ହଜିବାକୁ ବସିଛି ଗ୍ରାମାଞ୍ଚଳ ସଂସ୍କୃତିର ପ୍ରତୀକ ତଲାରି, ଆଜି ବି କୌଳିକ ବୃତ୍ତିକୁ ଜାବୁଡି ବାଉଁଶ କାରିଗର

ଭଞ୍ଜନଗର: ‘‘ଏଟ୍ଟ ଧାନରେ ମାଣ୍ଡିଆ ମିଶୁ, ସରୁ ସୁର କିରି ଲୋ ବନ୍ଦିଆ ବସୁ, ଏଟ୍ଟ ବନ୍ଦିଆ ବସୁଯେ, ସାହୁକୁ ସୁନ୍ଦର ଦିଶୁଟ୍ଟ’’ ଚାଷ କ୍ଷେତରେ ନିଜର ମୁଣ୍ଡ ଝାଳକୁ ତୁଣ୍ଡରେ ମାଡି ବର୍ଷ ଯାକାର ଆହାର ଯୋଗାଡ କରିବା ନିମନ୍ତେ ଚାଷୀ କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ କରୁଥିବା ବ‌େଳେ ଶ୍ରମକୁ ପ୍ରଶମିତ କରିବା ନିମନ୍ତେ ଏଭଳି କିଛି ହଳୁଆ ଗୀତ ଗାଇଥାଏ। ଆଉ ଏହି ସମୟରେ ତାର ମୁଣ୍ଡରେ ଥାଏ ତଲାରି। ଚାଷୀ ତୁଣ୍ଡରେ ହଳୁଆ ଗୀତ ଓ ମୁଣ୍ଡରେ ତଲାରୀ ଗ୍ରାମାଞ୍ଚଳ ସଂସ୍କୃତିର ପ୍ରତୀକ। ଖରାବର୍ଷା ଦାଉରୁ ନିଜର ସରୁକ୍ଷା ପାଇଁ ବର୍ଷ ତମାମ୍ ବ୍ୟବହାର କରିଥାଏ। ତଲାରି ସାଧାରଣତଃ ବାଉଁଶ ପାତିରେ ତିଆରି ହୋଇଥାଏ। ଚାଷୀ ଠାରୁ ଆରମ୍ଭ କରି ଗାଇ ଚରାଳି ପର୍ଯ୍ୟନ୍ତ ସମ‌ସ୍ତେ ଏହାକୁ ବ୍ୟବହାର କରିଥାନ୍ତି। ବହୁ ଓଡିଆ ଚଳଚିତ୍ର ଗୀତରେ କେତେ ଯେ ଦୃଶ୍ୟ ରହିଛି ଏହି ତଲାରିକୁ ନେଇ। କିନ୍ତୁ ସମୟସ୍ରୋତ ଏହି ତଲାରିକୁ ଧିରେ ଧିରେ ହଜାଇବାକୁ ବସିଲାଣି ଆଧୁନିକତାର ଛାପରେ ତଥା ପ୍ଲାଷ୍ଟିକ ଯୁଗରେ ଧୀରେ ଧୀରେ ହଜିବାକୁ ବସିଛି ବାଉଁଶ ତିଆରି ତଲାରି। ବର୍ଷା ଦିନ ଆସିବା ପୂର୍ବରୁ ଏହି ତଲାରି ଯେଉଁ ଚାହିଦା ରହୁଥିଲା ତାହା କମିବାରେ ଲାଗିଛି। ଏ‌ହା କେବଳ ଫଟୋରେ ସୀମିତ ହୋଇଯିବାକୁ ବସିଛି। ଏହା ସତ୍ବେ ବି ବହୁ ବର୍ଷ ଧରି ନିଜ ରୋଜଗାରର ମାଧ୍ୟମ କରିଥିବା ତଲାରି କାରିଗର ନିଜ କୌଳିକ ବୃତ୍ତିକୁ ଛାଡି ନାହାନ୍ତି। ବହୁ ଝଡଝଞ୍ଜା ସତ୍ବେ ବାଉଁଶ କିଣି ତଲାରି ତିଆରି କରୁଛନ୍ତି। ଏହାକୁ କୌଳିକ ବୃତ୍ତି ଭାବେ ଆପଣେଇଥିବା କିଛି କାରିଗରଙ୍କ ତେଲ ଲୁଣର ସଂସାର ବର୍ତ୍ତମାନ ଆର୍ଥିକ ଅନଟନ ଦେଇ ଗତି କରୁଛି। ଛତା ଓ ପଲିଥିନ ରେନ୍ କୋଟ ଆସିବା ପରେ ଏହାର ତିଆରି କମି ଯାଇଥିବା ନେଇ କାରିଗରମାନେ ଦୁଃଖରେ ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍‌ ଅଧୀନ ରିପିଟିପଲ୍ଲୀ ଗ୍ରାମରେ ଆଜି ମଧ୍ୟ ୩ ଟି ପରିବାର ତଲାରି ତିଆରି କରୁଛନ୍ତି।

