ପିଇବାକୁ ପାଣି ମାଗି ସୁନା ଅଳଙ୍କାର ଲୁଟ

ଗୋପାଳପୁର: ପିଇବାକୁ ପାଣି ମାଗି ଘରୁ ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଭଂଜବିହାର ଫାଣ୍ଡିରେ ଅଭିଯୋଗ ହୋଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟସ୍ଥିତ ଜଗନ୍ନାଥ ବିହାର ୩ୟ ଗଳିରେ ରହୁଥିବା ରମା ପଣ୍ଡାଙ୍କ ଘରୁ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ଣ ୯ଟା ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ରମା ପଣ୍ଡାଙ୍କ ପତ୍ନୀ ଝୁନୁ ପଣ୍ଡାଙ୍କୁ ତୁମର ଇନ୍ଦିରା ଆବାସ ପାଇଁ ୩ଲକ୍ଷ ଟଙ୍କା ଆସିଥିବା କହି ଆଧାର କାର୍ଡ ମାଗିଥିଲେ। ପ୍ରଥମେ ପିଇବା ପାଇଁ ପାଣି ଆଣିବାକୁ କହିଥିଲେ। ଝୁନୁ ପାଣି ଆଣିବାକୁ ଯିବା ସମୟରେ ଟେବୁଲ୍ ଉପରେ ଥିବା ୧୫ ହଜାର ଟଙ୍କା ମୂଲ୍ୟର ସୁନା ମୁଦି ଓ ଦୁଇଟି କାନଫୁଲକୁ ନେଇ ବାଇକ୍‌ରେ ଚମ୍ପଟ ମାରିଥିଲେ। ଝୁନୁ ଏହା ଦେଖି ପାଟି କରିବା ବେଳେ ଦୁର୍ବୃତ୍ତଙ୍କ ହାତରୁ ଦୁଇଟି କାନଫୁଲ ତଳେ ଖସି ପଡିଥିବା ବେଳେ ମୁଦିଟିକୁ ଧରି ଚମ୍ପଟ ମାରିଥିଲା। ଏ ନେଇ ଭଞ୍ଜବିହାର ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଂଚଳରେ ଲାଗିଥିବା ସିସି କ୍ୟାମେରାକୁ ଦେଇ ଯାଞ୍ଚ କରାଯାଉଥିବା ଫାଣ୍ଡି ଅଧିକାରୀ ଏସ୍.ଶଙ୍କର ରାଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର