ତେବେ ସୁନ୍ଦରଗଡ଼ ବିଧାନସଭାରେ ଜଣେ ବି ବରିଷ୍ଠ ନାଗରିକ ପ୍ରାର୍ଥୀ ହୋଇନାହାନ୍ତି।
ସମ୍ବନ୍ଧିତ ଖବର