ଭିଜିଲାନ୍ସ ଏସପିଙ୍କ ଘରେ କଳା କନା ବୁଲାଇଲେ ଚୋର

୫ ଭରି ଗହଣା, ନଗଦ ଲକ୍ଷେ ଧରି ଚମ୍ପଟ

ବ୍ରହ୍ମପୁର : ପୁଲିସକୁ ଚାଲେଞ୍ଜ କରି ସଦର ଥାନା ଇଲାକାରେ ଚୋରି ମାମଲା ବଢ଼ିବାରେ ଲାଗିଛି। ଚୋର ଗ୍ୟାଙ୍ଗ ଗୋଟିଏ ପରେ ଗୋଟିଏ ଘରକୁ ଟାର୍ଗେଟ କରି ଚୋରି କରିବାରେ ସଫଳ ହେଉଛନ୍ତି। ପୁଲିସ ଆଜି ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇପାରିନାହିଁ । କ୍ରମାଗତ ଚୋରି ମାମଲାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଚୋର ଗ୍ୟାଙ୍ଗ ଶେଷରେ ବସନ୍ତବିହାର ପ୍ରଥମ ଲାଇନ୍‌ରେ ରହୁଥିବା ଭିଜିଲାନ୍ସ ଏସ୍‌.ପି.ଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି। ଘର ଆଲମାରି ଭାଙ୍ଗି ୫ଭରି ସୁନା ଗହଣା ସହିତ ନଗଦ ପ୍ରାୟ ୧ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନା ଅନୁସାରେ ବସନ୍ତବିହାରରେ ରହୁଥିବା ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ସ୍ବାଇଁ ରାଉରକେଲାରେ ଭିଜିଲାନ୍ସ ଏସ୍‌ପି ଭାବେ କାମ କରୁଛନ୍ତି। ଶ୍ରୀ ସ୍ବାଇଁ ରାଉରକେଲାରେ ରହୁଥିବା ଯୋଗୁଁ ଗତ କିଛିମାସ ହେଲା ତାଙ୍କ ପତ୍ନୀ ଓ ପୁଅ ସେଠାକୁ ଯାଇଥିଲେ। ଫଳରେ ଘରେ ତାଲା ପଡ଼ିଥିଲା। ନିକଟରେ ରହୁଥିବା ଜଣେ ଯୁବକଙ୍କୁ ରାତିରେ ଘରେ ଶୋଇବା ସହିତ ଦେଖାରଖା କରିବା ପାଇଁ ଶ୍ରୀ ସ୍ବାଇଁ କହିଥିଲେ। କିନ୍ତୁ ଗତ ଶନିବାର ଦିନ ଘରୁ ଚୋରି ହୋଇଥିବା ନେଇ ଏସ୍‌.ପି. ସ୍ବାଇଁ ପଡ଼ୋଶୀଙ୍କ ଠାରୁ ଖବର ପାଇଥିଲେ। ଚୋର ଗ୍ୟାଙ୍ଗ୍‌ ଘର ବାରିପଟ କବାଟ ଭାଙ୍ଗି ଭିତରେ ପଶି ଚୋରି କରିଥିଲେ। ଏହି ଖବର ପାଇ ଏସ୍‌.ପି. ସ୍ବାଇଁଙ୍କ ପତ୍ନୀ ଏବଂ ପୁଅ ଗତକାଲି ବ୍ରହ୍ମପୁରରେ ପହଞ୍ଚିଥିଲେ। ପୁଲିସ ଉପସ୍ଥିତିରେ ଘର ଯାଞ୍ଚ କରାଯାଇଥିଲା। ବେଡ୍‌ରୁମ୍‌ରେ ଥିବା ଆଲମାରି ଭଙ୍ଗା ଯାଇଥିବା ବେଳେ ଜିନିଷପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଆଲମାରିର ଲକର୍‌ରେ ଥିବା ସୁନା କାନଫୁଲ, ଚେନ୍‌, ମୁଦି ଭଳି ସମସ୍ତ ସୁନା ଅଳଙ୍କାର ଗାଏବ ଥିବା ଜଣାପଡ଼ିଥିଲା। ଅନ୍ୟପଟେ ଆଲମାରିରେ ଥିବା ପ୍ରାୟ ୧ଲକ୍ଷ ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ଗ୍ୟାଙ୍ଗ୍‌ ବିଭିନ୍ନ ଲୋକଙ୍କ ଘରେ ଚୋରି କରି ଶେଷରେ ଜଣେ ପୁଲିସ ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି। ସଦର ଥାନା ଇଲାକାରେ ପୁଲିସ ପାଟ୍ରୋଲିଂ ଅଭାବରୁ ବାରମ୍ବାର ଏଭଳି ଚୋରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

ପ୍ରକାଶ ଥାଉ କି ଗତ ୧୨ତାରିଖ ରାତିରେ ନିମଖଣ୍ଡିରେ ରହୁଥିବା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ହୋଇଥିବା ବେଳେ ଗତ ୧୪ତାରିଖରେ ପାଣ୍ଡିଆଝୋଲିର ଦାଶରଥୀ ପାତ୍ରଙ୍କ ଘରୁ ୧୨ଭରି ସୁନା ଗହଣା ଚୋରି ହୋଇଥିଲା। ଏହା ପୂର୍ବରୁ ମଧ୍ୟ ସଦର ଥାନା ଇଲାକାର ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ଘଟଣା ଘଟିଛି। ଚୋର ଗ୍ୟାଙ୍ଗ୍‌କୁ ଧରିବା ପୁଲିସ ପାଇଁ ଏବେ ଚାଲେଞ୍ଜ ହୋଇଛି।

ସମ୍ବନ୍ଧିତ ଖବର