ଚିଲିକା ସୁରକ୍ଷା ପାଇଁ ହାତରେ ଫାଉଡା ଧରି ତାଳ ଗଛ ପୋତୁଛନ୍ତି ଗାଁର ବୋହୂ

କୃଷ୍ଣପ୍ରସାଦ: ଗାଁକୁ ଗିଳିବନି ଚିଲିକା | ପୋତି ହୋଇଯିବନି ଏସିଆର ସବୁଠାରୁ ବଡ ଲବଣାକ୍ତ ହ୍ରଦ | ଠିକ ସେଥିପାଇଁ ଏବେ ଚିଲିକା ସୁରକ୍ଷାରେ ଲାଗିପଡିଛନ୍ତି ଗ୍ରାମବାସୀ | ଚିଲିକା କୂଳରେ ଥିବା ଘେରିବନ୍ଧମାନଙ୍କରେ ପୋତିଚାଲିଛନ୍ତି ତାଳ ଗଛ | ଏଯାଏଁ ୬ ହଜାର ତାଳଗଛ ପୋତାଯାଇଥିବାବେଳେ ୧ ଲକ୍ଷ ତାଳଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି | ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏବେ ଗ୍ରୀନ ପାରିକୁଦ ନାମକ ସ୍ବେଛାସେବୀ ସଂଗଠନର ସହଯୋଗରେ ଚାଲିଛି ସେଭ ଚିଲିକା ମିଶନ |


ଜୁଆରବେଳେ ଯେଭଳି ଗାଁରେ ଲୁଣି ପାଣି ପଶିବ ନାହିଁ ସେଥିପାଇଁ ତିଆରି ହୋଇଛି ଲୁଣା ବନ୍ଧ | ତେବେ ଦିନକୁ ଦିନ ବନ୍ଧ ଧୋଇହୋଇଯାଉଥିବାରୁ ଗାଁରେ ଲୁଣି ପାଣି ପଶିବାର ଭୟ ରହୁଛି | ଠିକ ସେଥିପାଇଁ ମୃତ୍ତିକା ସଂରକ୍ଷଣ ପାଇଁ ତାଳଗଛ ଲଗାଉଛନ୍ତି ଗ୍ରାମୀଣ ମହିଳା | ନିଜର ଘର କାମ ସାରି ଘରର ବୋହୂମାନେ ହାତରେ ଫାଉଡା ଧରି ପ୍ରତିଦିନ ଚିଲିକା କୂଳକୁ ଯାଉଛନ୍ତି | ଆଉ ଗାତ ଖୋଳି ପୋତୁଛନ୍ତି ତାଳ ଗୋଟମା | ସଂଗଠନର ପ୍ରାୟ ୬୦ ଜଣ ସଦସ୍ୟ ଏବେ ଚିଲିକା ବଞ୍ଚାଇବା ମିଶନରେ ଲାଗିପଡିଛନ୍ତି |

ତାଳଗୋଟମା ସଂଗ୍ରହ ସହ କିଭଳି ଅଧିକରୁ ଅଧିକ ତାଳଗଛ ଲଗାଇହେବ ସେ ଦିଗରେ ଏବେ ଲାଗିପଡିଛନ୍ତି ଗ୍ରୀନ ପାରିକୁଦ ସଂଗଠନ | ଆଉ ଗ୍ରୀନ ପାରିକୁଦ ସଂଗଠନ ସହ ସୁପର ୩୦ ସଂଗଠନ ହାତ ମିଳାଇ ଏବେ କିଭଳି ବ୍ୟାପକ ଭାବରେ ତାଳଗଛ ଲଗାଇହେବ ସେ ନେଇ କାର୍ଯ୍ୟ କରୁଛି |

ସମ୍ବନ୍ଧିତ ଖବର