ରାସ୍ତା ଉପରେ ମୋବାଇଲ ଦେଖିବା କାଳ ହେଲା, ଅଜଣା ବାଇକ୍ ଧକ୍କାରେ ଯୁବକ ମୃତ

ଡାବୁଗାଁ: ରାସ୍ତା ଉପରେ ମୋବାଇଲ ଦେଖିବା କାଳ ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୁଟିଆଗୁଡ଼ା ଗ୍ରାମରେ ରାସ୍ତା ଉପରେ ବସି ମୋବାଇଲ ଦେଖିବା ସମୟରେ ଏକ ଅଜଣା ବାଇକ୍ ଧକ୍କାରେ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ବୁଟିଆ ଗୁଡା ଗ୍ରାମ ର ଗୁରୁବାରୁ ଭତରା ୧୮ ବୋଲି ଜଣା ପଡିଛି। ଏ ନେଇ ମୃତ ଯୁବକ ର ଭାଇ ଯୋଗେଶ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟ ସମୟରେ ବୁଟିଆ ଗୁଡା ଗ୍ରାମର ବିଶୁ ଭତରା ର ପୁଅ ଗୁରୁ ବାରୁ ଭତରା( ୧୮) ଡାବୁଗାଁ ମେଦନା ରାସ୍ତାରେ ଥିବା ବୁଟିଆ ଗୁଡା ଗ୍ରାମ ରାସ୍ତା ଉପରେ ମୋବାଇଲ ଦେଖୁଥିବା ସମୟରେ ମେଦନା ରୁ ଡାବୁଗାଁ ଦିଗକୁ ଦୃତ ଗତିରେ ଆସୁଥିବା ଏକ ଅଜଣା ବାଇକ୍ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଗୁରୁ ଵାରୁ ଗୁରୁତ୍ତର ଆହତ ହୋଇ ଚିତ୍କାର କରିଥିଲା। ପରିବାର ଲୋକେ ଚିତ୍କାର ଶୁଣି ଆସିବା ସମୟରେ ଧକ୍କା ଦେଇଥିବା ଅଜଣା ବାଇକ ଚାଳକ ସେଠାରୁ ଉଠି ଚମ୍ପଟ ମାରିଥିଲା। ଗୁରୁତର ଆହତ ଗୁରୁବାରୁ କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତ୍ରରେ ଗୁରୁବାରୁ ଭତରା ର ମୃତ୍ୟୁ ଘଟିଥିଲା।

ଏ ନେଇ ଆଜି ମୃତକ ର ଭାଇ ଯୋଗେଶ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଘଟଣା ର ତଦନ୍ତ ପୁଲିସ ଏସ ଆଇ ଗୋପାଳ କୃଷ୍ଣ ହାଲୱା କରୁଛନ୍ତି।

ସମ୍ବନ୍ଧିତ ଖବର