Sambad

ଗ୍ରାମର ବିପ୍ର ମଲ୍ଲିକ୍‌ ଚାଷ କାମ କରିବା ସହ ଏହି ସମୟରେ ବାଉଁଶ କିଣି ଆଣି ତଲାରି ତିଆରି କରୁଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ସୁଲ ମଳିକ ଏବଂ ପୁଅ ସହଯୋଗ କରୁଛନ୍ତି। ବାଉଁଶ ଗୋଟାକ ୮୦-୧୦୦ ଟଙ୍କା ପଡୁଥିବା ବେଳେ ଗୋଟିଏ ବାଉଁଶରୁ ୩ ଟି ତଲାରି ତିଆରି ହୋଇପାରୁଛି। ବାଉଁଶକୁ କାଟି ପାତି କରିବା ପ‌ରେ ଗୋଟିଏ ଦିନ ଟାଣ ଖରାରେ ଶୁଖାଇ ଦିଆଯାଉଛି। ପାଣି ନ ପଶିବା ପାଇଁ ଏହି ତଲାରି ମଝିରେ ଶାଳପତ୍ର ଦିଆଯାଉଛି। ଏହିପରି ଗୋଟିଏ ତଲାରି ତିଆରିରେ ମୁଖ୍ୟତଃ ୩ରୁ ୪ ଦିନ ଲାଗିଯାଉଥିବା ବେଳେ ବେପାରୀକୁ ୧୦୦ ଟଙ୍କାରେ ବିକ୍ରି କରିଦେଉଥିବା ବିପ୍ର କହିଛନ୍ତି। ତାକୁ ବେପାରୀ ମାନେ ବାହାରେ ୧୬୦ ରୁ୧୭୦ରେ ବିକ୍ରି କରୁଛନ୍ତି। ଯେଉଁ ଭାବରେ ପରିଶ୍ରମ କରି ଏହାକୁ ତିଆରି କରୁଛି ସେହି ହିସାବରେ ପାଉଣା ପାଇପାରୁ ନାହୁଁ। ବର୍ଷାଦିନ ସମୟରେ ପୂର୍ବରୁ ୭୦୦ରୁ ଅଧିକା ତଲାରି ତିଆରି କରୁଥିବା ବେଳେ ଏବେ ଏହି ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚାଷ ସମୟରେ ବର୍ଷା ହେ‌ଲେ ଚାଷୀ ତଲାରି ମୁଣ୍ଡାଇ ଜମିକୁ ଯାଉଥିଲେ କିମ୍ବା ଧାନ ରୁଆ ସମୟରେ ଶ୍ରମିକମାନ‌େ ତଲାରି ବହୁଳ ବ୍ୟବହାର କରୁଥିଲେ। ଚରାଳି ମାନ‌େ ଗାଇ,ଛେଳି ଆଦି ଚରାଇ ନ‌େବା ସମୟରେ ମଧ୍ୟ ଖରା ବର୍ଷା ସବୁବେଳେ ଏହାର ବ୍ୟବହାର କରୁଥିଲେ। ଗାଁ ଗହଳିରେ ପ୍ରତ୍ୟେକ ଘରେ ତଲାରି ଝୁଲି ରହୁଥିଲା। କିନ୍ତୁ ଏବେ ତାହା ହଜିବାରେ ଲାଗିଛି ଛତା ଓ ରେନ ‌କୋଟ ଲୋକଙ୍କୁ ସୁବିଧା ଦେଉଥିବାରୁ ତଲାରିରୁ ଲୋକେ ମୁହଁ ଫେରାଉଛନ୍ତି। ଫଳରେ ଏହାକୁ ନେଇ ପରିବାର ଚଳାଉଥିବା ବ୍ୟକ୍ତି ବୃତ୍ତିକୁ ନେଇ ସଂର୍ଘଷ କରୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର