ଟ୍ରେନରେ କଟି ବୃଦ୍ଧଙ୍କ ଜୀବନ ଗଲା

ନୂଆପଡା: ସଦର ବ୍ଲକ ଗୋଡ଼ଫୁଲା ପଂଚାୟତ ପଟପରପାଲି ଗାଁ ନିକଟରେ ଟ୍ରେନରେ କଟି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ମୃତକ ବୃଦ୍ଧଜଣକ ହେଲେ ପଟପରପାଲି ଗାଁର ନରେଶ ପ୍ରସାଦ ପଣ୍ଡା(୬୫)। ମଧ୍ୟାହ୍ନରେ ଖରିଆରରୋଡ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ପଟପରପାଲି ଗାଁର ଗଣେଶ ବୟସର ଅପରାହ୍ନରେ ମାନସିକ ବିକାରଗ୍ରସ୍ତ ହୋଇ ଭିକ୍ଷା ବୃତ୍ତି କରି ଜୀବନ ବଞ୍ଚାଇ ରଖିଥିଲେ। ଆଜି ସକାଳେ ବୃଦ୍ଧଜଣକ କୌଣସି କାରଣରୁ ଖରିଆରାରୋଡ ଓ ନୂଆପଡ଼ା ରେଳ ଷ୍ଟେସନ ମଧ୍ୟସ୍ଥ ପଟପରପାଲି ଗାଁ ନିକଟ ରେଳ ଲାଇନକୁ ଚାଲି ଆସିଥିଲେ। ଏହି ସମୟରେ ଟିଟିଲାଗଡ଼ରୁ ଏକ ମାଲ ବୋଝେଇ ଟ୍ରେନ ରାୟପୁର ପଟେ ଯାଉଥିଲା। ବୃଦ୍ଧ ଜଣକ ଗୋଟିଏ ଟ୍ରେନ ଲାଇନରୁ ଅନ୍ୟ ଲାଇନକୁ ଚାଲି ଯାଇଥିଲେ। ଏହି ସମୟରେ ବୃଦ୍ଧ ଛିଡ଼ା ହୋଇଥିବା ଟ୍ରେନ ଲାଇନରେ ନିଜାମୁଦ୍ଦିନ- ବିଶାଖାପାଟଣା ଟ୍ରେନ ହଠାତ ଚାଲି ଆସିଥିଲା। ଏହି ଟ୍ରେନ ଧକ୍କାରେ ବୃଦ୍ଧଜଣକ ଆସି ଛିଟିକି ପଡ଼ିଥିଲେ।

ଟ୍ରେନ ଚାଳକ ଟ୍ରେନକୁ ଅଟକାଇ ବୃଦ୍ଧଙ୍କୁ ଦେଖିଥିଲେ। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖରିଆରରୋଡ ରେଳବାଇ ପୁଲିସକୁ ଜଣାଇ ଚାଲି ଯାଇଥିଲେ। ଏବେ ରାୟପୁର-ଟିଟିଲାଗଡ଼ ରେଳବାଇ ପୋଷ୍ଟ ୧୧୩ ପଏଣ୍ଟ ନିକଟରେ ମୃତ ଦେହ ପଡ଼ି ରହିଛି। ପୂର୍ବାହ୍ନରେ ଖରିଆରାରୋଡ଼ ରେଳବାଇ ପୁଲିସ ଫୋର୍ସ ଭାରପ୍ରାପ୍ତ ଅଧିକାରୀ ମଙ୍ଗଳ ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଶବ ଉଠାଇବା ପାଇଁ ଟିଟିଲାଗଡ଼ ଆରପିଏଫକୁ ଜଣାଇ ଦେଇଛି। ସେଠାରୁ ସ୍ବିପରମାନେ ଆସିବା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆରପିଏଫ ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର